ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ଉନ୍ନତି ତଥା ବିକ୍ରିବଟା ପାଇଁ ଓଡ଼ିଶା ସରକାର ଫ୍ଲିପକାର୍ଟ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଦେଶର ଅଗ୍ରଣୀ ଇ ପ୍ଲାଟଫର୍ମ କମ୍ପାନି ସହ ଚୁକ୍ତି ଫଳରେ କାରିଗର ମାନେ ସେମାନଙ୍କ ସାମଗ୍ରୀକୁ ପ୍ରଦର୍ଶନ କରିବା ସହ ବିକ୍ରି ମଧ୍ୟ କରିପାରିବେ।

ରାଜ୍ୟ ସରକାରଙ୍କ ସଂସ୍ଥା ସିଡ଼ାକ ସହିତ ବୁଝାମଣା ପତ୍ର ସ୍ୱାକ୍ଷର ହେବା ପରେ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସିଡ଼ାକର ଜଣେ ଅଧିକାରୀ କହିଛନ୍ତି। ଫ୍ଲିପକାର୍ଟ ସହ ଚୁକ୍ତି ଫଳରେ ନିପଟ ଗାଁ ଗହଳରେ ଥିବା ହସ୍ତଶିଳ୍ପୀମାନେ ମଧ୍ୟ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କ ସହ ଯୋଡ଼ି ହୋଇପାରିବେ।CGU new

କେବଳ ବିକ୍ରି ନୁହେଁ, ବ୍ରାଣ୍ଡିଙ୍ଗ, ଡିଜିଟାଲ ମାର୍କେଟିଙ୍ଗ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ମଧ୍ୟ ହସ୍ତଶିଳ୍ପୀମାନେ ପ୍ରଭୁତ ଜ୍ଞାନ ଆହରଣ କରି ପାରିବେ। ଏଥି ସହିତ ରାଜ୍ୟର ବିଭିନ୍ନ କୌଳିକ ହସ୍ତଶିଳ୍ପ ସମ୍ପର୍କରେ ବିଶ୍ୱ ତମାମ ଗ୍ରାହକ ଜାଣିପାରିବେ ବୋଲି ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ କେସି ସାହୁ କହିଛନ୍ତି।

ସୂଚନା ଅନୁଯାୟୀ,ରାଜ୍ୟର ତିନୋଟି ଲୋକପ୍ରିୟ ସଂସ୍ଥା ‘ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟ’ର ପରିଚାଳନା ବୋର୍ଡ଼ ସହ ମଧ୍ୟ ଫ୍ଲିପକାର୍ଟ ଯୋଡ଼ି ହେବ।

ଓଡିଶା ସରକାରଙ୍କ ସହିତ ହୋଇଥିବା ଚୁକ୍ତିରେ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଓଡ଼ିଶାର ହସ୍ତଶିଳ୍ପକୁ ଆମ ପ୍ଲାଟଫର୍ମରେ ଆଣିବା ଦ୍ୱାରା ବୁଣାକାର ଓ କାରିଗର ମାନେ ସେମାନଙ୍କର ଜ୍ଞାନ କୌଶଳକୁ ବିକଶିତ କରିବା ସହ ସର୍ବ ଭାରତୀୟ ସ୍ତରରେ ସେମାନଙ୍କର ସାମଗ୍ରୀକୁ ପରିଚିତ କରାଇପାରିବେ ବୋଲି କହିଛନ୍ତି ଫ୍ଲିପକାର୍ଟ ଗ୍ରୁପର ମୁଖ୍ୟ କର୍ପୋରେଟ ମାମଲା ଅଧିକାରୀ ରଜନୀଶ କୁମାର।

LEAVE A REPLY

Please enter your comment!
Please enter your name here