ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁନ୍ଦରଗଡ଼ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭାବବିହ୍ୱଳ ପରିବେଶ
  • ଗୋଲାପ ଫୁଲ, ଚକୋଲେଟ୍‌ ଦିଆଯାଇ କରାଗଲା ଉତ୍ସାହିତ
  • ଖୁବଶୀଘ୍ର ଡ୍ୟୁଟିରେ ଯୋଗଦେବେ କରୋନାକୁ ଜିତିଥିବା ପୋଲିସ କର୍ମୀ

କରୋନା ମହାମାରୀକୁ ପରାଜିତ କଲେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ପୋଲିସ କର୍ମଚାରୀ। ଗୋଟିଏ ଦିନରେ ୩୪ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିବା ସାରା ଜିଲ୍ଲାରେ ଉତ୍ସାହର ବାତବାରଣ ସୃଷ୍ଟି କରିଛି। ମାତ୍ର ଅଳ୍ପ ଦିନରେ କରୋନାକୁ ଜିତିଥିବା ଏହି ପୋଲିସ କର୍ମଚାରୀଙ୍କୁ ରବିବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଏବଂ ଏନଟିପିସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ଥିବା କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷଙ୍କ ତରଫରୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ଗୋଲାପ ଫୁଲ, ଚକୋଲେଟ୍‌ ଦିଆଯାଇ ଆଗଧାଡ଼ିର କରୋନା ଯୋଦ୍ଧା ସାଜିଥିବା ଏହି ପୋଲିସ କର୍ମଚାରୀଙ୍କୁ ଉତ୍ସାହିତ କରାଯାଇଥିଲା।

ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ବିଡିଓ ଅନାମିକା ସିଂହ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ କାହ୍ନୁ ଚରଣ ନାୟକ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି ସମ୍ବର୍ଦ୍ଧନା ପ୍ରଦାନ ବେଳେ ଉପସ୍ଥିତ ଥିଲେ।

‘‘କରୋନା ଆକ୍ରାନ୍ତ ହୋଇଥିବା ପୋଲିସ କର୍ମଚାରୀମାନେ ସୁସ୍ଥ ହେବା ଖବର ପ୍ରଶାସନକୁ ଆଶ୍ୱସ୍ତ କରିଛି। କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷ ପୋଲିସ କର୍ମଚାରୀମାନଙ୍କ ଭଲ ଯତ୍ନ ନେଇଥିବାରୁ ସେମାନେ ଶୀଘ୍ର ସୁସ୍ଥ ହୋଇପାରିଛନ୍ତି। ଆଶା କରାଯାଉଛି ଏହି ପୋଲିସ କର୍ମଚାରୀମାନେ ଶୀଘ୍ର ଡ୍ୟୁଟିରେ ଯୋଗଦେବେ’’, କହିଛନ୍ତି ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା।

CGU newକରୋନା ସମୟରେ ନିଜ ଘର ପରିବାରକୁ ପଛରେ ଛାଡ଼ି ଡ୍ୟୁଟି କରୁଥିଲେ ପୋଲିସ କର୍ମଚାରୀ। ରାସ୍ତା ଉପରେ ଛିଡ଼ା ହୋଇ ଲୋକଙ୍କୁ କରୋନାର ଭୟାବହତା ସମ୍ପର୍କରେ ସଚେତନ କରିବା ସହ ଘରୁ ନବାହାରିବାକୁ ପରାମର୍ଶ ଦେଉଥିଲେ। ଏହାସହ ଅମାନିଆଙ୍କୁ ତାଗିଦ୍‌ ମଧ୍ୟ କରୁଥିଲେ। ହେଲେ କର୍ତ୍ତବ୍ୟ ସମ୍ପାଦନ କରିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ପୋଲିସ କର୍ମଚାରୀ କରୋନା କବଳରୁ ବର୍ତ୍ତି ନଥିଲେ। ଅଳ୍ପ କିଛିଦିନ ତଳେ ୩୪ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ଏନଟିପିସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମାତ୍ର ଅଳ୍ପ ଦିନରେ ଏହି ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ ହୋଇ ଘରକୁ ଆସିଛନ୍ତି।

‘‘କରୋନା ବେଳେ ଡ୍ୟୁଟି କରୁଥିବାରୁ ଆମମାନଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ଏଥିରୁ ୩୪ ଜଣ ପୋଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ, ଡାକ୍ତରମାନଙ୍କର ଉପଯୁକ୍ତ ସେବା ଓ ଯତ୍ନ ଯୋଗୁଁ ଆମେମାନେ ସୁସ୍ଥ ହୋଇ ଘରକୁ ଫେରିଛୁ। ସୁନ୍ଦରଗଡ଼ବାସୀଙ୍କ ଭଲପାଇବା ଯୋଗୁଁ ଏହା ସମ୍ଭବ ହୋଇଛି। ଆମେମାନେ ଖୁବଶୀଘ୍ର ଡ୍ୟୁଟିକୁ ଫେରିବୁ’’, କହିଛନ୍ତି ସୁନ୍ଦରଗଡ଼ ଟାଉନ ଥାନା ଆଇଆଇସି ବିବତ୍ସ ପ୍ରଧାନ।

ଏହାସହ ସେ ଆହୁରି କହିଛନ୍ତି ଯେ, କୋଭିଡ୍‌-୧୯ ଯୁଦ୍ଧରେ ପୋଲିସ ଏବଂ ପ୍ରଶାସନ ଯେଉଁ ଲଢ଼େଇ ଲଢୁଛି ସେଥିରେ ସୁନ୍ଦରଗଡ଼ବାସୀ ସହଯୋଗ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ କୋଭିଡ୍‌-୧୯ ଗାଇଡଲାଇନ୍‌କୁ ଠିକ୍‌ ଭାବେ ମାନୁଛନ୍ତି। ଏହା ପୋଲିସକୁ ଆଗାମୀ ଦିନରେ ଅଧିକ ଉତ୍ସାହିତ କରିବ।

ମୁହଁରେ ମାସ୍କ ବାନ୍ଧି, ହାତରେ ଗୋଲାପ ଫୁଲ ଏବଂ ଚକୋଲେଟ୍‌ ଧରି ଯେତେବେଳେ ୩୪ ଜଣ ପୋଲିସ କର୍ମଚାରୀ ହସ୍ପିଟାଲ ପରିସରରୁ ଏକାସାଙ୍ଗରେ ବାହାରିଥିଲେ ସେତେବେଳେ ଏକ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ପୋଲିସ କର୍ମଚାରୀମାନେ କିଛିଦିନ ହୋମକ୍ୱାରେଣ୍ଟାଇନରେ ରହିବେ ଏବଂ ଏହାପରେ ଡ୍ୟୁଟିରେ ଯୋଗଦେବେ।

Comment