ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଏବେ ସାଂଘାତିକ। ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି। ଏହି ଜିଲ୍ଲାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମ ଏକରକମ ଘେରବନ୍ଦୀ ଭିତରେ ରହିଛି। ଖୋର୍ଦ୍ଧା ସହିତ ସୀମା ସିଲ ହେବା ପରେ ଗଞ୍ଜାମ ପ୍ରଶାସନ ନୟାଗଡ ସୀମାକୁ ମଧ୍ୟ ସିଲ କରିଛି।

ଜିଲ୍ଲାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ହେତୁ ଏହି ଜରୁରୀ ପଦକ୍ଷେପ ନିଆଯାଇଛି।ନିଷ୍ପତ୍ତି ଅନୁସାରେ ଓଡ଼ଗାଁ, ରୋହିବାଙ୍କ, ଏବଂ ଭଞ୍ଜନଗର ଛକକୁ ସିଲ କରି ଦିଆଯାଇଛି ଏବଂ ଏହା ଦେଇ କେହି ଯାତାୟତ କରି ପାରିବେ ନାହିଁ।

CGU newକରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲା ଏବେ ସବା ଉପରେ ରହିଛି। ୨୮୩୬ ମାମଲା ବ୍ୟତୀତ ୨୭ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏଥି ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି ଜିଲ୍ଲାରୁ କେହି ଭୁବନେଶ୍ୱର ଯିବେ ନାହିଁ ବୋଲି ମଧ୍ୟ  କୁହାଯାଇଥିଲା।

ସୀମା ସିଲ ହେବା ପରେ ୧୬ ନମ୍ବର ଜାତୀୟ ରାଜପଥସ୍ଥିତ ଗୁରାପଲ୍ଲୀଠାରେ ବୁଧବାର ରାତିରେ ଗାଡି ମୋଟର ଜାମ ହୋଇଥିଲା। ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା।

ଏପରିକି ଆମ୍ବୁଲାନ୍ସ ମଧ୍ୟ ଫସିଥିଲା। କେବଳ ଯେଉଁ ଗୁରୁତର ରୋଗୀମାନେ ସିଡିଏମ୍‌ଓଙ୍କ ଅନୁମତି ନେଇ ଆସିବେ ସେମାନଙ୍କୁ ଜିଲ୍ଲା ବାହାରକୁ ଛଡ଼ାଯିବ ବୋଲି ପୋଲିସ ପ୍ରଶାସନ କହିଥିଲା।

ଏସବୁ ଭିତରେ ଗଞ୍ଜାମ ଜିଲ୍ଲାର ସବୁ ସହରାଞ୍ଚଳ ଆସନ୍ତାକାଲିଠୁ ୧୩ ତାରିଖ ଯାଏ ସଟ୍‌ଡାଉନ୍‌ ରହିବ। ବ୍ରହ୍ମପୁର ସମେତ ହିଞ୍ଜିଳି ଏବଂ ଅନ୍ୟ ଏନଏସି ବି ସଟ୍‌ଡାଉନ୍‌ ରହିବ। ବ୍ଲକ ମୁଖ୍ୟାଳୟ ବି ବନ୍ଦ ରହିବ। ଏହି ସମୟରେ ଘର ଘର ବୁଲି ସର୍ଭେ କରିବେ ମେଡିକାଲ ଟିମ୍‌। ଏଥିପାଇଁ ୨୦୦ ଟିମ୍‌ ଗଠନ କରାଯାଇଛି। କେବଳ ବ୍ରହ୍ମପୁର ସହର ପାଇଁ ୧୦୦ ଏବଂ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍‌ ଗଠନ କରାଯାଇଛି।

Comment