ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ସହିଦ ଯବାନ ଅମର ରହେ’ରେ କମ୍ପି ଉଠୁଥିଲା ସହିଦ ଯବାନଙ୍କ ଜନ୍ମମାଟି। ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ଜନ୍ମମାଟିରେ ଶେଷ ହୋଇଛି ଦୁଇ ଜଣ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ। ଜନ୍ମମାଟିରେ ଶେଷକୃତ୍ୟ ବେଳେ ଦିଆଗଲା ଗାର୍ଡ ଅଫ୍‌ ଅନର। ଏହାସହ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକ ସେଠାରେ ଉପସ୍ଥିତ ରହି ୨ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଗୁରୁବାର ଭୁବନେଶ୍ଵରରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ସେଠାରୁ ନିଜ ନିଜ ଜନ୍ମମାଟିକୁ ଯାଇଥିଲା ପାର୍ଥିବ ଶରୀର।

ସହିଦ ନନ୍ଦୁରାମ ସୋରେନଙ୍କ ପାର୍ଥିବଶରୀର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଜନ୍ମମାଟିକୁ ନିଆଯାଇଥିଲା। ବଡ଼ଚମ୍ପାଉଦା ଗାଁରେ ହଜାର ହଜାର ଲୋକ ଉପସ୍ଥିତ ରହିଥିଲେ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସେହିପରି ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବଶରୀର କନ୍ଧମାଳ ଜିଲ୍ଲାର ରାଇକିଆରେ ପହଞ୍ଚିବା ପରେ ମହତ୍ସୋବ ପଡ଼ିଆରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ହଜାର ହଜାର ଲୋକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।

ମଙ୍ଗଳବାର ଗଲଓ୍ଵାନା ଘାଟି ନିକଟରେ ଚୀନ୍‌ ସେନା ଭାରତକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ଭାରତୀୟ ସେନା ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏଥିରେ ଭାରତ ପକ୍ଷରୁ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୩ ଜଣ ସେନା ପ୍ରାଣ ହରାଇଥିଲେ।

LEAVE A REPLY

Please enter your comment!
Please enter your name here