ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭକ୍ତଶୂନ୍ୟ ରଥଯାତ୍ରା ପରେ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।

“କରୋନାକୁ ନେଇ ରଥଯାତ୍ରା ଉପରେ ଯାହାବି ପ୍ରଭାବ ପଡ଼ିଛି, ଏହା ହେଉଛି ମହାପ୍ରଭୁଙ୍କ ଆମ ସମସ୍ତଙ୍କ ପାଇଁ ପରୀକ୍ଷା। ମହାପ୍ରଭୁ ମଝିରେ ମଝିରେ ଏମିତି ଭକ୍ତମାନଙ୍କ ପରୀକ୍ଷା ନିଅନ୍ତି। ମହାପ୍ରଭୁ ପରୀକ୍ଷା ନେଉଛନ୍ତି ଯେ ଭକ୍ତମାନେ ତାଙ୍କୁ ସତରେ ଚାହୁଁଛନ୍ତି ନା ନାହିଁ। ଏହିଭଳି ପରୀକ୍ଷା ନିଳାଦ୍ରୀ ବିଜେ ଯାଏଁ ଚାଲିବ” ଭକ୍ତଶୂନ୍ୟ ରଥଯାତ୍ରା ପରେ ଏଭଳି ପ୍ରତିକ୍ରିୟ ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଗଜପତି ଆହୁରି ମଧ୍ୟ କହିଛନ୍ତି ଯେ, ଗଜପତି ଭାବେ ଏଭଳି ଅନୁଭୂତି ମୋର ପ୍ରଥମ। ଏହା ଏକ ଐତିହାସିକ ଘଟଣା। ଛେରାପହଁରା ଅନୁଭୂତି ମୋ ପାଇଁ ଅବର୍ଣ୍ଣନୀୟ ରହିଥିଲା। ଭଗବାନଙ୍କୁ ପ୍ରାର୍ଥନା ଏହି ସବୁ ବିପଦ ଶୀଘ୍ର ଟଳି ଯାଉ। ଭକ୍ତମାନଙ୍କୁ ଅନୁରୋଧ ବଡ଼ଦାଣ୍ଡକୁ ନ ଆସି ଟିଭିରେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ।

ଭକ୍ତମାନଙ୍କ ମନରେ ଯେମିତି ଆଘାତ ଲାଗିଛି ସେମିତି ଗଜପତିଙ୍କ ମନରେ ମଧ୍ୟ ଆଘାତ ଲାଗିଛି। ବଡ଼ଦାଣ୍ଡରେ ଏଥର ରଥଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଏଥର ଟିଭି ମାଧ୍ୟମରେ ସାରା ଜଗତକୁ ଦର୍ଶନ ଦେଇଛନ୍ତି ବୋଲି ଗଜପତି ମହାରାଜା କହିଛନ୍ତି।

ଚଳିତ ବର୍ଷ କୋଭିଡ କଟକଣାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ବିନା ଭକ୍ତରେ ବଡ଼ଦାଣ୍ଡରେ ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ଚଳିତ ବର୍ଷ ସେବାୟତଙ୍କ ଦ୍ଵାରା ରଥ ଟଣା ଯାଇଥିଲା।

Comment