ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କଂଗ୍ରେସରେ ପୁଣି କନ୍ଦଳ। ଗତ କିଛି ଦିନର ନୀରବତା ପରେ ଆଜି କନ୍ଦଳ ତେଜିଥିଲା। ଆଜିର କନ୍ଦଳ ପିସିସି ସଭାପତିଙ୍କୁ ନେଇ ନୁହେଁ, ନୂଆ ଯୁବ କଂଗ୍ରେସ ସଭାପତିଙ୍କୁ ନେଇ। ନିକଟରେ ଏଆଇସିସି ପକ୍ଷରୁ ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଆଜି ସ୍ମୃତିରଞ୍ଜନ ବିଧିବଦ୍ଧ ଭାବେ ଦାୟିତ୍ୱ ନେବା ପାଇଁ କଂଗ୍ରେସ ଭବନକୁ ଆସିବା ପୂର୍ବରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ସ୍ମୃତିରଞ୍ଜନଙ୍କୁ ବିରୋଧ କରି ଆଜି ବିରୋଧୀ ଗୋଷ୍ଠୀ କଂଗ୍ରେସ ଭବନ ଗେଟ୍‌ରେ ତାଲା ପକାଇଥିଲେ। ସ୍ମୃତିରଞ୍ଜନ ଗୋ ବ୍ୟାକ୍‌ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ଗ୍ରହଣ କରିନଥିଲେ ସ୍ମୃତିରଞ୍ଜନଙ୍କ ଗୋଷ୍ଠୀ। କଂଗ୍ରେସଭବନ ଗେଟ୍‌ ଭାଙ୍ଗି ଭିତରେ ପଶିଥିଲେ। ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଦୁଇ ଗୋଷ୍ଠୀର ପିଲାଙ୍କୁ ବୁଝାସୁଝା କରିଥିଲେ। ହେଲେ ପରିସ୍ଥିତି ନିୟନ୍ତ୍ରଣ ହରାଇବାରୁ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିଲା। ଏହି ହାତାହାତି ଭିତରେ ସ୍ମୃତିରଞ୍ଜନ ଲେଙ୍କା ନୂଆ ଦାୟିତ୍ୱ ଗ୍ରହଣ କରିଥିଲେ।

‘‘ଏହି ଘଟଣା ପଛରେ ପିସିସି ସଭାପତିଙ୍କ ହାତ ରହିଛି। ଲୋକଙ୍କୁ ପଠାଇ ସେ ନୂଆ ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରୁଛନ୍ତି। ତାଙ୍କୁ ପିସିସି ସଭାପତି ଗାଦିରୁ ହଟାଇବା ଦରକାର’’, କହିଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ।

କଂଗ୍ରେସରେ କନ୍ଦଳ କିଛି ନୂଆ କଥା ନୁହେଁ। ସାଧାରଣ ନିର୍ବାଚନ ଶେଷ ହେବା ପରେ ପିସିସି ସଭାପତିଙ୍କୁ ହଟାଇବା ପାଇଁ ପାଲା ଚାଲିଥିଲା। ଗତ କିଛିଦିନ ତଳେ ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶ ଭୁବନେଶ୍ୱର ଆସିଥିବା ବେଳେ କିଛି ନେତା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ବିଭିନ୍ନ ଗୋଷ୍ଠୀ ଭିତରେ ହାତାହାତି ହୋଇଥିଲା।

Comment