ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବାଟ ଛାଡ଼ ବାଟ ଛାଡ଼, ଆସୁଛି ଦଶରା’ ବଜାର ମେଢ଼’ ପାର୍ବଣର ସହର କଟକରେ ଦଶହରା କେତେ ପ୍ରସିଦ୍ଧ, କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ ଗାଇଥିବା ଏ ଲୋକପ୍ରିୟ ଗୀତ ତାହାର ପ୍ରମାଣ। କିନ୍ତୁ ଏଥର କଟକ ସହର ଗଳିରେ ମେଢ଼ ଆସିବନି କି ଭିଡ଼ ବି ନ ଥିବ। ବାଟ ଖାଁ ଖାଁ ଲାଗିବ। ଏସବୁର କାରଣ କରୋନା। କରