କପିଳାସ ଭୂୟାଁ

ଇଂରାଜୀରେ ମାତ୍ର ଛ’ଟି ଶବ୍ଦ ବ୍ୟବହାର କରି ଜଣେ ପୀଡ଼ିତା ନାବାଳିକାକୁ କ୍ଷମା ମାଗିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ତାଙ୍କ ଅଫିସିଆଲ ଟ୍ଵିଟର ପୃଷ୍ଠାରେ ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ଓ ବଳପୂର୍ବକ ଗର୍ଭପାତ କରାଇବା ଅପରାଧରେ ଅଭିଯୁକ୍ତ ସେହି ଥାନାର ଇନ୍ସପେକ୍ଟର ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଚାକିରିରୁ ବରଖାସ୍ତ କରିଥିବା କଥା ଘୋଷଣା କରିବା ସହ ପୀଡ଼ିତା “ଛୋଟ ଝିଅଟିକୁ ଆମେ କ୍ଷମା ମାଗୁଛୁ” ବୋଲି ଶ୍ରୀ ଅଭୟ ପ୍ରକାଶ କରିଛନ୍ତି।

ସର୍ବ ସମକ୍ଷରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କର ଏଭଳି କ୍ଷମା ମାଗିବାର ଏକ ସୁଦୂରପ୍ରସାରି ପ୍ରଭାବ ରହିବ ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

ବୀରମିତ୍ରପୁର ଥାନାର ଇନ୍ସପେକ୍ଟର ଆନନ୍ଦ ଚନ୍ଦ୍ର ମାଝି ଥାନା ଭିତରେ ଗତ ତିନି ମାସ ହେଲା ଜଣେ ୧୩ ବର୍ଷୀୟା ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିବା ଅଭିଯୋଗରେ ଗତ ଜୁନ ୨୩ ତାରିଖରେ ତାଙ୍କ ବିରୋଧରେ ରାଇବଗା ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ତେଣୁ ୨୬ ତାରିଖରେ ଶ୍ରୀ ଅଭୟ ତାଙ୍କୁ ନିଲମ୍ବିତ କରିଥିଲେ। ଏହା ଭିତରେ ଆନନ୍ଦ ଫେରାର ହୋଇ ଯାଇଥିଲେ। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଗତକାଲି ଅନୁଗୋଳ ଜିଲ୍ଲା ବଇଣ୍ଡା ଆଉଟପୋଷ୍ଟ ନିକଟସ୍ଥ ଏକ ଆମ୍ବ ତୋଟାରୁ ଗିରଫ କରା ଯାଇଥିଲା। ସେହି କ୍ରମରେ ଆନନ୍ଦଙ୍କୁ ଚାକିରିରୁ ବରଖାସ୍ତ କରିବା ଏବଂ “ତାଙ୍କ ଚରିତ୍ର ଲଜ୍ଜାଜନକ” କହିବା ସହ ନାବାଳିକା ଜଣଙ୍କ ଉଦ୍ଦେଶ୍ୟରେ ଶ୍ରୀ ଅଭୟ କ୍ଷମା ମାଗିଥିଲେ।

ରାଜ୍ୟରେ ପୋଲିସର ଖାକି ପୋଷାକରେ କଳା ଲାଗିବା ଭଳି ଏହା ପ୍ରଥମ ଘଟଣା ନୁହେଁ। କିନ୍ତୁ ପୋଲିସ ବିଭାଗର ଜଣେ ଅଧିକାରୀଙ୍କ କୁକର୍ମ ପାଇଁ ବିଭାଗୀୟ ମୁଖ୍ୟ ଭାବେ ଲଜ୍ଜିତ ଅନୁଭବ କରିବା ଓ ସର୍ବସମକ୍ଷରେ କ୍ଷମା ମାଗିବା ଭଳି ଆଚରଣ ଦେଖାଇବା କ୍ଷେତ୍ରରେ ଶ୍ରୀ ଅଭୟଙ୍କ ପଦକ୍ଷେପ ନିଶ୍ଚିତ ରୂପେ ଏକ ବିରଳ ଉଦାହରଣ।

ସଂପ୍ରତି ରାଜ୍ୟରେ କୋଭିଡ-୧୯ ସଂକ୍ରମଣର ମୁକାବିଲା କ୍ଷେତ୍ରରେ ପୋଲିସ ବିଭାଗ ଦିନରାତି ଏକ କରି କାମ କରୁଥିବା ଯୋଗୁ ସେମାନେ ଉଭୟ ସରକାର ଓ ଜନସାଧାରଣଙ୍କ ଦ୍ଵାରା ଯଥେଷ୍ଟ ପ୍ରଶଂସିତ ହୋଇଛନ୍ତି। ତେବେ ମୁଷ୍ଟିମେୟ ପୋଲିସ ଅଧିକାରୀ ନିଜ କ୍ଷମତା ବଳରେ ଲୋକଙ୍କୁ ଦମନ ଓ ଶୋଷଣ କରିବା ଯୋଗୁ ସାରା ବିଭାଗକୁ ବଦନାମ ହେଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ଡିଜି ଶ୍ରୀ ଅଭୟଙ୍କର ଏହି ପଦକ୍ଷେପ ନିଶ୍ଚିତରେ ବିରଳ ଓ ପ୍ରଶଂସନୀୟ।

ଡିଜି ଶ୍ରୀ ଅଭୟ ଏଭଳି ଆବେଗିକ ପଦକ୍ଷେପ ନେବା ଦ୍ଵାରା ବ୍ୟକ୍ତିଗତ ସ୍ତରରେ ଏହା ତାଙ୍କର ମାନବିକ ମୂଲ୍ୟବୋଧର ପରିଚୟ ଦେଉଥିବା ବେଳେ, ଅନ୍ୟ ପକ୍ଷରେ ପୋଲିସ ବିଭାଗ ଉପରେ ଜନସାଧାରଣଙ୍କର ଆସ୍ଥାକୁ ଅତୁଟ ରଖି ପାରିବ। ଏହା ବ୍ୟତୀତ ରାଜ୍ୟ ପୋଲିସ ମୁଖ୍ୟ ରୂପେ ଡିଜି ଶ୍ରୀ ଅଭୟ ଏଭଳି କ୍ଷମା ଭିକ୍ଷା କରିବା ଦ୍ଵାରା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତାହା ପରୋକ୍ଷରେ ଅଧିକ ଦାୟିତ୍ଵବାନ କରିବ ବୋଲି ଆଶା କରାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment