ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼: ବହୁ ଚର୍ଚ୍ଚିତ ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି ମାମଲାର ଶୁଣାଣି ଆଜି ନୟାଗଡ଼ ଫାଷ୍ଟଟ୍ରାକ୍ କୋର୍ଟରେ ହୋଇଥିଲା। କଟକ ମଙ୍ଗଳାବାଗ ଥାନା ବାସୁଳି ସାହିର ସୁନା ଅଳଙ୍କାର ବ୍ୟବସାୟୀ ବାବୁଲି ଓରଫ ଅଶୋକ ମହାରଣାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ବିଚାରପତି ଚିତ୍ତରଂଜନ ଆସାମୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଆର୍ଥିକ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୩ ମସିହା ଡିସେମ୍ବର ମାସରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଶାଖାରେ ସଶସ୍ତ୍ର ଡକାୟତି ହୋଇଥିଲା। ବୋମା ଓ ବନ୍ଧୁକ ଫୁଟାଇ ଡକାୟତ ଦଳ ନଗଦ ଟଙ୍କା ସମେତ ୧୨ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଥିଲେ। ଆଖପାଖ ଅଞ୍ଚଳ ଗ୍ରାହକମାନଙ୍କର ଏହି ବିପୁଳ ପରିମାଣର ବନ୍ଧକ ସୁନା ଲୁଟ ହୋଇଥିଲା। ଏହି ମାମଲାରେ ପୂର୍ବରୁ ୨ ଜଣ ଆସାମୀଙ୍କୁ କଡା ସଜା ମିଳିଛି।

ଆଜି ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଚିତ୍ତରଂଜନ ମିଶ୍ର ମାମଲାର ଶୁଣାଣି କରିଥିଲେ। ଆସାମୀ ଅଶୋକ ମହାରଣା ଡକାୟତି ଦଳ ଦ୍ୱାରା ଲୁଟ ସୁନା ଅଳଙ୍କାର କିଣାବିକାରେ ପ୍ରତ୍ୟେକ୍ଷ ଭାବେ ସହଯୋଗ କରିଥିବା ପ୍ରମାଣ ରହିଥିଲା। ସେଥିଲାଗି ତାଙ୍କ ବିରୋଧରେ ଆଇନଗତ ଦଣ୍ଡ ବିଧାନ ପାଇଁ ଆଡିସନାଲ ପବ୍ଲିକ୍ ପ୍ରୋସିକ୍ୟୁଟର ଅମିୟ ପଟ୍ଟନାୟକ ଦୃଢ଼ ଯୁକ୍ତ ଉପସ୍ଥାପନ କରିଥିଲେ।

ସମସ୍ତ ଦିଗକୁ ବିଚାର କରି ସାଖି ଓ ପ୍ରମାଣ ଭିତ୍ତିରେ ଅଦାଲତ କଟକ ବାସୁଳି ସାହି ଅଶୋକ ମହାରଣାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୭ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିଲେ। ପରେ ଆସାମୀକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Comment