ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ କହିଲେ ହାଇକୋର୍ଟ।

କଟକ: ଶ୍ରୀମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ନେଇ ଆଶା ସଂଚାର ହୋଇଛି। ଏନେଇ ସୋମବାର ହାଇକୋର୍ଟଙ୍କ ତରଫରୁ ସବୁଜ ସଙ୍କେତ ମିଳିଛି। ଝାଡଖଣ୍ଡର ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ଖୋଲିବା ନେଇ ରୁଜୁ ମାମଲାରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେହି ଆଧାରରେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀର ତ୍ରିଲୋଚନ ରଥ ଏବଂ କଟକର ସମାଜସେବୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ରୁଜୁ ଦୁଇଟି ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଥିଲା ଯେ, ରାଜ୍ୟରେ ମଦ ଦୋକାନ, ଜିମ୍, ମଲ୍ ଆଦି ଖୋଲିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ବସ୍ ଚାଲିବା ଅନୁମତି ଦିଆଯାଇପାରୁଛି। ତାହାଲେ ମନ୍ଦିର କାହିଁକି ଖୋଲାଯାଇ ପାରିବ ନାହିଁ ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ। କୋଭିଡ୍ କଟକଣା ଯେମିତିକି ସାମାଜିକ ଦୂରରତ୍ୱ, ମାସ୍କ ପିନ୍ଧିବା ଆଦି ଭିତରେ ସ୍ୱଳ୍ପସଂଖ୍ୟକ ଭକ୍ତଙ୍କୁ ନେଇ ମନ୍ଦିରରେ ଠାକୁରଙ୍କ ଦର୍ଶନ ହୋଇପାରିବ। ହାଇକୋର୍ଟ ଏସବୁକୁ ବିଚାରକୁ ନେଇ ମନ୍ଦିର ଖୋଲିବା ପାଇଁ ଅନୁମତି ଦେବାକୁ ଆବେନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

କ’ଣ କହିଥିଲେ ସୁପ୍ରିମକୋର୍ଟ?

ଝାଡଖଣ୍ଡର ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ଏବଂ ବାବା ବାସୁକିନାଥ ମନ୍ଦିର ସର୍ବସାଧାରଣଙ୍କ  ଦର୍ଶନ ପାଇଁ ଖୋଲିବାକୁ ସୁପ୍ରିମକୋର୍ଟରେ ନିଶିକାନ୍ତ ଦୁବେ ଏକ ମାମଲା ରୁଜୁ କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଉଜ୍ଜୟିନୀ ଏବଂ ଜ୍ୟୋତିର୍ଲିଙ୍ଗମ୍‌ରେ ସର୍ବସାଧାରଣଙ୍କ ପାଇଁ  ଯେଉଁଭଳି ଦର୍ଶନର ସୁବିଧା କରାଯାଇଛି ସେହପରି  ଝାଡଖଣ୍ଡ ସରକାର ଉପରୋକ୍ତ ଦୁଇ ମନ୍ଦିରରେ ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କେବଳ ମନ୍ଦିର ନୁହେଁ ଚର୍ଚ୍ଚ, ମସ୍‌ଜିଦ୍‌ରେ ଏହିଭଳି ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ। ସମଗ୍ର ଦେଶରେ ସର୍ବନିମ୍ନ ସଂଖ୍ୟକ ଭକ୍ତଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟ କହିଥିଲେ। କିନ୍ତୁ ମନ୍ଦିର ଖୋଲିବା ପାଇଁ ଅନୁମତି ଦିଆଗଲେ ମଧ୍ୟ ସାମାଜିକ ଦୂରତା ଭଳି ପଦକ୍ଷେପକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପାଳନ କରିବେ। ରାଜ୍ୟ ବାହାରର ଲୋକଙ୍କୁ ଅନୁମତି ନେଦେଲେ ମଧ୍ୟ ରାଜ୍ୟ ଭିତର ଲୋକଙ୍କୁ ମନ୍ଦିରରେ ଠାକୁର ଦର୍ଶନ ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟ କହିଥିଲେ। ଓଡ଼ିଶା ହାଇକୋର୍ଟରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମାକୁ ଆବେଦନକାରୀ ଦାଖଲ କରିଥିଲେ।

Comment