ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ଦାରୁବ୍ରହ୍ମ। ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ମହାପ୍ରୁଭୁଙ୍କ ଏହି ବେଶ ରଥ ଉପରେ ଆରମ୍ଭ ହୋଇଛି। ଭଣ୍ଡାର ଘରୁ ସୁନାକୁ ଅଣଯାଇ ମହାପ୍ରଭୁଙ୍କୁ ସଜାଯାଉଛି।

ସକାଳୁ ଆଜି ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ମଇଲମ ଆଦି ନୀତି ସମ୍ପନ୍ନ ହୋଇଛି। ଏହାପରେ ସୁନାବେଶ ଆରମ୍ଭ ହୋଇଛି। ତେବେ କୋଭିଡ୍ କଟକଣା ପାଇଁ ଏଥର ଭକ୍ତମାନେ ସିଧାସଳଖ ସୁନାବେଶ ଦର୍ଶନ କରିପାରୁନାହାନ୍ତି। ଟେଲିଭିଜନ ଓ ଡିଜିଟାଲ ମିଡିଆ ସାହାଯ୍ୟରେ ଭକ୍ତମାନେ ରାଜରାଜେଶ୍ୱର ବେଶର ଦର୍ଶନ କରିବେ।ମହାପ୍ରଭୁ ଜଗନ୍ନାଥ ଆଜି ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହେବେ।

ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ବେଶ ହେବେ।

ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯିବ।

Comment