ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ରଥରେ ରଥାରୁଢ଼ ହୋଇଛନ୍ତି ତିନି ଠାକୁର। ରଥରେ ବସି ମାଉସୀ ଘର ଯିବେ ମହାବାହୁ। ତିନି ଠାକୁରଙ୍କ ପାଇଁ ବେଶ ସୁନ୍ଦର ଭାବେ ସଜା ହୋଇଛନ୍ତି ତିନି ରଥ। ଆପଣ ଜାଣିଛନ୍ତି କି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ୩ଟି ରଥରେ କେତେ ରଙ୍ଗର ନେତ ଲାଗିଥାଏ। କେଉଁ ରଥରେ ଲାଗିଥିବା ନେତର ନାଁ କ’ଣ?

ଚତୁର୍ଦ୍ଧା ବିଗ୍ରହଙ୍କ ରଥ ବାସ୍ତବିକ ବେଶ୍ ଆକର୍ଷଣୀୟ। ପ୍ରତ୍ୟେକ ରଥ ଉପରେ ଲାଗିଥାଏ ନେତ ବା ଧ୍ୱଜା। ଆଉ ୫ ପ୍ରକାର ରଙ୍ଗରେ ରଙ୍ଗାୟିତ ଏହି ନେତ ରଥଗୁଡ଼ିକ ଉପରେ ଫର୍‌ ଫର୍ ହୋଇ ଉଡିଥାଏ।

ରଥରେ ଲାଗୁଥିବା ୫ ରଙ୍ଗର ନେତ ବା ଧ୍ୱଜା ମଧ୍ୟରୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଲାଗୁଥିବା ନେତର ନାମ ଉନ୍ନନୀ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ନେତର ନାମ ତ୍ରୈଲୋକ୍ୟମୋହିନୀ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନେତର ନାମ ହେଉଛି ନାଦାମ୍ବିକା।

ରଥଯାତ୍ରା ଦିନଠାରୁ ଠାକୁରମାନେ ରଥରୁ ଓହ୍ଲାଇ ଗୁଣ୍ଡିଚା ଘରେ ଥିବା ପର୍ଯ୍ୟନ୍ତ ତିନି ରଥରେ ପ୍ରତିଦିନ ନେତ ପୂଜା କରାଯାଇଥାଏ। ମଧ୍ୟାହ୍ନ ଧୂପରେ ପୂଜାପଣ୍ଡାଙ୍କ ଦ୍ୱାରା ଶୁଖିଲା ଭୋଗ କରାଯାଏ। ଗୁଣ୍ଡିଚା ଘରେ ଅନ୍ନଭୋଗ ହେଉଥିବା ଦିନମାନଙ୍କରେ ଓଳିଏ ଅନ୍ନ ନେତ ପୂଜାରେ ଲାଗିହୁଏ।

ନେତଗୁଡ଼ିକ ୫ଟି ପୃଥକ୍ ବର୍ଣ୍ଣର କନାରେ ନିର୍ମିତ ହୋଇଥାଏ। ତେଣୁ ଏହାକୁ ପଞ୍ଚକେତନ କୁହାଯାଏ। ଶ୍ରୀଜଗନ୍ନାଥ ମହାପ୍ରଭୁ ସର୍ବଧର୍ମ ସମନ୍ୱୟର ଦେବତା। ତେଣୁ ସେ ଗାଣପତ୍ୟ ସମ୍ପ୍ରଦାୟ, ବୈଷ୍ଣବ ସମ୍ପ୍ରଦାୟ, ଶୈବ ସମ୍ପ୍ରଦାୟ, ଶାକ୍ତ ସମ୍ପ୍ରଦାୟ ଓ ସୌର ସମ୍ପ୍ରଦାୟ ସମସ୍ତଙ୍କର ଆରାଧ୍ୟ ଦେବତା। ଏହି ପଞ୍ଚକେତନ ମାଧ୍ୟମରେ ମହାପ୍ରଭୁ ଜଗତର ସମସ୍ତ ଭକ୍ତଙ୍କୁ ଆପଣାର କରିନେଇ ଏହି ସନ୍ଦେଶ ଦେଉଛନ୍ତି ଯେ, ଯିଏ ତାଙ୍କୁ ଆଶ୍ରୟ କରିବ ସେ ତାଙ୍କର ସବୁ ମନବାଞ୍ଛା ପୂର୍ଣ୍ଣ କରିବେ। ଚତୁର୍ଦ୍ଧା ବିଗ୍ରହ ହେଉଛନ୍ତି ପଞ୍ଚଦେବ (ଗଣେଶ, ନାରାୟଣ, ଶିବ, ଦୁର୍ଗା ଓ ସୂର୍ଯ୍ୟ)ଙ୍କ ପ୍ରତୀକ।

ଶାସ୍ତ୍ରରେ କୁହାଯାଇଛି, ‘ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନଂ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ’। ଚତୁର୍ଦ୍ଧା ବିଗ୍ରହ ହେଉଛନ୍ତି ଏକାଧାରରେ ଗଣେଶ, ନାରାୟଣ, ଶିବ, ଦୁର୍ଗା ଓ ସୂର୍ଯ୍ୟଙ୍କ ପ୍ରତୀକ। ଏହା ଭିତରେ କୌଣସି ଭିନ୍ନତା ନାହିଁ। ଅନୁମାନ କରାଯାଏ, ଏହି ତତ୍ତ୍ୱକୁ ଆଧାର କରି ତିନିଗୋଟି ରଥରେ ପଞ୍ଚବର୍ଣ୍ଣର ପତାକା ଲାଗିଥାଏ। ଏହି ରଙ୍ଗଗୁଡ଼ିକ ହେଲା କଳା, ଧଳା, ନାଲି, ହଳଦିଆ ଓ ନୀଳ। ଏହି ନେତ ତିନିରଥର କଳସ ଉପରେ ଥିବା ଚକ୍ରରେ ଲାଗିଥାଏ। ବଳଭଦ୍ରଙ୍କ ରଥର ଚକ୍ରର ନାମ ହେଉଛି କାଳସଂହାର। ନନ୍ଦିଘୋଷ ଚକ୍ରର ନାମ ସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କ ଚକ୍ରର ନାମ ଦୀପ୍ତ।

Comment