ଡକ୍ଟର ଭାଗ୍ୟଲିପି ମଲ୍ଲ

ଭଗବାନ ଦିନେ ନାରଦଙ୍କୁ କହିଥିଲେ “ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେନଚ ମଦ୍‌ଭକ୍ତାଃ ଯତ୍ର ଗାୟନ୍ତେ ତତ୍ର ତିଷ୍ଠାମି ନାରଦ।” ଅର୍ଥାତ୍ ନା ସେ ବୈକୁଣ୍ଠରେ ରୁହନ୍ତି, ନା ଯୋଗୀର ହୃଦୟରେ। ମାତ୍ର ତାଙ୍କର ଭକ୍ତ ଯେଉଁଠି ତାଙ୍କୁ ଖୋଜନ୍ତି, ସେ ସେଇଠି ହିଁ ରୁହନ୍ତି। ଏହି ତତ୍ତ୍ୱ ଯେତିକି ରହସ୍ୟମୟ ସେତିକି ଭାବୋଦ୍ଦୀପକ। କାରଣ ତାଙ୍କ ରହସ୍ୟ କାହାକୁ ବା ଜଣା? ଯେଉଁଠି ଦେବତା ମଧ୍ୟ ତାଙ୍କ ରହସ୍ୟକୁ ଜାଣିବାକୁ ସମର୍ଥ ହୋଇ ନାହାନ୍ତି, ସେଠାରେ ମଣିଷ କି ବା ଛାର!

ତେଣୁ କୁହାଯାଏ, ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବା ନ ଜାନନ୍ତି କୁତୋ ମନୁଷ୍ୟଃ। ସେ ରହସ୍ୟମୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଆଉ ଏକ ରହସ୍ୟର ପାଖୁଡ଼ା ଖୋଲି ଦେଇଛନ୍ତି ଚଳିତ ବର୍ଷ। ଘୋଷଯାତ୍ରାର ପୂର୍ବ ଦିନ ପର୍ଯ୍ୟନ୍ତ ବି ସ୍ଥିର ହୋଇ ପାରୁନି ନନ୍ଦିଘୋଷ ବଡ଼ଦାଣ୍ଡରେ ଗଡ଼ିବ କି ନାହିଁ।

ମାତ୍ର ମୁହୂର୍ତ୍ତକରେ ସବୁକିଛି ଓଲଟପାଲଟ। କିଏ ଜାଣିଥିଲା, ଲୀଳାମୟଙ୍କର ଏ ଅପୂର୍ବ ଲୀଳା; କିଏ ଜାଣିଥିଲା ଶେଷ ମୁହୂର୍ତ୍ତର ଶେଷ ନିଷ୍ପତ୍ତି। ମହାପ୍ରଭୁଙ୍କର ଘୋଷ ଯାତ୍ରାର ନିଷ୍ପତ୍ତି। ଶିଙ୍ଘଦ୍ୱାର ସମ୍ମୁଖରେ ଏବେ ଅପୂର୍ବ ତିନିରଥ। ରଥର ଶୋଭାରେ ଝଲସି ଉଠୁଛି ଚତୁର୍ଦ୍ଦିଗ। ବଡ଼ଦାଣ୍ଡରେ ସମ୍ମୋହନର ସ୍ପର୍ଶ। ବିମର୍ଷ ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କର କନକ ସ୍ପର୍ଶରେ ଦିଶୁଛି ବୈଭବମୟ। ଶ୍ରୀକ୍ଷେତ୍ରର ଆକାଶରେ ଅପୂର୍ବ ଉନ୍ମାଦନା। ଶୁଭଙ୍କର ଅନୁକୂଳ ପବନରେ ବଡ଼ଦାଣ୍ଡ ପୁଲକିତ।

