ଡକ୍ଟର ମୃଣାଳ ଚାଟାର୍ଜୀ

ପି ଭି (ପାମୁଲାପରଥି ଭେଙ୍କେଟ) ନରସିଂହ ରାଓ (ଜୁନ୨୮,୧୯୨୧- ଡିସେମ୍ବର ୨୩, ୨୦୦୪) କିପରି ପ୍ରଧାନମନ୍ତ୍ରୀ ହେଲେ- ତା’ର ଇତିହାସ ସମ୍ପର୍କରେ ସଞ୍ଜୟ ବାରୁ ତାଙ୍କ ପୁସ୍ତକରେ ଲେଖିଛନ୍ତି, ‘ସେ କେନ୍ଦ୍ର ସରକାରର ଦାୟିତ୍ୱ ଗ୍ରହଣ କଲେ ଏବଂ ରାଜନୈତିକ ସ୍ଥିରତା ପୁନଃ ସ୍ଥାପିତ କଲେ। ନେହେରୁ-ଗାନ୍ଧୀ ରାଜବଂଶର ବାହାରେ ଅନ୍ୟମାନେ ଅଛନ୍ତି, ଏହା ପ୍ରମାଣ କରି କଂଗ୍ରେସର ନେତୃତ୍ୱ ଗ୍ରହଣ କଲେ, ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସଂସ୍କାର ଆଣିଲେ, ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟରେ ଭାରତକୁ ପରିଚାଳନା କରିଥିଲେ।’

ତାଙ୍କର ଦକ୍ଷ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସହ ସେ ୧୯୫୬ ମସିହାରେ ଜବାହରଲାଲ ନେହେରୁଙ୍କ ଶିଳ୍ପନୀତି ସଙ୍କଳ୍ପପରେ ଭାରତର ଅର୍ଥନୈତିକ ନୀତିରେ ସର୍ବାଧିକ ପରିବର୍ତ୍ତନ ଆଣିଥିଲେ। ନେହେରୁଙ୍କ ସଙ୍କଳ୍ପ ଘୋଷଣା କରିଥିଲା ଯେ, ଭାରତ ଏକ ସମାଜବାଦୀ ଢାଞ୍ଚା ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବ। ୧୯୯୧ରେ ପିଭି ସେହି ଢାଞ୍ଚାରୁ ଦୂରେଇଯାଇ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କଲେ।

ଡକ୍ଟର ମୃଣାଳ ଚାଟାର୍ଜୀ।

ଏହାକୁ ଅସ୍ୱୀକାର କରିହେବ ନାହିଁ ଯେ, ୧୯୯୧ ପୂର୍ବରୁ ଭାରତୀୟ ଅର୍ଥନୀତି ‘ବନ୍ଦ’  ଭାବରେ ପରିଗଣିତ ହୋଇଥିଲା। ୧୯୮୦ ମସିହାର ମଧ୍ୟଭାଗରୁ ଯୋଜନା କାର୍ଯ୍ୟକ୍ରମ ଏବଂ ଲାଇସେନ୍ସ ରାଜ୍‍ ଧୀରେ ଧୀରେ ଭୁଶୁଡି଼ବାକୁ ବାଧ୍ୟ ହୋଇଥିଲା। କିଛି ଅର୍ଥନୈତିକ ଇତିହାସକାରମାନେ ଜୋରଦେଇଛନ୍ତି, ସ୍ୱାଧୀନତା ପରଠାରୁ ୧୯୯୦ ଦଶକ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି ଅନୁଶାସିତ ଥିଲା। ବିଶେଷଭାବେ ଗ୍ରାମୀଣ ସ୍ୱାର୍ଥ, ସଂରକ୍ଷଣବାଦୀ ମନୋଭାବ ସହ ପୁଞ୍ଜିପତି ଏବଂ କେନ୍ଦ୍ରସରକାରଙ୍କ ନେତୃତ୍ୱରେ ଅମଲାତନ୍ତ୍ର ମଧ୍ୟରେ ବୁଝାମଣା ହୋଇଥିଲା। ଯାହାର ପତନ ଧୀରେ ଧୀରେ ଆରମ୍ଭ ହୋଇଥିଲା। ୧୯୯୧ ସୁଦ୍ଧା ଭାରତରେ ଏକ ସ୍ଥିର ବିନିମୟ ମୂଲ୍ୟ ବ୍ୟବସ୍ଥା ଥିଲା, ଯେଉଁଠାରେ ଟଙ୍କାର ମୂଲ୍ୟ ଅନ୍ୟ ପ୍ରମୁଖ ବାଣିଜ୍ୟ ଭାଗୀଦାରୀମାନଙ୍କ ମୁଦ୍ରା ଅନୁସାରେ ନିର୍ଦ୍ଧିଷ୍ଟ ମୂଲ୍ୟ ଦେବାକୁ ପଡୁଥିଲା।

ଭାରତ ୧୯୮୫ରୁ ପେମେଣ୍ଟବାଲାନ୍ସ ସମସ୍ୟା ଆରମ୍ଭ ହୋଇଥିଲା ଏବଂ ୧୯୯୦ ସୁଦ୍ଧା ଭାରତ ଏକ ଗୁରୁତର ଆର୍ଥିକ ସଙ୍କଟରେ ପଡି଼ଥିଲା। ସରକାର ଖିଲାପୀ ହେବାକୁ ବସିଥିଲେ। ୧୯୯୧ରେ ପେମେଣ୍ଟ ବାଲାନ୍ସ ସଙ୍କଟ ଦେଶକୁ ଦେବାଳିଆ ଆଡ଼କୁ ଠେଲିଦେଇଥିଲା।  ଆଇଏମ୍‍ଏଫ୍‍ ଜାମିନ ବଦଳରେ ଲଣ୍ଡନକୁ ସୁନା ବନ୍ଧକ ଭାବରେ ହସ୍ତାନ୍ତର କରାଯାଇଥିଲା। ଟଙ୍କାର ମୂଲ୍ୟ ହ୍ରାସ ପାଇଲା ଏବଂ ଭାରତରେ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ଚାପ ସୃଷ୍ଟିହେଲା। ଏହିପରି ଏକ ନିମ୍ନଗାମୀ ଅର୍ଥନୀତି ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ପାଇଁ ଆବଶ୍ୟକ ସଂସ୍କାର ମାଧ୍ୟମରେ ରୂପାନ୍ତର କରିବା ଜରୁରୀ ଥିଲା।

ଅନ୍ତର୍ଜାତୀୟ ସାମ୍ମୁଖ୍ୟରେ, ୧୯୯୦ ଦଶକରେ ସୋଭିଏତ ସଂଘର ପତନ ଏବଂ ଶୀତଳଯୁଦ୍ଧର ଶେଷରେ ଆମେରିକାର ପ୍ରାଧାନ୍ୟ ବିଶ୍ୱରେ ଦୃଢ଼ ଭାବରେ ଦେଖାଗଲା। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପିଭି ନରସିଂହରାଓ ଅର୍ଥନୀତିକୁ ମୁକ୍ତ କରି ଦେଇଥିଲେ ଏବଂ ଜଗତୀକରଣକୁ ଗ୍ରହଣ କରିନେବାର ସୁଧାରବାଦୀ ନିଷ୍ପତ୍ତି ନେଇଥିଲେ। ଏହିପରି ଏକ ସଂଖ୍ୟା ଲଘୁ ସରକାର ଦ୍ୱାରା ଭାରତରେ ନବ-ଉଦାରୀକରଣର ରାସ୍ତା ଖୋଲିଲା। ଏହା ସରକାରଙ୍କ ବଜେଟ ଉପସ୍ଥାପନା ବେଳେ ଜଣାପଡି଼ଥିଲା। ଏକ ବଡ଼ ଧକ୍କା ଭଳି ଏହା ପ୍ରତୀତ ହୋଇଥିଲା। ଅର୍ଥନୀତିକୁ ମୁକ୍ତ କରାଯାଇଥିଲା, ମୁଦ୍ରା ମୂଲ୍ୟ ହ୍ରାସ ହୋଇଥିଲା, ଅଧିକାଂଶ କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ଉପରେ ଲାଇସେନ୍ସ ନିୟନ୍ତ୍ରଣକୁ ବାତିଲ କରି ଟିକସ ହାର ହ୍ରାସ କରାଯାଇଥିଲା ଏବଂ ସାର୍ବଜନୀନ କ୍ଷେତ୍ରଗୁଡି଼କର ଏକଚାଟିଆକୁ ହ୍ରାସ କରାଯାଇଥିଲା।

