ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ପ୍ରସଙ୍ଗକୁ ନେଇ ପରିଚାଳନା କମିଟି ବୈଠକ ଶେଷ। ଏହାସହ ଆଜି ସନ୍ଧ୍ୟା ୬ଟାରେ ପୁଣି ବୈଠକ କରାଯିବ। ଶ୍ରୀମନ୍ଦିର ଭିତରେ କିପରି ରୀତିନୀତି ଅନୁସାରେ ପରମ୍ପରା ପାଳନ କରାଯିବ ସେନେଇ ଛତିଶା ନିଯୋଗଙ୍କ ସହ ଏହି ବୈଠକ କରାଯିବ। ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଗଜପତି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ। ବାହାରେ ରଥଯାତ୍ରା ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ। କ’ଣ କେମିତି କରାଯାଇ ପାରିବ ସମସ୍ତଙ୍କ ସହ ଆଲୋଚନା ହେବ। ଛତିଶା ନିଯୋଗର ନିଷ୍ପତ୍ତି ପରେ ଶଙ୍କରାଚାର୍ଯ୍ୟଙ୍କ ଅନୁମୋଦନ ନିଆଯିବ। କାଲି ସକାଳ ସୁଦ୍ଧା ଚୂଡ଼ାନ୍ତି ନିଷ୍ପତ୍ତି ଆସିବ।

ଏବର୍ଷ ଅଧରପଣା, ନୀଳାଦ୍ରୀବିଜେ, ସୁନାବେଶ ମଧ୍ୟ ହୋଇପାରିବନି। କରୋନା ସମୟରେ ଅତ୍ୟନ୍ତ ଦୁଃଖର ସହ ଏ ନିଷ୍ପତ୍ତି ନିଆଯାଇଛି। ଧାର୍ମିକ ଅନୁସାରେ ଯାହା ନିଷ୍ପତ୍ତି ନିଆହେବ ତାକୁ ପାଳନ କରାଯିବ ବୋଲି ଗଜପତି କହିଛନ୍ତି।

ଏଥର କରୋନା ପାଇଁ ରଥଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନ ଭାଙ୍ଗିଯାଇଛି। ଏଭଳି ନିଷ୍ପତ୍ତିକୁ ମଧ୍ୟ କେତକ ସ୍ଥାନରେ ବିରୋଧ କରାଯାଇଛି।

ଏହି ନିଷ୍ପତ୍ତି ଆସିବା ପରେ ଗଜପତି ମହାରାଜା ଏହାକୁ ସମର୍ଥନ କରିଥିଲେ। ତେବେ ମନ୍ଦିର ଭିତରେ କିପରି ସବୁ ପରମ୍ପରା ପାଳନ କରାଯିବ ସେନେଇ ପରିଚାଳନା କମିଟି ବୈଠକ ବସିଥିଲା। ତେବେ ଏନେଇ ପୁଣି ବୈଠକ ବସିବ ବୋଲି ବୈଠକ ଶେଷ ହେବା ପରେ ସୂଚନା ଦେଇଛନ୍ତି ଗଜପତି ମହାରାଜା।

Comment