ଓଡ଼ିଶାଲାଇଭ ବ୍ୟୁରୋ

କାମ ଥିଲେ ବି କରୋନା ସଂକ୍ରମଣ ପାଇଁ ସାଧାରଣ ଲୋକ ଅଫିସ୍‌କୁ ଆସିପାରିବେନି।

ଦିନକୁ ଦିନ ଜଟିଳ ହେଉଛି କରୋନା କଟକଣା। ଜୁଲାଇ ମାସର କଟକଣାରେ ରାଜ୍ୟ ସରକାର ସରକାରୀ ଅଫିସକୁ ଫୋକସ୍‌ କରିଛନ୍ତି। ସରକାରୀ କର୍ମଚାରୀ ଯେମିତି ସଂକ୍ରମିତ ନହୁଅନ୍ତି ସେଥିପାଇଁ ସାଧାରଣ ଲୋକଙ୍କୁ ଅଫିସ୍‌ ଆସିବାକୁ ବାରଣ କରାଯାଇଛି।

ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ଓ ସରକାରୀ କର୍ମଚାରୀମାନେ ଆକ୍ରାନ୍ତ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ଯାଜପୁର ଜିଲ୍ଲା ପ୍ରଶାସନ ପ୍ରଥମେ ଏହି ପଦକ୍ଷେପ ଗ୍ରହଣ କରିଥିଲା। ୪୮ ଘଣ୍ଟା ଭିତରେ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାପାଳ ସରକାରୀ ଅଫିସ୍‌କୁ ସାଧାରଣ ଲୋକଙ୍କ ପ୍ରବେଶକୁ ନା କହିଥିଲେ। ଅଫିସ୍‌ ଖୋଲା ରହିବ, ହେଲେ କୌଣସି ଲୋକ ଆସିପାରିବେ ନାହିଁ ବୋଲି ସଫା ସଫା କହିଥିଲେ ଜିଲ୍ଲାପାଳ।

ଏପଟେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବି କଟକଣା ଲାଗୁ କରିଥିଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ। ଗଞ୍ଜାମରେ ଅଧିକ କରୋନା ଯୋଦ୍ଧା ଆକ୍ରାନ୍ତ ହେଉଥିବାରୁ ଏବଂ ଗଜପତିରେ କିଛି ଅଫିସର ଅଧିକାରୀମାନେ ଆକ୍ରାନ୍ତ ହେବାରୁ ଏହି ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା କରାଯାଇଛି।

ଗତ ତିନି ଦିନ ତଳେ ବିଡିଏ ଅଫିସରେ ଜଣେ କର୍ମଚାରୀ ଆକ୍ରାନ୍ତ ହେବା ପରେ ସଂପୂର୍ଣ୍ଣ ଅଫିସକୁ ସିଲ୍‌ କରାଯାଇ ବିଶୋଧନ କରାଯାଇଛି। ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷ ସଜାଗ ହୋଇଥିଲେ। ବିଏମ୍‌ସି ଅଫିସକୁ ଲୋକଙ୍କ ପ୍ରବେଶକୁ ମନା କରାଯାଇଥିବା ବେଳେ ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲୋକ ଆସିବାକୁ ମନା କରାଯାଇଛି।

ଖୋର୍ଦ୍ଧା ପୌର ଅଫିସ୍‌ରେ ମଧ୍ୟ ଅନୁରୂପ କଟକଣା ଜାରି କରାଯାଇଛି। ଅଫିସ୍‌ ଖୋଲିବ, କର୍ମଚାରୀ ଆସିବେ। ହେଲେ କୌଣସି ଲୋକ ଆସିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି।

ସଂକ୍ରମଣ ରୋକିବା ଓ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ରାତି ୯ଟାରୁ ସକାଳ ୫ଟା କର୍ଫ୍ୟୁ ଲଗାଇଛନ୍ତି। ଜନ୍ ମାସରେ ସମାନ ନିୟମ ରହିଥିଲା। ହେଲେ ସ୍ଥାନୀୟ ସଂକ୍ରମଣ ସରକାରଙ୍କ ଚିନ୍ତା ବଢ଼ାଇଥିଲେ।

ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଆକ୍ରାନ୍ତ ହୋଇଥିଲେ। ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୭ ହଜାର ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ଏହା ଏବେ ଉଦ୍‌ବେଗର ବିଷୟ ପାଲଟିଛି।

Comment