ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସୋନିଆଙ୍କ ପରେ କଂଗ୍ରେସର ମଙ୍ଗ କିଏ ଧରିବ ତାକୁନେଇ ଏବେଠୁ ଚର୍ଚ୍ଚା ଜୋର୍‌ ଧରିଛି। ଅଗଷ୍ଟ ୧୦ ତାରିଖ ସୁଦ୍ଧା ଯଦି କଂଗ୍ରେସ ନୂଆ ଅଧ୍ୟକ୍ଷ ନିର୍ବାଚିତ ନକରେ ତାହାଲେ ଏଥିରେ ନିର୍ବାଚନ କମିସନ ହସ୍ତକ୍ଷେପ କରିପାରନ୍ତି ବୋଲି କୁହାଯାଉଛି।

କଂଗ୍ରେସରେ ଏବେ କେହି ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା। ମାତ୍ର ବର୍ଷକ ପାଇଁ ତାଙ୍କ କାର୍ଯ୍ୟକାଳ ଥିଲା। ବର୍ଷେ ଭିତରେ ଅଧ୍ୟକ୍ଷ ନିର୍ବାଚନ କରାଯିବ ବୋଲି ଦଳ ପକ୍ଷରୁ ନିର୍ବାଚନ କମିସନଙ୍କୁ କୁହାଯାଇଥିଲା। ହେଲେ ଏବେ ସୋନିଆଙ୍କ କାର୍ଯ୍ୟକାଳକୁ ବର୍ଷେ ପୂରିବାକୁ ଯାଉଛି।

CGU newକରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଲାଗୁ ହୋଇଥିବାରୁ ଅଧ୍ୟକ୍ଷ ନିର୍ବାଚନ ହୋଇପାରୁ ନାହିଁ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କୁ ଅବଗତ କରାଯାଇଥିଲା। ହେଲେ ଏବେ ଲକ୍‌ଡାଉନ୍‌ ହଟିଯାଇଥିବାରୁ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ବାଛିବାକୁ ପଡ଼ିବ।

କଂଗ୍ରେସର ଅଧ୍ୟକ୍ଷ ହେବା ପାଇଁ ବହୁ ନେତା ରେସ୍‌ରେ ଅଛନ୍ତି। ବରିଷ୍ଠ ଏବଂ ଯୁବ ନେତାମାନେ ଆଗରେ ରହିଛନ୍ତି। ହେଲେ ବର୍ତ୍ତମାନ ଯୁବନେତାଙ୍କ ଉପରେ ଦଳ ଭରସା କରିପାରୁ ନାହିଁ। ଏହାର ପ୍ରମାଣ ମଧ୍ୟପଅଦେଶ ଏବଂ ରାଜସ୍ଥାନରେ ଦେଖିବାକୁ ମିଳିଛି। ଯୁବ ନେତାମାନଙ୍କୁ କଂଗ୍ରେସ ଅଣଦେଖା କରୁଥିବା ଅଭିଯୋଗ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସଚିନ ପାଇଲଟଙ୍କ ଭଳି ନେତା ଦଳ ଛାଡ଼ିଛନ୍ତି।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୪ ଏବଂ ୨୦୧୯ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପାର୍ଟିକୁ ସଫଳତା ମିଳିନାହିଁ। ରାହୁଲଙ୍କୁ ଆଉ ଥରେ ଅଧ୍ୟକ୍ଷ ପଦ ଦେଇ ଦଳ ରିସ୍କ ନେବାକୁ ଚାହୁଁ ନଥିବା କୁହାଯାଉଛି। ଏଣୁ କଂଗ୍ରେସ କ’ଣ କରିବ ତାକୁନେଇ ଆଲୋଚନା ଜୋର୍‌ ଧରିଛି। ସୋନିଆଙ୍କର ଏହି ବର୍ଷକର କାର୍ଯ୍ୟକାଳ ଭିତରେ ଦଳ ଅନେକ କିଛି ସଫଳତା ପାଇଛି। ଏଣୁ ସୋନିଆଙ୍କ କାର୍ଯ୍ୟକାଳ ଆହୁରି ବଢ଼ାଯାଇପାରେ ବୋଲି କୁହାଯାଉଛି। କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ଚୂଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି।

Comment