ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟରେ ସଚିନ ପାଇଲଟଙ୍କ ଆବେଦନର ଶୁଣାଣି ହେବା ପୂର୍ବରୁ ପାଇଲଟଙ୍କ ୨ ସମର୍ଥକ ବିଧାୟକ ଭମ୍ବର ଲାଲ୍ ଏବଂ ବିଶ୍ଵେନ୍ଦ୍ର ସିଂହଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ।

ଯୁବନେତା ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ରାଜସ୍ଥାନ ରାଜନୀତି ଏବେ ସରଗରମ ଥିଲା ବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସଚିନ ପାଇଲଟ ଓ ତାଙ୍କର ୧୯ ଜଣ ସମର୍ଥକ ବିଧାୟକଙ୍କ ସଦସ୍ୟତା ରଦ୍ଦ ନେଇ ବାଚସ୍ପତି ପଠାଇଥିବା ନୋଟିସକୁ ଚାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସଚିନ। ସଚିନଙ୍କ ଏହି ଆବେଦନ ଉପରେ ଆଜି ଶୁଣାଣି କରିବେ କୋର୍ଟ।

ଅନ୍ୟପକ୍ଷରେ ଶୁଣାଣି ପୂର୍ବରୁ ସଚିନଙ୍କୁ ଆଉ ଏକ ଝଟକା ଲାଗିଛି। ସଚିନଙ୍କ ସମର୍ଥକ ଦୁଇ ବିଧାୟକ ଭମ୍ବରଲାଲ୍ ଶର୍ମା  ଓ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହି ଦୁଇ ବିଧାୟକଙ୍କ ବିରୋଧରେ ବିଜେପି ସହ ବୁଝାମଣା କରି ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ ରହିଛି।

ପାଇଲଟଙ୍କୁ ଦଳରୁ ବିଦା କରିବା ପରେ ଗତ ଜୁଲାଇ ୧୫ ତାରିଖରେ ବିଧାନସଭାର ବାଚସ୍ପତି ସଚିନ ପାଇଲଟ ଓ ତାଙ୍କର ଅନୁଗତ ବିଧାୟକଙ୍କୁ ନୋଟିସ୍ କରିଥିଲେ। ଏଥିରେ ସେମାନେ ଦଳୀୟ ହୁଇପକୁ ମାନିନଥିବା ନେଇ ଅଭିଯୋଗ ହୋଇଥିଲା। ଏଥିସହ ତାଙ୍କୁ କାହିଁକି ବିଧାନସଭା ସଭ୍ୟ ପଦରୁ ବାହାର କରାଯିବନି ସେନେଇ ମଧ୍ୟ ଉତ୍ତର ଦେବାକୁ କୁହାଯାଇଥିଲା। ୧୭ ତାରିଖ ଦିନ ୧ଟା ସୁଦ୍ଧା ସେମାନଙ୍କୁ ଲିଖିତ ଆକାରରେ ଉତ୍ତର ରଖିବାକୁ କୁହାଯାଇଥିଲା।

Comment