ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାହୁଲ ଗାନ୍ଧୀଙ୍କ ଯୁବ ଟିମ୍‌ ଉପରେ ଭରସା କରିପାରୁନି ଦଳ। ସିନ୍ଧିଆ ଓ ପାଇଲଟ୍‌ ହେଉଛନ୍ତି ଏହାର ଉଦାହରଣ ମାତ୍ର।

ଯୁବ ନେତାମାନଙ୍କୁ ନେଇ ୨୦୨୪ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ଗଣିତ କଷୁଥିଲେ ତାର ଭାଗଶେଷ ଅଛିଣ୍ଡା ରହୁଛି। ଜଣକ ପରେ ଜଣେ ଯୁବ ନେତା କଂଗ୍ରେସ ଶିବିର ଛାଡୁଥିବାରୁ ଦଳ ପାଇଁ ଆଗାମୀ ଦିନ ମହଙ୍ଗା ହୋଇପାରେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି। ଗତ ଚାରି ମାସ ତଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି ଦଳରେ ବିଦ୍ରୋହ କରିବା ଅଭିଯୋଗରେ ଅନ୍ୟତମ ଯୁବ ନେତା ସଚିନ ପାଇଲଟ୍‌ ବିଦା ହୋଇଛନ୍ତି।

କଂଗ୍ରେସରେ ରାହୁଲଙ୍କ ଯୁବ ଟିମ୍‌ ଧୀରେ ଧୀରେ ଭାଙ୍ଗୁଥିବା ବେଳେ ପୁଣିଥରେ ପୁରୁଖା ନେତା ସକ୍ରିୟ ହେଉଥିବା କୁହାଯାଉଛି। ଫଳରେ ରାହୁଲଙ୍କ କଥା କଂଗ୍ରେସରେ ଆଉ ରହୁ ନଥିବା କୁହାଯାଉଛି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ରାହୁଲଙ୍କ ଯୁବ ଟିମ୍‌ ଉପରୁ ବରିଷ୍ଠ ନେତାମାନେ ଭରସା ତୁଟାଉଥିବା ଚର୍ଚ୍ଚା ହେଉଛି।

ଯୁବ ଟିମ୍‌ ଭାଙ୍ଗୁଛି, ପରୁଖା ସକ୍ରିୟ

ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା-୨ ସରକାର ଅମଳରେ ରାହୁଲ ଗାନ୍ଧୀଙ୍କ ପ୍ରଭାବ ଦଳରେ ବଢ଼ିଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ୨୦୧୨ରେ କଂଗ୍ରେସ କାର୍ଯ୍ୟକାରୀ କମିଟି ରାହୁଲଙ୍କୁ ଉପସଭାପତି ପଦରେ ବସାଇଥିଲା। ୨୦୧୪ରେ ରାହୁଲ କଂଗ୍ରେସର ଯୁବ ଚେହେରା ପାଲଟିଥିଲେ। ୨୦୧୪ ନିର୍ବାଚନରେ ଯୁବକମାନଙ୍କୁ ଆକୃଷ୍ଟ କରିବା ଲାଗି ରାହୁଲ ତାଙ୍କ କୋର୍‌ ଗ୍ରୁପ୍‌ରେ ଯୁବ ନେତାଙ୍କୁ ସାମିଲ କରିଥିଲେ। ସେମାନଙ୍କ ଭିତରେ ଥିଲେ ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ନେତା। ହେଲେ ୨୦୧୪ରେ ରାହୁଲଙ୍କ ଯୁବ ମନ୍ତ୍ର କାମ କରିନଥିଲା। ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଆଗରେ ରାହୁଲ ହଜି ଯାଇଥିଲେ। ହେଲେ ଦଳ ଭିତରେ ରାହୁଲଙ୍କ ପ୍ରଭାବ କମି ନଥିଲା। ୨୦୧୯ ପାଇଁ ରାହୁଲ ରୋଡମ୍ୟାପ୍‌ ପ୍ରସ୍ତୁତ କରିଥିଲେ।

