ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ରାଜ୍ୟ କଂଗ୍ରେସର ନେତା।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଗତ ପାଞ୍ଚ ଦିନ ତଳେ ପଟିଆଲା ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ କଂଗ୍ରେସରେ କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ କରାଗଲା। ସେହିପରି ରାଜସ୍ଥାନରେ ମଧ୍ୟ ଯୁବନେତା ସଚିନ ପାଇଲଟଙ୍କୁ ପିସିସି ଗାଦିରୁ ହଟାଯାଇ ଗୋବିନ୍ଦ ସିଂ ଦୋତାସ୍ରାଙ୍କୁ ସଭାପତି କରାଯାଇଛି। ରାଜସ୍ଥାନ ଏବଂ ଗୁଜରାଟରେ ଖୁବ୍‌ଶୀଘ୍ର ଅନ୍ୟ ସାଙ୍ଗଠନିକ ପଦବୀ ଅଦଳ ବଦଳ କରାଯିବାର ସମ୍ଭାବନା ରହିଛି। ଗୁଜରାଟ ଏବଂ ରାଜସ୍ଥାନରେ କଂଗ୍ରେସ ନୂଆ ନେତାମାନଙ୍କୁ ନେଇ ଘର ସଜାଡ଼ିବା ଆରମ୍ଭ କରିଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଉପରେ ହାଇକମାଣ୍ଡଙ୍କ ନଜର କେବେ ପଡ଼ିବ ତାକୁନେଇ ଚର୍ଚ୍ଚା ଜୋର୍‌ ଧରିଛି।

୨୦୧୯ ନିର୍ବାଚନ ପରଠୁ ଓଡ଼ିଶା ପ୍ରଦେଶ କଂଗ୍ରେସର ସବୁ କମିଟିକୁ ଭାଙ୍ଗି ଦିଆଯାଇଥିଲା। ନିର୍ବାଚନ ଶେଷ ହେବାର ବର୍ଷେ ପୂରିଥିଲେ ବି ଏପର୍ଯ୍ୟନ୍ତ କଂଗ୍ରେସ ତାର କମିଟି ଗଠନ କରିପାରିଲା ନାହିଁ। ବିଜେପି ଏବଂ ବିଜେଡି ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ନୂଆ କମିଟି ଗଠନ କରିଥିବା ବେଳେ ଓଡ଼ିଶା କଂଗ୍ରେସର ନବକଳେବର କରିବା ପାଇଁ ବହୁ ନେତା ଦାବି କରୁଛନ୍ତି।

ସାଧାରଣ ନିର୍ବାଚନ ଶେଷ ହେବା ପରେ ବିଜେପି ଓ ବିଜେଡି ବୁଥ୍‌ ସ୍ତରରୁ ସଙ୍ଗଠନ ସୁଦୃଢ଼ କରିବା ପାଇଁ ଉଦ୍ୟମ କରିଥିଲେ। ଗାଁ ଗାଁରେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଥିଲା। ଏହି ଅଭିଯାନ ଶେଷ ହେବା ପରେ ବିଜେପି ଓ ବିଜେଡି ସାଙ୍ଗଠନିକ ନିର୍ବାଚନ କରିଥିଲେ। ବ୍ଲକ, ଜିଲ୍ଲା ସ୍ତରରେ କମିଟି ଗଠନ କରି ନୂଆ ସଭାପତି ଚୟନ କରିବା ପରେ ରାଜ୍ୟ ସଭାପତି ପାଇଁ ନିର୍ବାଚନ ହୋଇଥିଲା। ବିଜେପି ସମୀର ମହାନ୍ତିଙ୍କୁ ନୂଆ ସଭାପତି ଭାବେ ନିର୍ବାଚିତ କରିଥିବା ବେଳେ ବିଜେଡିରେ ନବୀନ ପୁଣିଥରେ ଦଳର ମଙ୍ଗ ଧରିଛନ୍ତି।