ସକଳ ପ୍ରାଣରେ ଉତ୍କଣ୍ଠା। ହୃଦୟ ଭାବତରଙ୍ଗର ତନ୍ମୟରେ ରୋମାଞ୍ଚିତ। ବଡ଼ଦାଣ୍ଡର ବାଲିକଣାରେ ଅଖଣ୍ଡ ଆଶିଷର ସମ୍ମୋହିତ ସ୍ପର୍ଶ। ଜଳ, ସ୍ଥଳ, ଆକାଶରେ ପାବକତାର ଅମୃତ ଅନୁଭବ, ମେଘଖଣ୍ଡରେ ପରିପୂର୍ଣ୍ଣ ସମର୍ପଣର ପ୍ରତୀତି, ମହୋଦଧିରେ ଆନତ ଅତିନ୍ଦ୍ରିୟତାର ମାଦକତା, ପବନରେ ବିଶ୍ୱପ୍ରୀତିର ଉଦ୍‌ଘୋଷଣା। ସବୁଠି ରୋମାଞ୍ଚ, ସବୁଠି ଉଦ୍‌ବେଗ। ପ୍ରଭୁ ଅବତୀର୍ଣ୍ଣ ହେବେ ମର୍ତ୍ତ୍ୟରେ-ଅମର୍ତ୍ତ୍ୟର ଲାବଣ୍ୟ ବିଞ୍ଚିଦେବା ଲାଗି। ସକଳ ମନରେ ସେଇ ଗୋଟିଏ ପ୍ରଶ୍ନ – ଏ ରହସ୍ୟ ତୁମର କାହିଁକି ପ୍ରଭୁ!

କୋଟି ବ୍ରହ୍ମାଣ୍ଡର ପତି, କୋଟି ଓଡ଼ିଆଙ୍କ ମଉଡ଼ମଣି, ସବୁ ରହସ୍ୟର ରହସ୍ୟ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ପଲକହୀନ ଚକ୍ଷୁରେ ଚାହିଁ ରହିଛନ୍ତି ସକଳ ପ୍ରଣତ ଆତ୍ମା। ଅଗଣିତ ବ୍ୟାକୁଳିତ ଭକ୍ତ ବଡ଼ଦାଣ୍ଡରେ ନନ୍ଦିଘୋଷର ଘୋର ଘର୍ଘର ନାଦ ଶୁଣିବାକୁ ବ୍ୟାକୁଳ ହୋଇ ଉଠିଛନ୍ତି। ଆମକୁ ରଥ ଉପରେ ଚର୍ମଚକ୍ଷୁରେ ଦର୍ଶନ ନଦିଅ ନାହିଁ ପଛେ, ବଡ଼ଦାଣ୍ଡରେ ତୁମ ନନ୍ଦିଘୋଷ ଗଡ଼ିଯାଉ। ଭକ୍ତର ଆବେଗରେ ଅଧିର ଭଗବାନ ଯେମିତି ନିରବରେ କହୁଛନ୍ତି- ମୋର ହୃଦୟ ଭକ୍ତଜନ, ମୁହିଁ ଯେ ତାହାଙ୍କ ଜୀବନ।

