ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା
  • ଯୋଗ ଦେବେ ମୋଦୀ
  • ଭୂମି ପୂଜା ପୂର୍ବରୁ ରାଜନୀତି ଜୋର
  • ଟୁଇଟ କରି ରାମ ରାମ ଜପିଲେ ପ୍ରିୟଙ୍କା ଗାନ୍ଧୀ

ଦୀର୍ଘ ବର୍ଷର ସ୍ୱପ୍ନ ପୂରା ହେବାକୁ ଯାଉଛି।  ଆସନ୍ତାକାଲି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହେବ। ଏଥିପାଇଁ ଅଯୋଧ୍ୟାରେ ବିରାଟ ବଡ଼ ଆୟୋଜନ ଚାଲିଛି। ଭୂମି ପୂଜା ପାଇଁ ବିଭିନ୍ନ ଶକ୍ତି ପୀଠରୁ ମାଟି ଆସିବା ସହିତ ଦୀପ, ଉତ୍ସବ ଓ କଳସ ପୂଜା ପାଇଁ ବ୍ୟବସ୍ଥା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ମୋଦୀଙ୍କ ଗସ୍ତ ପାଇଁ ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଏହାରି ମଧ୍ୟରେ ରାମ ମନ୍ଦିରକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ଏହାକୁ ପ୍ରସଙ୍ଗକରି ରାଜନୈତିକ ଫାଇଦା ନେବା ବିଜେପି କଂଗ୍ରେସ ଭିତରେ ଛକାପଞ୍ଝା ଚାଲିଛି। ଏମିତିକି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ କରି ରାମ ରାମ ଜପିଛନ୍ତି।

କ’ଣ କହିଲେ ପ୍ରିୟଙ୍କା?

‘‘ରାମ ସମସ୍ତଙ୍କ ଭିତରେ ଅଛନ୍ତି, ରାମ ସମସ୍ତଙ୍କ ସହ ଅଛନ୍ତି। ସରଳତା, ସାହସ, ସଂଯମତା, ବଳିଦାନ, ପ୍ରତିବଦ୍ଧତା ହିଁ ରାମଙ୍କ ନାଁର ସାରକଥା।  ରାମ ମନ୍ଦିରର ଭୂମି ପୂଜା କାର୍ଯ୍ୟକ୍ରମ ଜାତୀୟ ଏକତା, ଭ୍ରାତୃଭାବ ଏବଂ ଏକ ସାଂସ୍କୃତିକ ଉତ୍ସବର ଅବସର ହେଉ’’, ଟୁଇଟ କରି କହିଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କାଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ହେଉଛି। କାରଣ ପ୍ରିୟଙ୍କା ହେଉଛନ୍ତି ଗାନ୍ଧୀ ପରିବାରର ପ୍ରଥମ ସଦସ୍ୟ ଯିଏ ଏପରି ବୟାନ ଦେଇଛନ୍ତି ଏବଂ ରାମ ମନ୍ଦିର ସହ ଜଡିତ କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି।

ପ୍ରିୟଙ୍କା ଏହି ବୟାନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଅଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କାରଣ ଉତ୍ତରପ୍ରଦେଶ ରାଜନୀତିରେ ପ୍ରିୟଙ୍କା ସକ୍ରିୟ ଅଛନ୍ତି। ଅନକ ସମୟରେ ଉତ୍ତରପ୍ରଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଥାନ୍ତି।

୨୦୧୯ ସାଧାରଣ ନିବାର୍ଚନରେ ପ୍ରିୟଙ୍କା ଉତ୍ତରପ୍ରଦେଶ ଦାୟିତ୍ୱ ନେଇଥିଲେ। ସେତେବେଳେ ଉତ୍ତରପ୍ରଦେଶରେ କୋଣ ଅନୁକୋଣରେ ଛାଇ ଯାଇଥିଲେ ପ୍ରିୟଙ୍କା। ଏବେ ପ୍ରିୟଙ୍କାଙ୍କ ବୟାନ ଉତ୍ତରପ୍ରଦେଶରେ କଂଗ୍ରେସକୁ ମାଇଲେଜ୍‌ ଦେଇପାରେ। କାରଣ ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନରେ ଅଯୋଧ୍ୟା ରାମ ମନ୍ଦିର ଏକ ବଡ଼ ପ୍ରସଙ୍ଗ ପାଲଟିବ ବୋଲି କୁହାଯାଉଛି।

ଆସନ୍ତାକାଲି ଭୂମି ପୂଜା

ଭୂମି ପୂଜାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅଯୋଧ୍ୟାବାସୀ। ଦିନ ୧୨ଟା ୩୦ରେ ହେବ ଭୂମି ପୂଜା। ଏଥିପାଇଁ ସକାଳ ସାଢ଼େ ୧୦ଟାରେ ଅଯୋଧ୍ୟାରେ ପହଞ୍ଚିବେ ମୋଦୀ। ଭୂମି ପୂଜା ପରେ ପ୍ରାୟ ୧ ଘଣ୍ଟା ଦେଶକୁ ସମ୍ବାଧିତ କରିବେ ମୋଦୀ।

ଭବ୍ୟ ରାମ ମନ୍ଦିର ଭୂମି ପୂଜା ପାଇଁ ସଜେଇ ହୋଇଛି ରାମନଗରୀ। କାନ୍ଥରେ ଲେଖା ହୋଇଛି ଶ୍ରୀରାମଙ୍କ ବାଣୀ। କେଉଁଠି ହନୁମାନଙ୍କ ବିଶାଳକାୟ ମୂର୍ତ୍ତିର ଚିତ୍ର କରାଯାଇଛି ତ କେଉଁଠି ରାଜା ଦଶରଥଙ୍କ ରାଜପ୍ରସାଦକୁ ଚିତ୍ରରେ ଜୀବନ୍ତ କରାଯାଇଛି।

୨୦୧୯ରେ ରାମ ମନ୍ଦିର ନିର୍ମାଣ ପାଇଁ ଫିଟିଥିଲା ବାଟ

ବର୍ଷ ବର୍ଷ ଧରି ଅଯୋଧ୍ୟାରେ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାରେ ସପ୍ରିମକୋର୍ଟରେ ଦୀର୍ଘ ୪୦ ଦିନ ଧରି ଶୁଣାଣି ଚାଲିଥିଲା। ଶେଷରେ ନଭେମ୍ବର ୯, ୨୦୧୯ରେ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ଏହାପରେ ସାରାଦେଶରେ ରାମ ମନ୍ଦିର ନିର୍ମାଣକୁ ନେଇ ଉତ୍ସାହ ଦେଖାଯାଇଥିଲା।

Comment