ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ଶ୍ରମଜୀବୀ ମହିଳାମାନଙ୍କ ପିଲାଙ୍କ ଯତ୍ନ ପାଇଁ ଗଢ଼ି ଉଠିଥିବା କ୍ରେଚ୍‌ ଶିଶୁଙ୍କ ପୁଷ୍ଟିହୀନତା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।  

  • ଡିଏମ୍‌ଏଫ୍‌ ସହାୟତାରେ କେନ୍ଦୁଝରରେ ‘ମମତା ଘର’
  • ଶିଶୁମାନଙ୍କ ଯତ୍ନ ଓ ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ
  • ୩ଟି ବ୍ଲକ ଏବଂ ଗୋଟିଏ ମ୍ୟୁନିସିପାଲିଟିରେ ୬୦ଟି ମମତା ଘର
  • ୬ ମାସରେ ୫୦୦ ‘ମମତା ଘର’ କରିବାକୁ ଲକ୍ଷ୍ୟ
  • କରୋନା ପାଇଁ ଶିଶୁଙ୍କ ଘରେ ପହଞ୍ଚୁଛି ଶୁଖିଲା ଖାଦ୍ୟ

ଖଣି ପ୍ରଭାବିତ ଜିଲ୍ଲା କେନ୍ଦୁଝରରେ ପିଲାମାନଙ୍କର ପୁଷ୍ଟିହୀନତା ଦୂର କରିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ‘ମମତା ଘର’ (କ୍ରେଚ୍‌) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଜାରି ରହିଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗତ ମାର୍ଚ୍ଚ ୧୫ ତାରିଖରୁ ‘ମମତା ଘର’ ସାମୟିକ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ଘରକୁ ଶୁଖିଲା ଖାଦ୍ୟ ଦିଆଯାଉଛି। ସପ୍ତାହକୁ ଚାରୋଟି ଅଣ୍ଡା ଓ ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁମାନଙ୍କୁ ସପ୍ତାହକୁ ୬ଟି ଅଣ୍ଡା ଦିଆଯାଉଛି।

କେନ୍ଦୁଝର ଜିଲ୍ଲାରେ ୭ ମାସରୁ ୩ ବର୍ଷ ବୟସ ଶିଶୁମାନଙ୍କର ସ୍ଵାସ୍ଥ୍ୟ ତଥା ପୁଷ୍ଟିରେ ଉନ୍ନତି ଆଣିବା ପାଇଁ ୨୦୧୮ ମସିହାରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ‘ମମତା ଘର’ ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଭାରତରେ ପ୍ରଥମ କରି କେନ୍ଦୁଝର ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ ପ୍ରଣୟନ କରାଯାଇଛି। ଆଗାମୀ ୬ ମାସରେ ୫୦୦ଟି ମମତା ଘର ଖଣି ପ୍ରଭାବିତ ଗ୍ରାମମାନଙ୍କରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଗତ ଦୁଇବର୍ଷ ମଧ୍ୟରେ ବାଂଶପାଳ, ହରିଚନ୍ଦନପୁର ଓ ଯୋଡା ବ୍ଲକ ଏବଂ ବଡବିଲ ମ୍ୟୁନିସିପାଲିଟିରେ ମୋଟ ୬୦ଟି ‘ମମତା ଘର’ ଖୋଲାଯାଇଛି। ଏଥିରେ ୧୮୯୩ ଜଣ ଶିଶୁ ଉପକୃତ ହେଉଛନ୍ତି। ବରିଷ୍ଠ ପ୍ରକଳ୍ପ ଅଧିକାରୀ ଆର୍ଯ୍ୟସୂତା ଅପର୍ଣ୍ଣାଭଦ୍ରା ଦାଶଙ୍କର ଉଦ୍ୟମ ଯୋଗୁଁ କେନ୍ଦୁଝର ଜିଲ୍ଲାର ଏହିସବୁ ବ୍ଲକରେ ଶିଶୁମାନଙ୍କର ପୁଷ୍ଟି ଓ ସ୍ୱାସ୍ଥ୍ୟର ଉନ୍ନତି ହୋଇଛି।

