ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ମୃତ୍ୟୁ ସଂଖ୍ୟା ୫୨ ଛୁଇଁଲା
  • ଗଞ୍ଜାମରେ ସର୍ବାଧିକ ୩୦ ମୃତ
  • ଜୁଲାଇ ପ୍ରଥମ ସପ୍ତାହରେ ୨୭ ମୃତ
  • ଗଞ୍ଜାମରେ ଘର ଘର ବୁଲି ଅକ୍‌ସି ମିଟର ସର୍ଭେ
  • ମୃତ୍ୟୁ କାରଣ ଖୋଜିବାକୁ ବିଶେଷଜ୍ଞ ଟିମ୍‌

ଓଡ଼ିଶାରେ କରେନା ସଂକ୍ରମଣ ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୨ ଛୁଇଁଛି। ମୃତ୍ୟୁ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ମୃତ୍ୟୁର କାରଣ ଖୋଜିବା ପାଇଁ ରାଜ୍ୟ ସରକାର ବିଶେଷଜ୍ଞ ଟିମ୍‌ ଗଠନ କରିଛନ୍ତି।

ଡିଏମ୍‌ଇଟି, ଡିଏଚ୍‌ଏସ୍‌, ଡିପିଏସ୍‌ ଏବଂ ଫିଜିସିଆନମାନଙ୍କୁ ନେଇ ଟିମ୍‌ ଗଠନ କରିଛନ୍ତି ରାଜ୍ୟ ସରକାର। ଏହି ଟିମ୍‌ ମୃତ୍ୟୁର କାରଣ ଖୋଜିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣମନ୍ତ୍ରୀ ନବକିଶୋର ଦାସ।

ଏପଟେ ହଟସ୍ପଟ ଜିଲ୍ଲା ଗଞ୍ଜାମରେ ଅଜିଠୁ ଆରମ୍ଭ ହୋଇଛି ଅକ୍‌ସି ମିଟର ସର୍ଭେ। ଏହି ସର୍ଭେ ପାଇଁ ଜିଲ୍ଲା ପ୍ରଶାସନ ୨୦୦ ଟିମ୍‌ ଗଠନ କରିଛନ୍ତି। କେବଳ ବ୍ରହ୍ମପୁର ପାଇଁ ୧୦୦ ଟିମ୍‌ ଥିବା ବେଳେ ଅନ୍ୟ ଅଞ୍ଚଳ ପାଇଁ ୧୦ ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ଜଣେ ଲେଖାଏ ଡାକ୍ତର ରହିଛନ୍ତି। ଏହି ସର୍ଭେରେ ରକ୍ତରେ କେତେ ପରିମାଣର ଅକ୍ସିଜିନ ତାହା ଖୋଜା ଯାଉଛି। ଯାହା ଶରୀରରେ ୯୨ ପ୍ରତିଶତରୁ କମ୍‌ କିମ୍ବା ଅଧିକ ଅକ୍ସିଜେନ ଥିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯିବ ବୋଲି ସର୍ଭେ ଟିମ୍‌ ପକ୍ଷରୁ କୁହାଯାଇଛି।

ଏହାସହ ଜିଲ୍ଲା ଡାକ୍ତରଖାନା, ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଇନଫ୍ରା ଥର୍ମୋମିଟର ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ଏସ୍‌ସିବି, ଭିମ୍‌ସାର୍‌, ପୁରୀ, ଅନୁଗୁଳ, ଝାରସୁଗୁଡ଼ାକୁ ଏସ୍‌ଟିପିସିଆର୍‌ ମେସିନ ଯୋଗାଇ ଦେବାକୁ ମନ୍ତ୍ରୀସ୍ତରୀୟ ବୈଠକ ପ୍ରସ୍ତାବ ଦେଇଛି।

CGU newଜୁଲାଇ ପ୍ରଥମ ସପ୍ତାହରେ କରୋନା ନେଲାଣି ୨୭ ଜଣଙ୍କ ଜୀବନ। ୨ ତାରିଖରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩ରେ ୨ ଜଣ, ୪ରେ ୫ ଜଣ, ୫ରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୬ ତାରିଖରେ ୨ ଜଣ, ୭ରେ ୪ ଜଣ, ୮ରେ ୬ ଜଣ, ୯ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଜୁଲାଇରେ ଅଣାୟତ୍ତ ହେଲାଣି ସ୍ଥିତି। କେବଳ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ମୋଟ ୫୨ ମୃତକଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୩୦ ଜଣ ଅଛନ୍ତି। ଅନ୍ୟପଟେ ଖୋର୍ଦ୍ଧାରୁ ୮ ଏବଂ କଟକରୁ ୫ ଜଣଙ୍କ ଜୀବନ ନେଇଛି ଏହି କରୋନା ମହାମାରୀ।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବି କିଛି କମ୍‌ ନାହିଁ। ଦୁଇ ଦିନରେ ହଜାରେ ଟପୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୭ ଦିନ ଭିତରେ କେବଳ ୩ ହଜାର ୬୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୩ ତାରିଖରେ ୫୬୧, ୪ ତାରିଖରେ ୪୯୫, ୫ ତାରିଖରେ ୪୬୯, ୬ ତାରିଖରେ ୪୫୬, ୭ ତାରିଖରେ ୫୭୧, ୮ ତାରିଖରେ ୫୨୭ ଏବଂ ୯ ତାରିଖରେ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁଲାଇ ମାସ ଆରମ୍ଭରୁ ୪୦୦ ଲେଖାଏଁ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି।

ଜୁଲାଇ ମାସରେ ଏବେ ୭ଟି ଜିଲ୍ଲା କରୋନା ହଟସ୍ପଟ ପାଲଟିଯାଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ଼, ଗଜପତି, ବାଳେଶ୍ୱର ଜିଲ୍ଲାରେ ହୁ ହୁ ହୋଇ ଆକ୍ରାନ୍ତ ବଢ଼ି ଚାଲିଛନ୍ତି। ଜୁଲାଇ ୯ ତାରିଖ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ରୋଗୀ ସଂଖ୍ୟା ୩ ହଜାର ଡେଇଁଥିବା ବେଳେ ଖୋର୍ଦ୍ଧାରେ ୧୧୩୫, କଟକରେ ୮୮୬, ଯାଜପୁରରେ ୬୭୩, ସୁନ୍ଦରଗଡ଼ରେ ୫୫୪, ଗଜପତିରେ ୫୩୮, ବାଲେଶ୍ୱରରେ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ବି ସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଏହି ଜିଲ୍ଲାମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

corona-3ଓଡ଼ିଶାରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନା ଭଲ ସ୍ଥିତିରେ ରହିଥିଲା। ମୃତ୍ୟୁ ସଂଖ୍ୟା କମ୍‌ ଥିବା ବେଳେ ୧୦୦ ଆକ୍ରାନ୍ତ ହେବାକୁ ଅତି କମ୍‌ରେ ୧୫ ଦିନରୁ ଅଧିକ ସମୟ ଲାଗୁଥିଲା। ହେଲେ ଜୁଲାଇ ଆରମ୍ଭରୁ ଧାରା ବଦଳିଛି। ମାତ୍ର ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ମୁହାଁ ହୋଇଥିବାରୁ ଲୋକଙ୍କ ମନରେ ଛନକା ପଶିଛି।

Comment