ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ବାହୁଡ଼ା ଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ସୁରକ୍ଷା ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଆଜି ରାତି ୧୦ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହେବ। ଏନେଇ ପୋଲିସ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସେହିପରି ଆଜି ରାତି ୧୦ଟାରୁ ୨ ତାରିଖ ରାତି ୧୦ଟା ଯାଏଁ ବଡ଼ଦାଣ୍ଡରେ କର୍ଫ୍ୟୁ ଜାରି ରହିବ। ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ମଧ୍ୟ ଶୃଙ୍ଖଳିତ ଭାବେ କରିବାକୁ ଜିଲ୍ଲା ପ୍ରାଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପକ୍ଷରୁ ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି।

ଜୁଲାଇ ୧ ତାରିଖ ଦିନ ସକାଳ ୮ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ସକାଳ ୮ ଟାରୁ ୧୦ଟା ଭିତରେ ମହାପ୍ରଭୁ ଆସି ରଥ ଉପରେ ବିଜେ କରିବେ। ଏହାପରେ ସକାଳ ସାଢ଼େ ୧୦ରୁ ସାଢ଼େ ୧୧ଟା ଭିତରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ରଥ ଉପରେ ଛେରାପହଁରା କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏଥିସହିତ ଗଜପତି ମହାରାଜା ଛେରାପହଁରା କରିବା ପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

ଚଳିତ ବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ତେଣୁ ବିନା ଭକ୍ତରେ କେବଳ ସେବାୟତମାନଙ୍କୁ ନେଇ ଏଥର ରଥଯାତ୍ରା ଆୟୋଜନ କରାଯାଉଛି।

Comment