‘‘ଶ୍ରମଜୀବୀ ମହିଳାମାନଙ୍କ ପିଲାମାନଙ୍କର ଯତ୍ନ ନେବା ଓ ପୁଷ୍ଟିହୀନତା ଦୂର ପାଇଁ ଡିଏମ୍‌ଏଫ୍‌ ସହାୟତାରେ ‘ମମତା ଘର’ ଖୋଲାଯାଇଛି। ବର୍ତ୍ତମାନ ୬୦ଟି ‘ମମତା ଘର’ କେନ୍ଦୁଝର ଜିଲ୍ଲାରେ ରହିଛି। କରୋନା ପାଇଁ ଶିଶୁମାନଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯାଉଛି। ଆଗାମୀ ଦିନରେ ଏହି ପ୍ରକଳ୍ପ ଆହୁରି ଭଲଭାବରେ ପରିଚାଳନା କରାଯିବ’’, କହିଛନ୍ତି ଜିଲ୍ଲାପାଳ ଆଶିଷ ଥାକ୍‌ରେ।

କ’ଣ ଏହି ‘ମମତା ଘର’?

ଖଣି ଖାଦାନ ପ୍ରଭାବିତ ଜିଲ୍ଲା କେନ୍ଦୁଝରରେ ବହୁ ଶ୍ରମଜୀବୀ ମହିଳା ଅଛନ୍ତି। ରୋଜଗାର କରିବା ପାଇଁ ସେମାନେ ପ୍ରତିଦିନ ଘରୁ ବାହାରକୁ ଯାଇଥାନ୍ତି। ଫଳରେ ସେମାନେ ସେମାନଙ୍କ ଶିଶୁର ଠିକ୍‌ ଭାବେ ଯତ୍ନ ନେଇପାରନ୍ତି ନାହିଁ। ଶିଶୁମାନେ ପୁଷ୍ଟିହୀନତାର ଶିକାର ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ‘ମମତା ଘର’ ଯୋଜନା ଆରମ୍ଭ କରାଯାଇଛି।

ପ୍ରତିଦିନ ସକାଳ ୮ଟା ବେଳେ ମାଆମାନେ ତାଙ୍କ ଶିଶୁକୁ ଆଣି ‘ମମତା ଘରେ’ ଛାଡ଼ିଦେଇ କର୍ମକ୍ଷେତ୍ରକୁ ଯାଇଥାନ୍ତି। ନିଜ କାମ କରିବା ସହିତ କିଛି ରୋଜଗାର ମଧ୍ୟ କରିଥାନ୍ତି। ପ୍ରାୟ ୮ ଘଣ୍ଟା ଏହି ଶିଶୁମାନେ ‘ମମତା ଘରେ’ ରହିଥାନ୍ତି। ଏମାନଙ୍କ ଯତ୍ନ ନେବା ପାଇଁ ‘ଏକଜୁଟ’ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସେହି ଗ୍ରାମର ଦୁଇଜଣ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଶିଶୁମାନଙ୍କ ଯତ୍ନ କେମିତି ନିଆଯିବ ସେନେଇ ତାଲିମ ମଧ୍ୟ ସ୍ଵତନ୍ତ୍ର ତାଲିମ ଦିଆଯାଇଛି।

ମା’ମାନେ କାମକୁ ଯାଇଥାନ୍ତି ସତ, ହେଲେ ପିଲାମାନେ ମମତାରୁ ବଞ୍ଚିତ ହୋଇ ନଥାନ୍ତି। ମା’ର ଆଦର ଓ ଯତ୍ନ ଦେଇଥାନ୍ତି ଏହି ମମତା ଘରର ଦିଦିମାନେ।

