ଓଡିଶାଲାଇଭ୍ ବ୍ୟୁରୋ

ନଡ଼ିଆ ତେଲ ଓ ନଡ଼ିଆ କତା ତିଆରି ସାମଗ୍ରୀ ପ୍ରସ୍ତୁତ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ର ମହିଳାମାନେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଆମ ରାଜ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସ୍ଵାବଲମ୍ବୀ ହେବା ସହ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ର ଶ୍ରୀରାଧା ନଡ଼ିଆ ତେଲ କ୍ଲଷ୍ଟର ଏବଂ ଶ୍ରୀକ୍ଷେତ୍ର କଏର୍ ପ୍ରଡ୍ୟୁସର ଗ୍ରୁପର ସଦସ୍ୟାମାନେ। ସେମାନଙ୍କର ନିଷ୍ଠା, ଏକାଗ୍ରତା ଏବଂ ଏକତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

୨୦୧୧ ମସିହାରେ ସର୍ଜ୍ଜିତା ହରିଚନ୍ଦନ ୧୭ ଜଣ ମହିଳାଙ୍କୁ ନେଇ ଆରମ୍ଭ କରିଥିଲେ ଶ୍ରୀରାଧା ନଡ଼ିଆ ତେଲ କ୍ଲଷ୍ଟର। କ୍ଲଷ୍ଟରର ସଦସ୍ୟାମାନେ ମାତ୍ର ୫୦ ଟଙ୍କା ବ୍ୟୟରେ ନଡ଼ିଆ ତେଲ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ସେମାନଙ୍କୁ ଡିଆର୍‌ଡିଏ, ଓର୍‌ମାସ୍ ଏବଂ ଅଜୀବିକା ପରି ଅନୁଷ୍ଠାନ ସହାୟତା ପ୍ରଦାନ କରିଥିଲେ।“ନଡ଼ିଆ ତେଲ ସହିତ ଶୁଦ୍ଧ ରାଶି ତେଲ, ଗୁଆଘିଅ, ବଡ଼ି, ପାମ୍ପଡ଼, ମୁଗ ଡାଲି, କୋଳଥ ଡାଲି, ବିରି ଡାଲି ଆଦିକୁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିକ୍ରୟ କରୁଛୁ। ଏଥିରୁ ଆମେ ଭଲ ନାଁ କମାଇବା ସହିତ ଭଲ ରୋଜଗାର କରିପାରୁଛୁ”, କହିଛନ୍ତି ସର୍ଜ୍ଜିତା ହରିଚନ୍ଦନ।

କ୍ଲଷ୍ଟରର ସଫଳତା ପରେ ୬୦ ଜଣ ମହିଳାଙ୍କୁ ସଭ୍ୟା ଭାବରେ ଗ୍ରହଣ କରିବା ସହ ସଞ୍ଚିତା ସେମାନଙ୍କୁ ଆଇସିସିଆଇ ଫାଉଣ୍ଡେସନ୍‌କୁ ତାଲିମ ପାଇଁ ପଠାଇଥିଲେ। ଏହାପରେ ଭାବିନୀ ସ୍ଵାଇଁ ନାମକ ଜଣେ ମହିଳାଙ୍କ ନେତୃତ୍ଵରେ ଶ୍ରୀକ୍ଷେତ୍ର କଏର୍ ଆରମ୍ଭ ହୋଇଥିଲା।ଏହି ସମୟରେ ପୁରୀ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀକୁ ସହାୟତା ପ୍ରଦାନ କରୁଥିବା ଅନୁଷ୍ଠାନ ‘ଆତ୍ମା’ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲା। ସେହି ସହାୟତା ରାଶିକୁ ବିନିଯୋଗ କରି ନଡ଼ିଆ କତାରୁ ବିଭିନ୍ନ ସାମଗ୍ରୀ ତିଆରି ହେଲା। ଭାବିନୀ କହିଛନ୍ତି, “ଆମ ଅଞ୍ଚଳରେ ବହୁତ ନଡ଼ିଆ ମିଳୁଥିବାରୁ ଆମେ ନଡ଼ିଆ କତାରୁ କିଛି ରୋଜଗାର କରିବାକୁ ପ୍ରଥମେ ଭାବିଥିଲୁ। ଏବେ ଆମେ ନଡ଼ିଆ କତାରୁ ପା ପୋଛା, ରଶି, କଣ୍ଢେଇ ଆଦି ତିଆରି କରିବା ସହ ଷଢ଼େଇରେ କଇଁଛ ପରି ଘର ସାଜସଜ୍ଜା ଜିନିଷ ପ୍ରସ୍ତୁତ କରୁଛୁ।”ଏବେ ପ୍ରାୟ ୮୦ ଜଣ ମହିଳା ବଜାର ଚାହିଦା ଅନୁସାରେ ଭଳିକି ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଓର୍‌ମାସ୍ ମେଳାରେ ଏହି ସବୁ ସାମଗ୍ରୀ ବିକ୍ରି କରି ଏହି ମହିଳାମାନେ ବାର୍ଷିକ ୨ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଏଥିସହ ସ୍ଥାନୀୟ ବ୍ୟବସାୟୀ ଏବଂ କଲିକତାର ବ୍ୟବସାୟୀମାନେ ବାର୍ଷିକ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ସାମଗ୍ରୀ କ୍ରୟ କରିଥା’ନ୍ତି। ଏବେ ଏହି ମହିଳାମାନେ ମାସିକ ୫ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ଏବଂ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

Comment