ଇତିମଧ୍ୟରେ ସମୀର ମହାନ୍ତି ତାଙ୍କ ନୂଆ ଟିମ୍‌ ଘୋଷଣା କରିଥିବା ବେଳେ ବିଜେଡି ମଧ୍ୟ ନୂଆ ଟିମ୍‌ ଘୋଷଣା କରିଛି। ଉପସଭାପତି, ସାଧାରଣ ସମ୍ପାଦକ, ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ଉପସଭାପତି ପଦବୀରେ ନେତାଙ୍କୁ ଥଇଥାନ କରିଛି ବିଜେଡି। ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ତାର ଘର ସଜାଡ଼ିବା ଆରମ୍ଭ କରିନି।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା। ମୁଖ୍ୟ ବିରୋଧୀ ଦଳ ଆସନରୁ ତିନି ନମ୍ବରକୁ ଖସି ଆସିଥିଲା କଂଗ୍ରେସ। ଦଳର ଏହି ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ନିରଞ୍ଜନ ପଟ୍ଟନାୟକ। ହେଲେ ନିରଞ୍ଜନଙ୍କ ଇସ୍ତଫାପତ୍ର ଏଆଇସିସି ଗ୍ରହଣ କଲେନି। ଏପଟେ ନିରଞ୍ଜନଙ୍କୁ ହଟାଇବା ପାଇଁ କଂଗ୍ରେସରେ ମେଳି ଚାଲିଲା। କିଛି ନେତା ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିଥିଲେ। ହେଲେ ଏପର୍ଯ୍ୟନ୍ତ ହାଇକମାଣ୍ଡ ଓଡ଼ିଶା କଂଗ୍ରେସ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଲେ ନାହିଁ। ନିରଞ୍ଜନଙ୍କ ବିରୋଧରେ ଦଳ ଭିତରେ ଅସନ୍ତୋଷ ତେଜୁଥିଲେ ମଧ୍ୟ ତାଙ୍କୁ ସଭାପତି ଗାଦିରେ ହାଇକମାଣ୍ଡ ରଖିବେ କି ନାହିଁ ତାହା ସ୍ପଷ୍ଟ ହୋଇନି।

CGU newଏପଟେ କମିଟି ନଥିବାରୁ ବହୁ ନେତା ମଧ୍ୟ ଅସନ୍ତୋଷ ପ୍ରକାଶ କଲେଣି। ଶୀଘ୍ର ନୂଆ କମିଟି ଗଠନ କରିବାକୁ ନେତାମାନେ ଦାବି କରୁଛନ୍ତି। ଯଦି ନିରଞ୍ଜନ ପିସିସି ସଭାପତି ପଦରେ ରହିବେ ତାହାଲେ ତାଙ୍କ ନେତୃତ୍ୱରେ ନୂଆ କମିଟି ଗଠନ କରାଯାଉ। ଯଦି ନୂଆ କେହି ହେବେ ତାଙ୍କ ତୁରନ୍ତ ତାଙ୍କ ନାଁ ଘୋଷଣା କରିବା ପାଇଁ କଂଗ୍ରେସ ଶିବିରରେ ଦାବି ହେଉଛି। ନୂଆ କମିଟି ଗଠନ ହେଲେ ହିଁ ବିଜେଡି ଓ ବିଜେପିକୁ ଘେରିବା ପାଇଁ କଂଗ୍ରେସ ଅଧିକ ବଳ ପାଇବ ବୋଲି ନେତାମାନେ ମତ ଦେଇଛନ୍ତି।

ନିକଟରେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ପଦ ବଦଳିଛି। ଲୋକନାଥ ମହାରଥୀଙ୍କୁ ହଟାଇ ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତି କରାଯାଇଛି। ସ୍ମୃତି ନିରଞ୍ଜନଙ୍କ କ୍ୟାମ୍ପର ନେତା ନୁହନ୍ତି। ନିରଞ୍ଜନଙ୍କ ବିରୋଧୀ କ୍ୟାମ୍ପରୁ ଜଣେ ଯୁବ ନେତାଙ୍କୁ ରାଜ୍ୟ ଯୁବ କଂଗ୍ରେସର ଦାୟିତ୍ୱ ମିଳିଥିବାରୁ ନିରଞ୍ଜନ ଅଧିକ ଦିନ ଆଉ ସଭାପତି ଗାଦିରେ ରହିବେନି ବୋଲି କୁହାଯାଉଛି। ଜଣେ ଯୁବ ନେତାଙ୍କୁ ପିସିସି ସଭାପତି ଗାଦିରେ ବସାଯାଇପାରେ ବୋଲି ଆଲୋଚନା ହେଉଛି। ତେବେ ଏଆଇସିସି ଏ ସମ୍ପର୍କରେ କେବେ ନିଷ୍ପତ୍ତି ନେବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ଆସନ୍ତା ଅଗଷ୍ଟ ୧୦ ତାରିଖରେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି ପଦବୀରେ କିଏ ବସିବେ ତାକୁନେଇ କଂଗ୍ରେସ ଶିବିରରେ ମାନସମନ୍ଥନ ଚାଲିଛି। ସୋନିଆଙ୍କ କାର୍ଯ୍ୟକାଳ ବଢ଼ାଯାଇପାରେ ବୋଲି କୁହାଯାଉଛି। ଅଗଷ୍ଟ ୧୦ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ପରେ ଓଡ଼ିଶା କଂଗ୍ରେସର ନବକଳେବର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Comment