ପ୍ରତିଦିନ ୭୦ ପ୍ରତିଶତ ଖାଦ୍ୟ ଶିଶୁଟି ଏହି ‘ମମତା ଘରେ’ ଖାଇଥାଏ। ମମତା ଘରର ଦିଦିମାନେ ଶିଶୁମାନଙ୍କୁ ଆଦର ଓ ଯତ୍ନ କରିବା ସହ ଠିକ ସମୟରେ ନିର୍ଦ୍ଧାରିତ ଖାଦ୍ୟ ଖୁଆଇଥାନ୍ତି। ଏହାସହ ସେମାନଙ୍କ ଶାରୀରିକ, ମାନସିକ ଓ ଭାଷାର ବିକାଶ ପାଇଁ ବିଭିନ୍ନ ପ୍ରକାର ନାଚ ଗୀତ , ଖେଳକୁଦ ଆଦି କରିଥାନ୍ତି। ଏଠାରେ ଶିଶୁମାନଙ୍କର ଖେଳିବା ପାଇଁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକବିହୀନ ହାତ ତିଆରି ଖେଳଣା ରହିଛି। ପ୍ରତ୍ୟେକ ମାସରେ ଅଭିଭାବକଙ୍କ ବୈଠକରେ ଏହି ଖେଳଣା ପ୍ରସ୍ତୁତ କରାଯାଇଥାଏ।

CGU new‘ମମତା ଘର’ ର କାନ୍ଥଗୁଡ଼ିକ ବିଭିନ୍ନ ପ୍ରକାର ରଙ୍ଗରେ ଚିତ୍ରିତ କରାଯାଇଥାଏ। ଏହାକୁ ଦେଖି ଶିଶୁମାନେ ଅତ୍ୟନ୍ତ ଖୁସି ହୋଇଥାନ୍ତି। ଧୂଆଁ ଓ ଧୁଳିରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ‘ମମତା ଘରେ’ ସ୍ମୋକ ଲେସ ଚୁଲା ବ୍ୟବହାର କରାଯାଉଛି। ଶିଶୁମାନଙ୍କୁ ସଫା ସୁତୁରା ରଖାଯାଉଛି।

ଏଠାରେ ନିୟୋଜିତ ଦିଦିମାନେ ରୋଷେଇ କରିବା ପୂର୍ବରୁ, ଶିଶୁଙ୍କୁ ଖୁଆଇବା ପୂର୍ବରୁ, ଶିଶୁମାନଙ୍କୁ ସଫା ସୁତୁରା କରିବା ପରେ ଭଲଭାବେ ହାତ ଧୋଉଛନ୍ତି। ଶିଶୁମାନେ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା ପାଇଁ ସ୍ଵତନ୍ତ୍ର ଭାବେ ହ୍ୟାଣ୍ଡୱାସ ଷ୍ଟେସନ ତିଆରି କରାଯାଇଛି।

କେଉଁଦିନ କ’ଣ କରାଯିବ ଏବଂ ଶିଶୁମାନେ କ’ଣ ଖାଇବେ ସେନେଇ ‘ମମତା ଘର’ କାନ୍ଥରେ ସମୟ ସାରଣୀ ଓ ସାପ୍ତାହିକ ଖାଦ୍ୟ ସୂଚୀ ଲଗାଯାଇଛି। ଶିଶୁମାନେ ସପ୍ତାହରେ ୪ଟି ଅଣ୍ଡା ଖାଉଥିବା ବେଳେ ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁମାନେ ସପ୍ତାହରେ ୬ଟି ଅଣ୍ଡା ଖାଉଛନ୍ତି। ଏହି ଶିଶୁମାନଙ୍କର ପ୍ରତ୍ୟେକ ମାସରେ ଓଜନ ମପା ଯାଉଥିବା ବେଳେ ପ୍ରତି ଦୁଇ ମାସରେ ଥରେ ଉଚ୍ଚତ ବା ଲମ୍ବ ମପାଯାଏ। ଏକ ବର୍ଷ ମଧ୍ୟରେ ଶିଶୁ ମାନଙ୍କଠାରେ ୮୦ ପ୍ରତିଶତ ପୁଷ୍ଟିହୀନତାରେ ଉନ୍ନତି ଦେଖାଯାଉଛି ବୋଲି ଏକଜୁଟର ପୋଗ୍ରାମ ମ୍ୟାନେଜର ସଂଜୀବ କୁମାର ଘୋଷ ସୂଚନା ଦେଇଛନ୍ତି।