୨୦୧୩ରେ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ବରିଷ୍ଠ ନେତା ଅଶୋକ ଗେହଲଟ୍‌ଙ୍କୁ ପିସିସି ସଭାପତି ପଦରୁ ହଟାଇ ତାଙ୍କ ନିକଟତମ ସହଯୋଗୀ ସଚିନ ପାଇଲଟଙ୍କୁ ଦାୟିତ୍ୱ ଦେଇଥିଲେ।

CGU newସଚିନ ପାଇଲଟ ଯୁବ ଚେହେରା ହୋଇଥିବାରୁ ରାଜସ୍ଥାନରେ ସେ ସଙ୍ଗଠନ ସୁଦୃଢ଼ କରିଥିଲେ। ୨୦୧୮ ବିଧାନସଭା ନିର୍ବାଚନରେ ଏହାର ଫଳ ପାଇଥିଲା କଂଗ୍ରେସ। ବସୁନ୍ଧରା ରାଜେ ସିନ୍ଧିଆଙ୍କ ସରକାରକୁ ପଛକୁ ଠେଲି ସରକାର ଗଠନ କରିଥିଲା କଂଗ୍ରେସ।

୨୦୧୯ ନିର୍ବାଚନ ପୂର୍ବରୁ ରାଜସ୍ଥାନରେ କଂଗ୍ରେସ ବିଜେପିକୁ ପଛକୁ ଠେଲି କ୍ଷମତାକୁ ଆସିଥିବାରୁ ଯୁବ ନେତା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରହିଥିଲା। ହେଲେ ଶପଥ ଗ୍ରହଣ ବେଳେ ସବୁକିଛି ବଦଳି ଯାଇଥିଲା। ସଚିନଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋକ ଗେହଲଟ୍‌। ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ କରି ସନ୍ତୁଷ୍ଟ କରିଥିଲେ ହାଇକମାଣ୍ଡ। ହେଲେ ଏଥିରେ ଖୁସି ନଥିଲେ ସଚିନ। ସେବେଠୁ ଗେହଲଟ୍‌ ଏବଂ ପାଇଲଟ୍‌ଙ୍କ ଭିତରେ ଯୁଦ୍ଧ ଚାଲିଥିଲା।

ଏହାରି ଭିତରେ ୨୦୧୯ ସାଧାରଣ ନିର୍ବାଚନ ହୋଇଥିଲା। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିଥିଲା। ହେଲେ ଦଳକୁ ଆଶାଜନକ ସଫଳତା ମିଳି ନଥିଲା। ମାତ୍ର ୫୨ଟି ଆସନରେ ଦଳକୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ପରାଜୟକୁ ନିଜ ମୁଣ୍ଡକୁ ନେଇ ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ହୋଇଥିଲେ। ରାହୁଲଙ୍କ ନେତୃତ୍ୱକୁ ବିରୋଧ କରି ଅନେକ ବରିଷ୍ଠ ନେତାମାନେ ବି ଦଳ ଛାଡ଼ିଥିଲେ। କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଏବେ ସୋନିଆ ଉଦ୍ୟମ କରୁଛନ୍ତି। ରାଜସ୍ଥାନ କଂଗ୍ରେସରେ କୋଭିଡ୍‌ ସଙ୍କଟ ବେଳେ ଯେଉଁ ଅସ୍ଥିରତା ଦେଖାଦେଲା ସେଥିରେ ପାଇଲଟ୍‌ଙ୍କୁ ହୁଏତ ମୁଖ୍ୟମନ୍ତ୍ରୀ ପଦ ଦେଇପାରିଥାନ୍ତା କଂଗ୍ରେସ। ହେଲେ ଗେହଲଟ୍‌ ସୋନିଆଙ୍କ ନିକଟତମ ଲୋକ ହୋଇଥିବାରୁ କଂଗ୍ରେସ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖିଥିବା ଚର୍ଚ୍ଚା ହେଉଛି।

ପାଇଲଟ୍‌ଙ୍କୁ ହଠାତ୍‌ କଂଗ୍ରେସ କାହିଁକି ବିଦା କଲା?