ଏବେ ଆଲୋଚନାର ପ୍ରସଙ୍ଗକୁ ଆସିବା। ପ୍ରତ୍ୟେକ ଓଡ଼ିଆର ବିଶ୍ୱାସ, ଶ୍ରୀଜଗନ୍ନାଥ ହିଁ ଶ୍ରୀକୃଷ୍ଣଙ୍କର ରୂପାନ୍ତରଣ। ଏହି ରୂପାନ୍ତରଣ ପ୍ରସଙ୍ଗ କେତେକେତେ ଭାବରେ ରୂପ ନେଇଛି, ତାହାହିଁ ଗୁରୁତ୍ୱପୂର୍ଣ୍ଣ। ତାହାହିଁ ଆଲୋଚନାର ପ୍ରସଙ୍ଗ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ରହସ୍ୟ ଲୀଳାରୁ ମନେ ପଡ଼େ ସେଦିନର କଥା। ସେଦିନ ଥିଲା ଏକ ଅଭାବିତ ମୁହୂର୍ତ୍ତ। ଯେଉଁଦିନ ଜାରାଶବରର ଶରାଘାତରେ ତାଙ୍କ ପଦ୍ମପାଦରେ ଆଘାତ ଲାଗିଥିଲା। ମହାଭାରତ ଯୁଦ୍ଧ ଶେଷ ହେବାର ପ୍ରାୟ ଛତିଶ ବର୍ଷ ପରର କଥା। ହସ୍ତିନାପୁରର ଚାରିଆଡ଼େ ଅଶୁଭ ସଙ୍କେତ। କୁଆଡ଼ୁ ମାଡ଼ି ଆସିଲା ନାହିଁ ନ ଥିବା ଘନଘୋର ପବନ। ଆକାଶରୁ ଘନଘନ ପଥର ବର୍ଷା। ପକ୍ଷୀମାନଙ୍କର କିଚିରିମିଚିରି ରାବ। ଅସମୟରେ ଘନକୁହୁଡ଼ି। ନଈମାନେ ଦିଗହରା। ଦିନ ଓ ରାତି ଉଦାସ। ରାସ୍ତା ସାରା ମୂଷାଗାତ ଓ ଭଙ୍ଗା ମାଠିଆ। ପେଚାମାନଙ୍କର ବିକଟାଳ ରାବ। ଛେଳିମାନେ ବିଲୁଆ ପରି ରଡ଼ି କରୁଛନ୍ତି। ଗାଈ ପେଟରୁ ଗଧ, ହାତୀ ପେଟରୁ ମାଙ୍କଡ଼ ଜନ୍ମ ନେଉଛି। ରନ୍ଧା ଅନ୍ନରୁ ପୋକ। ଆକାଶରେ ତାରାମାନେ ପରସ୍ପର ସହ ଧକ୍କା ଖାଉଛନ୍ତି। ଉଦୟ ଅଥବା ଅସ୍ତକାଳୀନ ସୂର୍ଯ୍ୟ ଚାରିପାଖରେ ଯେପରି କବନ୍ଧ ଘେରି ରହିଛି। ପଞ୍ଚଜନ୍ୟ ଶୁଭୁଛି ଗଧରଡ଼ି ପରି। ଏହି ଅଶୁଭ ସଙ୍କେତର କାରଣ ଜାଣିବାକୁ ଚାହିଁଛନ୍ତି ଯୁଧିଷ୍ଠିର ଏବଂ ଜାଣିଛନ୍ତି ଏହା ଯାଦବକୁଳ ନାଶର ସଙ୍କେତ ମାତ୍ର।

ଏହି ସକଳ ବିପାକ ଦେଖି କୃଷ୍ଣ ଜାଣି ସାରିଥିଲେ ଏବେ ଚରମ ବିପର୍ଯ୍ୟୟର କାଳ ଉପନୀତ। ଛତିଶ ବର୍ଷ ପୂର୍ବେ (ମହାଭାରତ ଯୁଦ୍ଧ ଶେଷ ପରେ) ଗାନ୍ଧାରୀ ଦେଇଥିବା ଅଭିଶାପର କଥା ତାଙ୍କର ମନେ ପଡ଼ିଗଲା। ଗାନ୍ଧାରୀ କହିଥିଲେ – ମୋ’ ପରି ତୋତେ ଦିନେ ବଂଶହୀନ ହେବାକୁ ପଡ଼ିବ।

ତାହାହିଁ ଘଟିଲା। ନିଜନିଜ ଅସ୍ତ୍ରର ଆଘାତରେ ସମସ୍ତ ଯାଦବ ମରଣପଥର ଯାତ୍ରୀ ହୋଇଛନ୍ତି। କୃଷ୍ଣ, ଦାରୁକଙ୍କ ସହ ଆସିଛନ୍ତି ବଳରାମଙ୍କ ପାଖକୁ। ଏକ ଗଛମୂଳେ ଧ୍ୟାନମଗ୍ନ ବଳରାମ। ତାଙ୍କ ପାଟିରୁ ସହସ୍ର ଫଣା ବିଶିଷ୍ଟ ଧଳା ରଙ୍ଗର ମହାନାଗ ଆର୍ବିଭୂତ ହୋଇ ମହାସମୁଦ୍ରରେ ଲୀନ ହୋଇଯାଇଛି। ନାଗମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ଏବେ ଅସହାୟ କୃଷ୍ଣ ଏକା। ଗାନ୍ଧାରୀଙ୍କ ଅଭିଶାପ ମନେ ପଡ଼ିଛି। ଯୋଗ ମୁଦ୍ରାରେ ବସିଛନ୍ତି। ମୃଗ ଶିକାର ଖୋଜୁଥିବା ଜାରାଶବରର ଶର ତାଙ୍କ ପାଦକୁ ବିଦ୍ଧ କରିଛି।