ଏହି ଶିଶୁମାନଙ୍କୁ ବର୍ଷକୁ ୫ଟି ଡ୍ରେସ, ଶୀତ ବସ୍ତ୍ର ଏବଂ ହଳେ ଚପଲ ଦିଆଯାଉଛି। ମମତା ଘରର ସୁପରିଚାଳନା ପାଇଁ ଏକଜୁଟ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ୧୦ଟି ମମତା ଘର ପାଇଁ ଗୋଟିଏ ସୁପରଭାଇଜର ଓ ୬୦ଟି ମମତା ଘର ପାଇଁ ୨ ଜଣ ପ୍ରୋଗ୍ରାମ ମ୍ୟାନେଜର ରହିଛନ୍ତି।

‘ମମତା ଘରେ’ ଶିଶୁଙ୍କୁ କ’ଣ ମିଳେ ଫାଇଦା?

  • ଏଠାରେ ଶିଶୁଟି ଠିକ ସମୟରେ ଖାଦ୍ୟ ଖାଉଥିବାରୁ ଶିଶୁଟିର ଓଜନ ଓ ଉଚ୍ଚତା ବା ଲମ୍ବ ଠିକ ଭାବରେ ବଢିଥାଏ।
  • ଶିଶୁଟି ସଫାସୁତୁରା ରହିବାରୁ ସୁସ୍ଥ ରହିଥାଏ।
  • ଶିଶୁଟିର ବଡ଼ ଭାଇ ଭଉଣୀ, ଯିଏକି ସ୍କୁଲ ନଯାଇ ଶିଶୁଟିକୁ ଘରେ ରଖୁଥିଲେ, ସେମାନେ ଏବେ ସ୍କୁଲ ଯାଇପାରୁଛନ୍ତି।
  • ମମତା ଘରେ ମାଆମାନେ ନିଜ ଶିଶୁକୁ ଛାଡ଼ିଦେଇ ନିଜ ନିଜ କାମ କରିବା ସହିତ ରୋଜଗାର ମଧ୍ୟ କରିପାରିଥାନ୍ତି।

ଗ୍ରାମବାସୀଙ୍କ ସହଯୋଗ

  • ‘ମମତା ଘର’କୁ ବିଭିନ୍ନ ରଙ୍ଗରେ ଚିତ୍ରିତ କରିଥାନ୍ତି
  • ‘ମମତା ଘର’ ର ପୁଷ୍ଟି ବଗିଚା ତିଆରି, ତାର ବାଡ଼ ତିଆରି, ପନିପରିବା ଗଛ ଲଗାଇବା ଆଦି କାମ କରିଥାନ୍ତି।
  • ଶିଶୁମାନଙ୍କ ଖେଳିବା ପାଇଁ ପ୍ଲାଷ୍ଟିକ ବିହୀନ ହାତ ତିଆରି ଖେଳଣା ତିଆରି କରିବାରେ ସହଯୋଗ।
  • ମମତା ଘରର ମରାମତି କରିବା।
  • ଶିଶୁମାନଙ୍କ ପାଇଁ ଆରିଶା ପିଠା ତିଆରି କରିବାରେ ସାହାଯ୍ୟ।

କରୋନା ସଙ୍କଟ ବେଳେ ‘ମମତା ଘର’ ବନ୍ଦ ହୋଇଯାଇଛି ସତ, ହେଲେ ଦିଦିମାନେ ଏବେ ବି ପିଲାମାନଙ୍କ ବିକାଶ ପାଇଁ ପ୍ରୟାସରତ। କିଏ ବଗିଚାକୁ ସବୁଜ ସୁନ୍ଦର କରୁଛି ତ ଆଉ କିଏ ଶିଶୁମାନଙ୍କ ମାନସିକ ବିକାଶ ପାଇଁ ନୂଆ ନୂଆ ଖେଳଣା ତିଆରି କରୁଛି।

Comment