ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀକୁ ହରାଇବା ପାଇଁ ଓ ସଂକ୍ରମଣର ଗତିକୁ ରୋକିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟତଃ ସୂଚନା, ସଚେତନତା ଓ ଯୋଗାଯୋଗ ଆଇଇସି ଉପରେ ଏଣିକି ଗୁରୁତ୍ୱ ଦିଆଯିବ। ଲୋକମାନଙ୍କ ମଧ୍ୟରେ ଆଚରଣଗତ ପରିବର୍ତ୍ତନ ଆଣିବା, ରୋଗ ସଂକ୍ରମଣ ଉପରେ କଡ଼ା ନଜର ରଖିବା, ଯେଉଁମାନେ ଯୋଦ୍ଧା ଭାବରେ ଆଗକୁ ଆସିଛନ୍ତି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା, କରୋନା ସମ୍ପର୍କରେ ସେମାନଙ୍କର ଜ୍ଞାନ ବଢ଼ାଇବା ପାଇଁ ବିଏମ୍‌ସି ବିଶେଷ ଦୃଷ୍ଟି ଦେବ।

ବିଏମ୍‌ସିର ପ୍ରତିଟି ୱାର୍ଡ ପାଇଁ ଏକ ବଜେଟ ରଖାଯିବ ଓ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ। ବର୍ଷକୁ ପ୍ରତି ୱାର୍ଡକୁ ଏଥିପାଇଁ ଲକ୍ଷେ ଟଙ୍କା ମିଳିବ। ଏହି ଟଙ୍କାରେ ବସ୍ତି କମିଟି ଖର୍ଚ୍ଚ ମଧ୍ୟ ଚାଲିବ। ଜୋନାଲ ଡେପୁଟି କମିସନରମାନେ ଆକ୍ସନ ପ୍ଲାନ ତିଆରି କରିବେ ଓ କୋଭିଡ୍ ଦାୟିତ୍ୱରେ ଥିବା ବିଏମ୍‌ସି ଡେପୁଟି କମିସନରଙ୍କୁ ତାହା ଦାଖଲ କରିବେ।

ୱାର୍ଡ ସୁପରଭାଇଜର, ଗୋଷ୍ଠୀ ଆୟୋଜକ, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ  ଓ ଏଏନ୍‌ଏମ୍‌ମାନେ ଏହି କାର୍ଯ୍ୟରେ ଜୋନାଲ କମିସନରଙ୍କୁ ସାହାଯ୍ୟ ଓ ସହଯୋଗ କରିବେ। ତା’ ଛଡ଼ା କରୋନା ସମୟରେ ଯେଉଁ ବସ୍ତି କମିଟି ଗଢ଼ାଯାଇଥିଲା ସେମାନେ ବି ଏଥିରେ ସାମିଲ ହେବେ।corona-1ଆହୁରି ମଧ୍ୟ ବିଏମ୍‌ସି ପକ୍ଷରୁ ୱାର୍ଡ କମିଟି, ପୂର୍ବତନ କର୍ପୋରେଟର, ଧାର୍ମିକ ଗୁରୁଙ୍କଠାରୁ ଏହି କାର୍ଯ୍ୟରେ ସହଯୋଗ ଲୋଡ଼ାଯିବ। ବିଏମ୍‌ସିର ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରାନ୍ତ କୌଣସି କାର୍ଯ୍ୟରେ ହୁଗୁଳା ରହିବ ନାହିଁ ଓ ସମସ୍ତଙ୍କର ଏଥିରେ ଭାଗିଦାରୀ ରହିବ। ୱାର୍ଡଭିତ୍ତିକ ଏହି ନୂଆ କାର୍ଯ୍ୟକ୍ରମର ନାଁ ରଖାଯାଇଛି ‘ମୋ ଶପଥ ନୂଆ ଅଭ୍ୟାସ ଅଭିଯାନ’।

କରୋନା ଆସିବା ପରଠାରୁ ବିଏମ୍‌ସି ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ଆସିଛି। ସାନିଟାଇଜେସନ ଠାରୁ ଆରମ୍ଭ କରି କ୍ୱାରେଣ୍ଟାଇନ୍ ଓ ଲୋକଙ୍କୁ ଠିକଣା ଜାଗାରେ ପହଞ୍ଚାଇବା ପର୍ଯ୍ୟନ୍ତ ବହୁ ରକମର କାର୍ଯ୍ୟ ସମ୍ପାଦନ କରାଯାଇଛି। ତେବେ ଏହା ଯଥେଷ୍ଟ ନୁହେଁ ବୋଲି ବିଏମ୍‌ସି ଅନୁଭବ କରିଛି।

Comment