ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍ତି ଅଞ୍ଚଳରେ କାୟା ମେଲାଉଛି କରୋନା। ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଭୟ ବଢ଼ାଇଲା।

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା। ଆଜିର ୧୨୪କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ଛୁଇଁଛି। ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବାରୁ ଭୁବନେଶ୍ୱରବାସୀଙ୍କ ମନରେ ଭୟ ଦେଖାଦେଇଛି।

କରୋନା ମହାମାରୀ ଏବେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲାଣି। ଯେଉଁ ଭୟ ମାର୍ଚ୍ଚ ଅଧାରୁ ଏପ୍ରିଲ ଶେଷ ଯାଏ ରହିଥିଲା ଏବେ ସେହି ଭୟ ଜୁଲାଇ ମାସରେ ଦେଖିବାକୁ ମିଳିଛି। ଯେଉଁ ହାରରେ କରୋନା ଭୁବନେଶ୍ୱରରେ ମାଡ଼ି ଚାଲିଛି ଯଦି ନିୟନ୍ତ୍ରଣକୁ ନଆସେ ତାହାଲେ ବିସ୍ଫୋରଣ ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞମାନେ କହୁଛନ୍ତି।

ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଏବଂ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କେତେବେଳେ ଭୁବନେଶ୍ୱରକୁ ସଟ୍‌ଡାଉନ୍‌ କରାଯାଇଛି ତ ଆଉ କେତେବେଳେ ରାପିଡ୍‌ ଟେଷ୍ଟିଂ କରାଯାଇଛି। ସର୍ଭେଲାନ୍ସ କମିଟି ଗଠନ କରାଯାଇ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ମଧ୍ୟ ରଖାଯାଇଥିଲା। ହେଲେ ଏସବୁ ପଦକ୍ଷେପ ସତ୍ତ୍ୱେ କରୋନା ନିୟନ୍ତ୍ରଣକୁ ଆସୁନି। ଭୁବନେଶ୍ୱରରୁ ପ୍ରତିଦିନ ୫୦ ପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଆଜି ଚିହ୍ନଟ ହୋଇଥିବା ୧୨୪ ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି।

CGU newଲକ୍ଷ୍ମୀବିହାର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଶ୍ୱଶ୍ୱରୀ ବସ୍ତିରୁ ଜଣେ, ସାଲିଆସାହିରୁ ୫ ଜଣ, ମା’ ମଙ୍ଗଳା ବସ୍ତିରୁ ୨ ଜଣ, ତ୍ରିନାଥ ବସ୍ତିରୁ ଜଣେ, ଫୁଲେଶ୍ୱରୀ ବସ୍ତିରୁ ଜଣେ, ହଳଦୀପଡ଼ିଆ ବସ୍ତିରୁ ଜଣେ, ମହିଷାଖାଲ ବସ୍ତିରୁ ଜଣେ, ସୂର୍ଯ୍ୟନଗର ବସ୍ତିରୁ ଜଣେ, ନୂଆସାହିରୁ ଜଣେ ଏବଂ ସୀତାପୁର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ଏବେ ଭୟ ବଢ଼ାଇଛି।

ଗତ ଜୁନ୍‌ ମାସରୁ ବସ୍ତିରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମେ ସାଲିଆସାହି, ଡୁମୁଡୁମାର ସୁବାସନଗର, ଚକେଇସିଆଣିର ହାଡ଼ବାଇ ବସ୍ତି, ସୁନ୍ଦରପଦା ଅଭିରାମ ବସ୍ତିରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସିର ଚିନ୍ତା ବଢ଼ିଥିଲା। ୫ଟି ହଟ୍‌ସ୍ପଟ ଜିଲ୍ଲାରୁ ଯେଉଁମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତିକୁ ଆସିବେ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଖାଲି ସେତିକି ନୁହେଁ, ବିଭିନ୍ନ ବସ୍ତିରୁ କରୋନାମୁକ୍ତ କରିବା ପାଇଁ ସଚେତକ କମିଟି ଗଠନ କରାଯାଇଥିଲା। ହେଲେ କରୋନା ବସ୍ତି ଅଞ୍ଚଳରେ ଏବେ କାୟା ମେଲାଇ ଚାଲିଛି।

ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ସତ, ହେଲେ ସ୍ଥାନୀୟ ସଂକ୍ରମଣ ନଥିଲା। ଯିଏ ବି ଚିହ୍ନଟ ହେଉଥିଲେ ସେମାନେ ଅନ୍ୟ ରାଜ୍ୟ କିମ୍ବା ଦେଶରୁ ଆସିଥିବାରୁ ସଂକ୍ରମିତ ହୋଇଥିଲେ। ହେଲେ ଏବେ ଲୋକାଲ୍‌ କେସ୍‌ ଚିନ୍ତା ବଢ଼ାଉଛି।

ମେ’ ମାସ ଯାଏ ସ୍ଥାନୀୟ ସଂକ୍ରମଣ ଭୁବନେଶ୍ୱରରୁ ଚିହ୍ନଟ ହେଉ ନଥିଲେ। ଜୁନ୍‌ ଆରମ୍ଭ ହେଉ ହେଉ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇଲେ। ଜୁନ ୪ ତାରିଖରେ ୩ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୫ରେ ୬ ଜଣ, ୬ରେ ଜଣେ ଲୋକାଲ କେସ୍‌ ବାହାରିଥିଲା। ଏହାପରେ ୧୧ ତାରିଖ ଯାଏ ଭୁବନେଶ୍ୱରରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ହେଲେ ସ୍ଥାନୀୟ କେସ୍‌ କିଛି ନଥିଲା। ହୋମକ୍ୱାରେଣ୍ଟାଇନରୁ ହିଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରବାସୀ ଟିକେ ଆଶ୍ୱସ୍ତ ହୋଇଥିଲେ।

୧୨ ତାରିଖରୁ ୨୯ ତାରିଖ ଯାଏ ଯେଉଁ ରିପୋର୍ଟ ଆସିଲା ତାକୁନେଇ ଚାରିଆଡ଼େ ଭୟ ଖେଳିଯାଇଛି। ୧୨ ତାରିଖରେ ଜଣେ ସ୍ଥାନୀୟ ସଂକ୍ରମିତ ପୁଣି ବାହାରିଥିଲେ। ୧୩ରେ ଜଣେ ସ୍ଥାନୀୟ ସଂକ୍ରମିତ, ୧୪ରେ ୨ ଜଣ, ୧୫ରେ ୨ ଜଣ, ୧୬ରେ ୨ ଜଣ, ୧୭ରେ ତିନି ଜଣ, ୧୮ରେ ୫ ଜଣ ଚିହ୍ନଟ ହୋଇଥିଲେ।

୧୮ରେ ଯେଉଁ ୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ ସେମାନଙ୍କ ଭିତରେ ୩ ଜଣ ଥିଲେ କରୋନା ଯୋଦ୍ଧା। ସେହିପରି ୧୯ରେ ୩ ଜଣ, ୨୦ରେ ୧୫ ଜଣ, ୨୩ରେ ଜଣେ, ୨୪ରେ ୧୯ ଜଣ, ୧୫ରେ ୧୩ ଜଣ, ୨୬ରେ ୧୪ ଜଣ, ୨୭ରେ ୫ ଜଣ, ୨୮ରେ ୩ ଜଣ, ୨୯ରେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଜୁନ୍‌ ପରେ ଜୁଲାଇରେ ବି ସଂକ୍ରମଣ ବଢ଼ି ଚାଲିଛି। ଦିନକୁ ସ୍ଥିତି ଜଟିଳ ହେଉଛି। ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତା ବଢ଼ାଉଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରୁ ନୂଆ ନୂଆ ରୋଗୀ ବାହାରୁଥିବାରୁ ଭୟ ବଢ଼ିଛି।

Comment