ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାଭଳି ଗାଁର ଶିବ ପ୍ରସାଦ ଏବଂ ଭାରତୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ପେଟର ଭୋକ ଏବଂ ସ୍ଵାମୀଙ୍କ ପାଇଁ ଔଷଧ ଖର୍ଚ୍ଚ ତୁଲାଇବାକୁ ଭାରତୀ ପର ଘରେ ମୂଲ ଲାଗିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ଅସହାୟ ଦମ୍ପତିଙ୍କୁ କୌଣସି ପ୍ରକାର ସହାୟତା ମିଳିପାରିନାହିଁ।

ଦିନଥିଲା ହସଖୁସିରେ ବିତୁଥିଲା ଭାରତୀଙ୍କ ଛୋଟିଆ ପରିବାର। ଭାରତୀଙ୍କ ସ୍ଵାମୀ ଶିବ ପ୍ରସାଦ(୭୦) କଲିକତାର ଚଟକଳରେ ମାଳି ଭାବରେ କାମ କରୁଥିଲେ। କିନ୍ତୁ ୧୯୮୫ ମସିହାରେ ଚଟକଳ ବନ୍ଦ ହୋଇଯିବା ପରେ ସେ ସ୍ତ୍ରୀ ଓ ପୁଅ ଅଶୋକକୁ ଧରି ଗାଁକୁ ଫେରିଆସିଥିଲେ। ଗାଁରେ ପର ବିଲବାଡ଼ିରେ କାମ କରି ଦୁଃଖେ କଷ୍ଟେ ଚଳିଯାଉଥିଲେ। କିନ୍ତୁ କଲିକତାରୁ ଆସିବାର ୬ ମାସ ପରେ ସେ ପକ୍ଷାଘାତ ରୋଗରେ ପଡ଼ିଲେ ଶିବ ପ୍ରସାଦ। ଏହାପରେ ପୁଅ କାମ କରିବାକୁ କଲିକତା ଚାଲିଗଲା। କଲିକତାରୁ ପୁଅ ପ୍ରତି ମାସରେ ଶିବ ପ୍ରସାଦଙ୍କ ଔଷଧ ଏବଂ ଘର ଚଳେଇବା ବାବଦକୁ କିଛି ଟଙ୍କା ପଠାଏ।କିନ୍ତୁ କରୋନା ଯୋଗୁଁ ସେମାନଙ୍କର ସମସ୍ୟା ବଢ଼ିଯାଇଛି। କଲିକତାରେ କାମ ମିଳୁନଥିବାରୁ ପୁଅ ଆଉ ଘରକୁ ଟଙ୍କା ପଠାଇପାରୁନି। ଏଣେ କାମ ନ ମିଳିବାରୁ ଭାରତୀ ମଧ୍ୟ ଘରେ ବସିଛନ୍ତି। ତେଣୁ ମାଗିଯାଚି ଯାହା ମିଳୁଛି ସେଥିରେ ଦିନେ ଖାଇ ଦି ଦିନ ଉପାସ ରହୁଛନ୍ତି ଏହି ବୃଦ୍ଧ ଦମ୍ପତି।

ସରକାର ଦାରିଦ୍ର୍ୟ ଦୂର କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହି ଅସହାୟ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ରାସନ କାର୍ଡ ଖଣ୍ଡେ ପାଇବା ପାଇଁ ଭାରତୀ ଗୁହାରୀ କଲେ ମଧ୍ୟ ତାହା ନେତା କି ବାବୁମାନଙ୍କ କାନରେ ବାଜୁନି। ଯଦି ଶିବ ପ୍ରସାଦ ଓ ଭାରତୀ ଖାଦ୍ୟ କିମ୍ବା ଔଷଧ ଅଭାବରୁ ଚାଲି ଯାଆନ୍ତି ତେବେ ସରକାର ହିଁ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Comment