ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ବାହାଘରର ୧୭ ଦିନ ପରେ ଗିରଫ ହେଲେ ବର। ୪ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପୋଲିସ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାସହ ଆଇପିସି ଦଫା ୧୮୮, ୨୬୯, ୨୭୦ ଓ ୩୪, ୩ ଏପିଡେମିକ୍ ଆକ୍ଟ ଓ ୫୭ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି। ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

CGU newଗତ ୨୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁରେ ମହାଆଡମ୍ବରରେ ହୋଇଥିଲା ବାହାଘର। ଏହି ଗାଁର ଯୁବକ ହରେକୃଷ୍ଣ ଧଳ ବାହାଘର ପାଇଁ ଥାନାରୁ ଅନୁମତି ଆଣିଥିଲେ। ୫୦ ଜଣ ଅତିଥିଙ୍କୁ ନେଇ ବାହାଘର କରିବାକୁ ପୋଲିସ ଅନୁମତି ଦେଇଥିଲା। କୋଭିଡ୍‌ କଟକଣା ଭିତରେ ବାହାଘର କରିବାକୁ ହରେକୃଷ୍ଣ ସମ୍ମତି ପ୍ରକାଶ କରିଥିଲେ। ହେଲେ ସବୁ ନିୟମକୁ ଜଳାଞ୍ଜଳି ଦେଇଥିଲେ ହରେକୃଷ୍ଣ।

କିଛି ବନ୍ଧୁଙ୍କ ପରାମର୍ଶରେ ବାଜା ବାଣ ରୋଷଣି କରି ହରେକୃଷ୍ଣ ୨୫ ତାରିଖ ରାତିରେ ଶତାଧିକ ବରଯାତ୍ରୀ ନେଇ ଯାଇଥିଲେ। ଡିଜେ, ସିଙ୍ଘ ବାଜା ଗାଁ ଦାଣ୍ଡ ଦୁଲୁକିଥିଲା। ବରଯାତ୍ରୀମାନେ ନାଚିନାଚି ମଉଜ କରିଥିଲେ। ଏହାଛଡା ହରେକୃଷ୍ଣଙ୍କ ବିବାହ ଭୋଜିଭାତର ମହକ ବି କମ୍ ନଥିଲା। ରଙ୍ଗିନ ଆଲୋକମାଳାରେ ସଜେଇ ହୋଇଥିଲା ଅଭ୍ୟର୍ଥନା ମଞ୍ଚ। ଖିଆପିଆର ଧୁମ୍ ଚାଲିଥିଲା ଅନେକ ରାତିଯାଏ। ଥାନାଠାରୁ ତାଙ୍କ ଘର ଦୂରରେ ଥିବାରୁ ହରେକୃଷ୍ଣ କୋଭିଡ୍‌ କଟକଣାକୁ ଫୁ କରିଦେଇଥିଲେ। ହେଲେ ବରଯାତ୍ରୀ ଏବଂ ଭୋଜିଭାତ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନଜରରେ ପଡିଥିଲା।

କେନ୍ଦ୍ରାପଡ଼ା ଏସ୍ ପି ନିତିଶେଖର ଓ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ ଦେ ଏହି ଘଟଣାର ତଦନ୍ତ କରି ଆଳି ପୋଲିସଙ୍କୁ ନେଇ ଜୁଆଣିଆ ଗାଁରେ ପହଞ୍ଚିଥିଲେ। ସମସ୍ତ ଭିଡିଓ ଓ ଫଟୋଗୁଡିକୁ ଯାଞ୍ଚ କରି ଆଳି ପୋଲିସ ଆଜି ବର ହରେକୃଷ୍ଣ ଧଳଙ୍କୁ ଗିରଫ କରିଛି। ଏହାଛଡା ହରେକୃଷ୍ଣଙ୍କର ୪ ଜଣ ସହଯୋଗୀ ପ୍ରଭାକର ସାମଲ, ସତ୍ୟଜିତ୍ ମଲିକ, ରାମଚନ୍ଦ୍ର ରାଉତ ଓ ରବିନ୍ଦ୍ର ସାହୁଙ୍କୁ ଗିରଫ କରିଛି ପୋଲିସ।

Comment