ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କୋଭିଡ୍‌ ସଙ୍କଟ ବେଳେ ରାଜସ୍ଥାନ ରାଜନୀତି ଗରମ। ଅଶୋକ ଗେହଲଟ୍‌ ଏବଂ ସଚିନ ପାଇଲଟ୍‌ଙ୍କୁ ନେଇ ଅଡୁଆରେ କଂଗ୍ରେସ।

ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ଦେଖାଦେଇଛି ରାଜନୀତିକ ଅସ୍ଥିରତା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ଭିତରେ ଚାଲିଥିବା ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ ନେଇଛି। ଅଶୋକ ଗେହଲଟ୍‌ଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ପାଇଲଟ୍‌ ଦାବି କରିଥିବା ବେଳେ ଗେହଲଟ୍‌ ଆଜି ତାଙ୍କ ବାସଭବନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଙ୍କ ପଛରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା ଗେହଲଟ୍‌ ଦାବି କରିଛନ୍ତି। ବୈଠକରେ ରାହୁଲ ଓ ସୋନିଆଙ୍କ ପ୍ରତି ଆସ୍ଥା ଦେଖାଇଛନ୍ତି ଅଶୋକ ଗେହଲଟ୍‌ ଏବଂ ତାଙ୍କ ସମର୍ଥକ।

ଏପଟେ ସଚିନ୍ ପାଇଲଟ୍‌ଙ୍କର କିନ୍ତୁ ମାନଭଞ୍ଜନ ହୋଇନାହିଁ। ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଛନ୍ତି। ଏହାସହ ତାଙ୍କ ସର୍ଥକଙ୍କୁ ଗୃହ ଏବଂ ଅର୍ଥ ବିଭାଗ ଦେବାକୁ ଦାବି କରିଛନ୍ତି। ସଚିନଙ୍କୁ ମନାଇବା ପାଇଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୩ ବଡ଼ ନେତା ଲାଗିପଡ଼ିଛନ୍ତି। ରାଜସ୍ଥାନର କିଛି ନେତା ମଧ୍ୟ ସଚିନଙ୍କୁ ମନାଇବା ପାଇଁ ଉଦ୍ୟମ କରିଛନ୍ତି।

CGU newଅଶୋକ ଗେହଲଟ୍‌ଙ୍କ ବାସଭବନରେ ହୋଇଥିବା ବୈଠକରେ ସଚିନ ଉପସ୍ଥିତ ନଥିଲେ। କଂଗ୍ରେସରେ ତାଙ୍କ ପାଇଁ ସବୁ ଦ୍ୱାର ଖୋଲା ବୋଲି ବିଧାୟକମାନେ ମତ ଦେଇଛନ୍ତି। ସେ ଆଜି ଆଲୋଚନା କରନ୍ତୁ ବୋଲି ବିଧାୟକମାନେ କହିଛନ୍ତି।

୨୦୧୮ରେ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ସଚିନ ପାଇଲଟ୍‌ଙ୍କୁ ଆଗରେ ରଖି କଂଗ୍ରେସ ନିର୍ବାଚନ ଲଢ଼ିଥିଲା। କଂଗ୍ରେସ ସରକାରକୁ ଆସିଥିଲା। କଂଗ୍ରେସ ୧୦୭ ବିଧାୟକ ଥିବା ବେଳେ ୧୩ ଜଣ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ ରହିଥିଲା। ହେହଲେ କଂଗ୍ରେସ ସଚିନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ନଥିଲା। ପୁରୁଖା ନେତା ଅଶୋକ ଗେହେଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲେ ହାଇକମାଣ୍ଡ। ଏଥିରେ ଅସନ୍ତୋଷ ହୋଇଯାଇଥିଲେ ସଚିନ। ନିର୍ବାଚନ ପରଠୁ ସଚିନ ବିଭିନ୍ନ ସମୟରେ ନିଜର ଅସନ୍ତୋଷ ଜାହିର କରିଥିଲେ। ତାଙ୍କୁ ମନାଇବା ପାଇଁ ଦଳ ଉପମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। ହେଲେ ଏଥିରେ ଖୁସି ନଥିଲେ ସଚିନ।

ନିକଟରେ ସରକାରକୁ ଭାଙ୍ଗିବା ପାଇଁ ସଚିନ ଚକ୍ରାନ୍ତ କରୁଥିବା ଅଶୋକ ଗେହେଲଟ୍‌ଙ୍କ ସମର୍ଥକ ଦାବି କରିଥିଲେ। ଏନେଇ ସଚିନଙ୍କ ପାଖକୁ ପୋଲିସ ନୋଟିସ୍‌ ବି ଆସିଥିଲା। ଏଥିରେ କ୍ଷୁବ୍ଧ ହୋଇ ସଚିନ ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ଗେହଲଟ୍‌ଙ୍କ ସରକାର ପଛରେ ବିଧାୟକଙ୍କ ସମର୍ଥନ ନଥିବା ସଚିନ ଦାବି କରିଥିଲେ।

ରାଜସ୍ଥାନରେ ଯେଉଁ ରାଜନୀତିକ ଅସ୍ଥିରତା ଦେଖାଦେଇଛି ଏଥିରେ ସିଧା ବିଜେପିକୁ ଦାୟୀ କରିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ମଧ୍ୟପ୍ରଦେଶ ଭଳି ବିଜେପି ରାଜସ୍ଥାନରେ କ୍ଷମତା ହାସଲ କରିବା ପାଇଁ ହୀନ ଚକ୍ରାନ୍ତ କରୁଥିବା କହିଛନ୍ତି। ବିଜେପିର ଏହି ଚକ୍ରାନ୍ତ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଭାରତରେ କରୋନା ଉଗ୍ରରୂପ ଧାରଣ କରିବା ପୂର୍ବରୁ ମଧ୍ୟପ୍ରଦେଶ ରାଜନୀତିରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀଙ୍କ ଯୁବ ବ୍ରିଗେଢର ଭାବେ ପରିଚିତ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପରେ କମଲନାଥଙ୍କ ସରକାରର ପତ୍ତନ ଘଟିଥିଲା। ଏବେ ସାରା ଦେଶରେ କୋଭିଡ୍‌ ସଙ୍କଟ ଚାଲିଥିବା ବେଳେ ରାଜସ୍ଥାନରେ ରାଜନୀତି ପାଣିପାଗ ପୁଣି ଉଷ୍ମ ହୋଇଛି।

Comment