ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛିଦିନ ତଳେ ମାର୍ଶାଘାଇ ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଅସୁସ୍ଥ ପ୍ରବାସୀଙ୍କୁ କଟକ ଚିକିତ୍ସା ପାଇଁ ପଠାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ପୁଣି ସେମିତି ଡେରାବିଶ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ପ୍ରବାସୀଙ୍କୁ କଟକ ଚିକିତ୍ସା ପାଇଁ ପଠାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ତାଙ୍କ ଘରୁ ନେଇଆସି ପ୍ରଶାସନ ଶେଷକୃତ୍ୟ ସମ୍ପନ୍ନ କରିଛି।

ପ୍ରବାସୀ ଜଣକ ରାଜକନିକା ବ୍ଲକ ପାରିନୂଆପଡା ପଞ୍ଚାୟତ ବନ୍ଧପଡା ଗାଁର ଚିନ୍ତାମଣି ସାହୁ। ଚିନ୍ତାମଣିଙ୍କ ବୟସ ୭୦ରୁ ଅଧିକ ହେବ। ସେ କଲିକତାରେ ଏକ ଘରୋଇ କାର୍ ଚଳାଉଥିଲେ। ୫ ଦିନ ହେବ ସେ କଲିକତାରୁ ଫେରିଥିଲେ। ତାଙ୍କୁ ଜିଲ୍ଲା ପ୍ରଶାସନ ଡେରାବିଶ ବ୍ଲକ ଠାକୁରହାଟ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ। ତାଙ୍କର ହାର୍ଣ୍ଣିଆ ଥିଲା। ହାର୍ଣ୍ଣିଆ ବିନ୍ଧା ଛିଟିକା ହେବାରୁ ସେ ଅସୁସ୍ଥ ହୋଇପଡିଥିଲେ। ଜିଲ୍ଲା ପ୍ରଶାସନ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ କଟକ ପଠାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଚିନ୍ତାମଣିଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ତାଙ୍କ ପରିବାର ତାଙ୍କ ନିଜ ଗାଁ ରାଜକନିକା ବ୍ଲକର ବନ୍ଧପଡାକୁ ନେଇଯାଇଥିଲେ। କୋଭିଡ ନିୟମ ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମୃତଦେହ ଦିଆ ନଯାଇ ଜିଲ୍ଲା ପ୍ରଶାସନ ତାଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟ କରିଥାନ୍ତି। ଏଣୁ ରାଜକନିକା ବ୍ଲକର ବନ୍ଧପଡା ଗାଁରେ ଚିନ୍ତାମଣିଙ୍କ ଅନ୍ତିମ ସଂସ୍କାର କରିବାକୁ ତାଙ୍କ ପରିବାର ପ୍ରସ୍ତୁତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ଏକ ପ୍ରତିଧିଦଳ ପୋଲିସ ଫୋର୍ସ ଧରି ପହଞ୍ଚି  ଚିନ୍ତାମଣିଙ୍କ ମୃତଦେହକୁ କେନ୍ଦ୍ରାପଡା ସହରକୁ ନେଇ ଆସିଥିଲେ। ସହରର କଜଳା ଶ୍ମଶାନରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତାଙ୍କର ଅନ୍ତିମ ସଂସ୍କାର କରିଛି।

କଟକ ବଡ ଡାକ୍ତରଖାନାରେ ଚିନ୍ତାମଣିଙ୍କର କୋଭିଡ ପରୀକ୍ଷା କରାଯାଇଛି। ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Comment