ଜାରା ଶିକାର ପାଖକୁ ଯାଇଛି। ଦେଖିଛି, ହଳଦୀ ରଙ୍ଗର ଲୁଗାପିନ୍ଧିଥିବା ଜଣେ ସହସ୍ର ହାତ ବିଶିଷ୍ଟ ଧ୍ୟାନସ୍ଥ ମଣିଷକୁ। ପାଦତଳୁ ପୃଥିବୀ ଖସିପଡ଼ିଛି, ମୁଣ୍ଡ ଉପରେ ଆକାଶ ଛିଡ଼ି ପଡ଼ିଛି। ହତବାକ ଜାରା। ଅବିଚଳିତ ପାଦ, ଅପଲକ ଆଖି। ପାପବୋଧରେ ଜର୍ଜରୀତ ଜାରା ସେଇ ପରମ କାରଣିକଙ୍କ ପାଦଛୁଇଁ ପ୍ରଣାମ କରିଛି। କୃଷ୍ଣ ଓ ବଳରାମଙ୍କ ପିଣ୍ଡକୁ ଦାହ କରିଛନ୍ତି ଅର୍ଜୁନ। କୃଷ୍ଣ ଏବେ ବାହୁଡ଼ି ଯାଇଛନ୍ତି ନିଜ ଘରକୁ। ସ୍ୱର୍ଗରେ ଆନନ୍ଦର ତରଙ୍ଗ। ଉଲ୍ଲସିତ ସକଳ ଦେବଗଣ। ପୁଲକିତ ଦେବତା, ଋଷି, ଗନ୍ଧର୍ବ, କିନ୍ନର – ସକଳ ଜଡ଼ଚେତନ। ଏହା ବ୍ୟାସକୃତ ମହାଭାରତର ବ୍ୟାଖ୍ୟାନ।

ମାତ୍ର ଆମ ସାରଳା ଦାସ ଘଟଣା ପ୍ରବାହକୁ ଭିନ୍ନ ମୋଡ଼ ଦେଇଛନ୍ତି। ସେ କହିବାକୁ ଚାହିଁଛନ୍ତି, ଶ୍ରୀଜଗନ୍ନାଥ ହିଁ ଶ୍ରୀକୃଷ୍ଣଙ୍କର ରୂପାନ୍ତରଣ, ଏକ ପ୍ରକ୍ରିୟା। ମହାଭାରତର ଏହି ଅଂଶକୁ ଆଧାର କରି ଶ୍ରୀଜଗନ୍ନାଥ ମୂର୍ତ୍ତି ଗଢଣ ଓ ଉପାସନାର ଇତିହାସ ନିର୍ମାଣ କରାଯାଇଛି।