ସାରା ଦେଶ କରୋନା ବିରୋଧରେ ଲଢୁଥିବା ବେଳେ ରାଜସ୍ଥାନରେ କ୍ଷମତା ପାଇଁ କଂଗ୍ରେସ ଦଳରେ ଯୁଦ୍ଧ ଚାଲିଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ପାଇଲଟ୍‌ ଓ ଗେହଲଟଙ୍କ ଭିତରେ ଲଢ଼େଇ ଚାଲିଥିଲା। ହେଲେ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ କଂଗ୍ରେସ ହାଇକମାଣ୍ଡ ଚାହୁଁ ନଥିଲେ। ଯଦି ଚାହୁଁଥାନ୍ତେ ତାହାଲେ ବର୍ଷକ ତଳେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିନଥାନ୍ତେ। କୁହାଯାଉଛି ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ସାଧାରଣ ସମ୍ପାଦକ ହେବା ପରେ ଗେହଲଟ୍‌ ତାଙ୍କ ସ୍ଥିତିକୁ ଦଳ ଭିତରେ ଆହୁରି ସୁଦୃଢ଼ କରିଥିଲେ। ଫଳରେ ପାଇଲଟ୍‌ ଅଣଦେଖା ହୋଇଥିଲେ।

ଗତ ୧୩ ତାରିଖରେ ପାଇଲଟ୍‌ଙ୍କୁ ମନାଇବା ପାଇଁ କଂଗ୍ରେସର ବରିଷ୍ଠ ନେତା ଉଦ୍ୟମ କରିଥିଲେ। ୧୪ ତାରିଖରେ ତାଙ୍କୁ ମନାଇବା ପାଇଁ ବିଧାୟକ ଦଳ ବୈଠକ ଡକାଯାଇଥିଲା। ହେଲେ ପାଇଲଟ୍‌ଙ୍କୁ ମନାଇ ପାରିନଥିଲା ଦଳ। ପାଇଲଟ୍‌ କିଛି ପଦକ୍ଷେପ ନେବା ପୂର୍ବରୁ କଂଗ୍ରେସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଉପମୁଖ୍ୟମନ୍ତ୍ରୀ ସମେତ ରାଜସ୍ଥାନ କଂଗ୍ରେସ ସଭାପତି ପଦରୁ ତାଙ୍କୁ ହଟାଇ ଦେଇଥିଲା କଂଗ୍ରେସ।

ପାଇଲଟ୍‌ଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର ଅନେକ କାରଣ ରହିଥିବା କୁହାଯାଉଛି। ଗତ ୪ ମାସ ତଳେ ମଧ୍ୟପ୍ରଦେଶ କଂଗ୍ରେସ ହାତରୁ ଖସି ଯାଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଯିବା ଫଳରେ କମଲନାଥଙ୍କ ସରକାର ଭାଙ୍ଗିଯାଇଥିଲା। ଏଣୁ ମଧ୍ୟପଅଦେଶ ଭଳି ସ୍ଥିତି ଉପୁଜିବା ଆଗରୁ କଂଗ୍ରେସ ପାଇଲଟ୍‌ଙ୍କୁ ହଟାଇ ଦେଇଥିଲା।

କଂଗ୍ରେସ ଏବେ ବିଜେପିକୁ ଚେକ୍‌ ଦେବା ପାଇଁ ଲଢ଼େଇ କରୁଛି। ରାହୁଲ ଗାନ୍ଧୀ ବିଜେପିକୁ ଚେକ୍‌ ଦେବାରେ ଅସମର୍ଥ ବୋଲି ହୁଏତ କଂଗ୍ରେସର ଗୋଟିଏ ଗୋଷ୍ଠୀ ବୁଝି ସାରିଲେଣି। ଏଣୁ ରାହୁଲଙ୍କ ଯୁବ ଟିମ୍‌ର ସଦସ୍ୟମାନଙ୍କୁ ଦଳ ଅଣଦେଖା କରି ପୁରୁଖା ନେତାଙ୍କୁ ଗୁରୁ ଦାୟିତ୍ୱ ଦେଉଛି। ପୁରୁଖା ନେୋମାନଙ୍କୁ ହଟାଇ ଯୁବ ଚେହେରାଙ୍କୁ ଆଗକୁ ଆଣିବା ପାଇଁ ରାହୁଲ ଯେଉଁ ଯୋଜନା କରିଥିଲେ ତାହା ଏବେ ମଉଳିବାରେ ଲାଗିଛି।

Comment