ଓଡିଶାଲାଇଭ୍ ବ୍ୟୁରୋ
ୟୁକେରେ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାର ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହା ହେବ ବ୍ରିଟେନରେ ପ୍ରଥମ ଜଗନ୍ନାଥ ମନ୍ଦିର। ୟୁରୋପରେ ମଧ୍ୟ ଏହା ପ୍ରଥମ ଜଗନ୍ନାଥ ମନ୍ଦିର ହେବାକୁ ଯାଉଛି। ବାଥ୍ ହିନ୍ଦୁ କମ୍ୟୁନିଟି ଓ ୟୁକେ ଶ୍ରୀଜଗନ୍ନାଥ ମନ୍ଦିର ଟେମ୍ପଲ ଟ୍ରଷ୍ଟର ପ୍ରତିଷ୍ଠାତା ସୁସ୍ମିତା ରାଜହଂସ ଏକଥା କହିଛନ୍ତି। ସେ ବ୍ରିଟେନରେ ଥିବା ଓଡ଼ିଆ ସୋସାଇଟିର ସଂଗଠନ ସମ୍ପାଦିକା ମଧ୍ୟ ଅଛନ୍ତି।
କେବଳ ବ୍ରିଟେନରେ ରହୁଥିବା ଓଡ଼ିଆ ନୁହନ୍ତି ଅନ୍ୟମାନେ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହେବେ ବୋଲି ସୁସ୍ମିତା ପ୍ରକାଶ କରିଛନ୍ତି। ଏହା ଏକ ସାଂସ୍କୃତିକ ସମନ୍ୱୟର କାର୍ଯ୍ୟ ଓ ଏଥିପାଇଁ ଆମେ ଆମେରିକାରେ ଥିବା ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ମଧ୍ୟ ଯୋଗାଯୋଗ କରିବୁ ବୋଲି ସେ କହିଛନ୍ତି।
ଏହି ମନ୍ଦିର ପାଇଁ ଏକ ଉପଯୁକ୍ତ ସ୍ଥାନ ଏବେ ଖୋଜାଚାଲିଛି। ଲଣ୍ଡନ ଠାରୁ ଅଳ୍ପ ଦୂରରେ ଓ ବିଭିନ୍ନ ସହରକୁ ସହଜରେ ସଂଯୁକ୍ତ ହୋଇ ପାରୁଥିବା ଏକ ଜାଗାର ସନ୍ଧାନ କରାଯାଉଛି। ମନ୍ଦିର ପାଇଁ ୧୦ରୁ ୧୨ ଏକର ଜାଗା ଆବଶ୍ୟକ ପଡ଼ିବ। ଲଣ୍ଡନରେ ଥିବା ଇସ୍କନ ମନ୍ଦିରକୁ ଅନେକ ଜଗନ୍ନାଥ ମନ୍ଦିର ବୋଲି ଧରି ନେଇଥା’ନ୍ତି। କିନ୍ତୁ ଏହା ବାସ୍ତବରେ ଜଗନ୍ନାଥ ମନ୍ଦିର ନୁହେଁ ବୋଲି ସୁସ୍ମିତା ସ୍ପଷ୍ଟ କରିଛନ୍ତି। ସମଗ୍ର ବ୍ରିଟେନରେ କେଉଁଠି ବି ଜଗନ୍ନାଥ ମନ୍ଦିର ନାହିଁ ବୋଲି ସେ କହିଛନ୍ତି।
ଭୁବନେଶ୍ୱରର ମୂଳ ବାସିନ୍ଦା ସୁସ୍ମିତା ରାଜହଂସ କହିଛନ୍ତି ଯେ ବିଶ୍ଵର କୋଣ ଅନୁକୋଣରେ ଥିବା ଲୋକେ ଏହି ପ୍ରକଳ୍ପକୁ ସମର୍ଥନ କରିଛନ୍ତି। ଲଣ୍ଡନ ନିକଟରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ୟୁକେର ଆଗାମୀ ପୀଢ଼ି ଅବଗତ ହୋଇପାରିବେ ବୋଲି ସେ କହିଛନ୍ତି। କେବଳ ଧାର୍ମିକ ନୁହେଁ, ଏହି ମନ୍ଦିର ପ୍ରତିଷ୍ଠା ହେଲେ ସାମାଜିକ ଓ ଆଧ୍ୟାତ୍ମିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇ ପାରିବ ବୋଲି କହିଛନ୍ତି ରାଜହଂସ।
