ମାତ୍ର ସାରଳା ମହାଭାରତର ପ୍ରସଙ୍ଗ ଅଲଗା। ସାରଳାଙ୍କ କୃଷ୍ଣଙ୍କୁ ଦ୍ୱାରକାର କାଳ କବଳିତ କରି ପାରିନାହିଁ। ସେ କୃଷ୍ଣଙ୍କୁ ଦ୍ୱାରକାର ବିପରୀତ ଖଣ୍ଡ ଉଡ୍ରଦେଶକୁ ନେଇ ଆସିଛନ୍ତି। ସେଇଠି ଅଛି ସମୁଦ୍ରକୂଳ, ପାଖକୁ ଲାଗି ରହିଛି କାଳେବର ପର୍ବତ, ପର୍ବତ ପାଖରେ କାଳେବର ବନ, ବନକୁ ଲାଗିଛି କାଳେନ୍ଦୀ ନଈ। କାଳେବର ଲତାର ଦୋଳିରେ ଝୁଲୁଛନ୍ତି କୃଷ୍ଣ (ଶିଆଳୀ ଲତା ନୁହେଁ)। ମୃଗକାନର ଭ୍ରମରେ ଜାରା ଶବରର ଶର ବିଦ୍ଧ କରିଛି ତାଙ୍କ ପଦ୍ମପାଦକୁ। ପାଖକୁ ଆସି ଦେଖିଛି ସେ ମୃଗ ନୁହେଁ, କୃଷ୍ଣ  ଆଶ୍ଚର୍ଯ୍ୟ ଚକିତ ଜାରାର ଆଖିରୁ ଝରି ଯାଉଛି ଧାରଧାର ଲୁହ।

କୃଷ୍ଣ ଆଶ୍ୱାସନା ଦେଇଛନ୍ତି। କହିଛନ୍ତି ଏହା ବିଧି ନିର୍ଦ୍ଦିଷ୍ଟ। ନିର୍ଦ୍ଦେଶ ଦେଇଛନ୍ତି ଜାରାକୁ, ସଖା ଅର୍ଜୁନକୁ ଇନ୍ଦ୍ରପ୍ରସ୍ଥରୁ ଡାକି ଆଣିବାକୁ। ଜାରା ସହିତ ଅର୍ଜୁନ କୃଷ୍ଣଙ୍କ ପାଖକୁ ଆସିଛି। ଯୁଧିଷ୍ଠିରଙ୍କ ବାରଣରେ ଅର୍ଜୁନ, କୃଷ୍ଣଙ୍କ ଅଙ୍ଗ ସ୍ପର୍ଶ କରି ନାହାନ୍ତି। ମାତ୍ର ଚତୁର କୃଷ୍ଣଙ୍କ ଅନୁରୋଧରେ, ତାଙ୍କ ଗାଣ୍ଡିବଧନୁ ସ୍ପର୍ଶ କରି ଦେହ ତ୍ୟାଗ କରିଛନ୍ତି। ଧନୁର ସ୍ପର୍ଶରେ ଅର୍ଜୁନଙ୍କର ସମସ୍ତ କଳା ହରଣ ହୋଇଛି। ଜାରା ଓ ଅର୍ଜୁନ କୃଷ୍ଣଙ୍କ ମୃତପିଣ୍ଡକୁ ଦାହ କରିଛନ୍ତି। ମାତ୍ର ପିଣ୍ଡ ପୋଡ଼ୁ ନାହିଁ। ଶୂନ୍ୟବାଣୀ ହୋଇଛି – “ପିଣ୍ଡ ସ୍ୱୟଂ ବ୍ରହ୍ମ, ପୋଡ଼ିବନି। ସମୁଦ୍ରରେ ମେଲିଦିଅ। ଜାରା ତାକୁ ସୁରକ୍ଷା ଦେବ। ସେ ପୁଣି କଳିଯୁଗରେ ଉଦେ ହେବେ। ତିନିଲକ୍ଷ ଷାଠିଏ ସହସ୍ର ବର୍ଷ କଳିରେ ଭୋଗ କରିବେ।”

ସେ କଳିଯୁଗରେ କିପରି ଦାରୁ ରୂପରେ ଶ୍ରୀଜଗନ୍ନାଥ ହୋଇ ଉଦେ ହୋଇଛନ୍ତି ଏବଂ ଏହି ପ୍ରସଙ୍ଗରେ କେତେ କଥା, କେତେ କାହାଣୀ, କେତେ କିମ୍ବଦନ୍ତୀ ଧିରେଧିରେ ଯୋଡ଼ି ହୋଇଯାଇଛି, ତାହାହିଁ ଗୁରୁତ୍ୱପୂର୍ଣ୍ଣ।

Comment