ଓଡିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ କ୍ୟାମ୍ପ କରାଯିବ। କଟକରେ ଆସନ୍ତାକାଲି ଠାରୁ ୭ ଦିନିଆ ରକ୍ତଦାନ ଶିବିର ଆୟୋଜିତ ହେବ । ଏନେଇ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ବର୍ତ୍ତମାନ ୮୦ ହଜାର ରକ୍ତଜନିତ ରୋଗୀ ଥିବା ବେଳେ ୫୬ଟି ବ୍ଲଡ୍‌ବ୍ୟାଙ୍କ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ଵରାନ୍ଵିତ କରାଯିବ। କରୋନା ମହାମାରୀ ସମୟରେ ଯେପରି ରକ୍ତ ସଙ୍କଟ ସୃଷ୍ଟି ନହୁଏ ସେଥିପାଇଁ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ‘ଓଡ଼ିଶା ମୋ ପରିବାର’ ସୂଚନା ଦେଇଛି।‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି, “ଖରାଦିନେ ଥାଲାସେମିଆ ରୋଗୀ ଏବଂ ଅନ୍ୟ ରକ୍ତଜନିତ ରୋଗରେ ପିଡ଼ିତ ରୋଗୀଙ୍କ ପାଇଁ ରକ୍ତ ମିଳିବାରେ ଟିକେ ଅସୁବିଧା ହୁଏ। କୋଭିଡ୍ କଟକଣା ଯୋଗୁଁ ଅବସ୍ଥା ଆହୁରି ବିକଟ ହୋଇଯାଇଛି। ରାଜ୍ୟରେ ଗତ ୩ ଦିନ ହେଲା ରକ୍ତଦାନ ଶିବିର ଆୟୋଜିତ ହେଉଛି ଏବଂ ଆଗକୁ ମଧ୍ୟ ଜାରି ରହିବ।”

ବିଭିନ୍ନ ଜନପ୍ରତିନିଧି ଏବଂ ଅନୁଷ୍ଠାନ ବିଶେଷକରି ବିଧାୟକ, ସାଂସଦମାନେ ଏ କ୍ଷେତ୍ରରେ ନେତୃତ୍ଵ ନେଇ ଅନ୍ୟମାନଙ୍କୁ ଉତ୍ସାହିତ କରି ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ‘ମୋ ପରିବାର’ର ସଂଯୋଜକ ଅତନୁ ସବ୍ୟସାଚୀ ନାୟକ ଅନୁରୋଧ କରିଛନ୍ତି।

Comment