ଗୁରୁ ଚରଣ ଦାସ ତାଙ୍କପୁସ୍ତକ ‘ଇଣ୍ଡିଆ ଅନ ବାଉଣ୍ଡ: ଦ ସୋସିଆଲ ଆଣ୍ଡ ଇକୋନୋନିକ ରିଭୋଲୁସନ ଫ୍ରମ ଇଣ୍ଡିପେଣ୍ଡେନ୍ସ ଟୁ ଦ ଗ୍ଲୋବାଲଇନ ଫରମେସନଏଜ୍‍’ (୨୦୦୨)ରୁ ଉଦ୍ଧୃତ କରାଯାଇପାରେ, ‘ଆମେ ଅନୁଭବ କଲୁ ଯେପରି ଆମର ଦ୍ୱିତୀୟ ସ୍ୱାଧୀନତା ଆସିଛି; ଆମେ ମୁକ୍ତ ହେବାକୁ ଯାଉଛୁ ଏକ ଲୁଣ୍ଠନ ପରାୟଣ ଏବଂ ଆଧିପତ୍ୟ ପୂର୍ଣ୍ଣ ବ୍ୟବସ୍ଥାରୁ।’

ଅନ୍ତର୍ଜାତୀୟ ସ୍ତରରେ ନିଜକୁ ସମତୁଲ କରିବା ଦିଗରେ ଭାରତ ଏକ ନୂତନ ଯାତ୍ରା ପାଇଁ ନୂତନ ଅର୍ଥନୈତିକ ପଥକୁ ଆପଣାଇ ନେଇଥିଲା। ଏହା କେବଳ ନୀତିନିର୍ଣ୍ଣୟକାରୀଙ୍କ ପାଇଁ ନୁହେଁ ବରଂ ଭାରତର ଲୋକଙ୍କ ପାଇଁ ମଧ୍ୟ ଏକ ନୂତନ ସ୍ୱପ୍ନ ଦେଖାଇଥିଲା। ସରକାରୀ ନିୟନ୍ତ୍ରଣ ହ୍ରାସ କରିବାକୁ, ରିହାତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏବଂ ଅନେକ ସରକାରୀ ଶିଳ୍ପକୁ ଘରୋଇକରଣ କରିବାକୁ ପିଭି ଚେଷ୍ଟା କରିଥିଲେ। ଏହି ସଂସ୍କାରରେ ଭବିଷ୍ୟତର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତଥା ପିଭିଙ୍କର ଅର୍ଥମନ୍ତ୍ରୀଙ୍କର ସୁଦୂରପ୍ରସାରୀ ଭୂମିକା ରହିଥିଲା।
ପିଭି ନରସିଂହ ରାଓ, ୨୮ ଜୁନ ୧୯୨୧ରେ ଆନ୍ଧ୍ରପ୍ରଦେଶର କରିମନଗର ନିକଟରେ ଜନ୍ମ ଗ୍ରହଣ କରିଥିଲେ। ରାଓ ପୁନେର ଫର୍ଗୁସନ କଲେଜରେ ପଢ଼ିଥିଲେ। ତା’ପରେ ସେ ବମ୍ବେ ଏବଂ ନାଗପୁର ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ। ସେଠାରେ ଆଇନବି ଦ୍ୟାରେ ଡିଗ୍ରୀ ହାସଲ କରିଥିଲେ। ସେ ଜଣେ ବିଶିଷ୍ଟ ବିଦ୍ୱାନ ଭାବରେ ଜଣାଶୁଣା ଥିଲେ। ଏହାସହ ଅନେକ ଭାଷାରେ ପାରଙ୍ଗମ ଥିଲେ।

ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ସେ ଜଣେ କାର୍ଯ୍ୟକର୍ତ୍ତା ଭାବେ କଂଗ୍ରେସ ପାର୍ଟିରେ ଯୋଗଦେଇଥିଲେ। ପରେ ରାଜନୀତିରେ ତାଙ୍କର ଅଗ୍ରଗତି ଆରମ୍ଭ ହୋଇଥିଲା। ସେ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଧାନସଭାର ସଦସ୍ୟ ଥିଲେ। ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ରାଓ ଆନ୍ଧ୍ର ପ୍ରଦେଶରୁ ଲୋକସଭାରେ ପ୍ରତିନିଧିତ୍ୱ କରିଥିଲେ। ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ।

୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ ପାର୍ଟି ରାଓଙ୍କୁ ଦଳର ମୁଖ୍ୟ ଭାବରେ ଗ୍ରହଣ କଲା ଏବଂ ସେ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ। ସଞ୍ଜୟ ବାରୁଙ୍କ ଅନୁସାରେ, ‘ସେ କେବଳ ଏକ ପୂର୍ଣ୍ଣକାଳୀନ ଶାସନ କରି ନାହାନ୍ତି ବରଂ ତାଙ୍କର ନୀତି ଏକ ନୂତନ ଯୁଗରେ ପରିଣତ ହେଲା ଏବଂ ଜାତୀୟ ରାଜନୀତିରେ ଏକ ନୂତନ ଦିଗ ଦେଇଥିଲା। ସେ ଜଣେ ଅବିଶ୍ୱସନୀୟ ପ୍ରଧାନମନ୍ତ୍ରୀ ଥିଲେ।’

ଏହା ସତ୍ୟ ଯେ ପିଭି ନରସିଂହ ରାଓ ଦେଶ ପାଇଁ ଯାହା କରିଛନ୍ତି ସେଥିପାଇଁ ତାଙ୍କୁ ଯଥାଯୋଗ୍ୟ ମାନ୍ୟତା ଦିଆଯାଇନାହିଁ। ଅପରପକ୍ଷେ, ବାବ୍ରି ମସଜିଦ ଭାଙ୍ଗିବା ପାଇଁ ଅନେକେ ତାଙ୍କୁ ଦୋଷାରୋପ କରିଛନ୍ତି। ହେଲେ ଅନ୍ୟମାନଙ୍କ ସହିତ ବିନୟ ସୀତାପତି ମଧ୍ୟ ଏହାକୁ ଅସ୍ୱୀକାର କରିଛନ୍ତି। ଶ୍ରୀ ସୀତାପତିଙ୍କ ବହିରେ- ‘ହାପ୍‍ ଲାୟନ; ହାଓ ପିଭି ନରସିମା ରାଓ ଟ୍ରାନ୍ସଫର୍ମଡ ଇଣ୍ଡିଆ’ (୨୦୧୬)ରେ ଏ ବିଷୟରେ ବିସ୍ତୃତ ଯୁକ୍ତି ଉପସ୍ଥାପନ କରିଛନ୍ତି।

(ଲେଖକ ଆଇଆଇଏମ୍‌ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ। ସେ ଗଳ୍ପ, କବିତା ଏବଂ ଅନୁବାଦ କରନ୍ତି।)

Comment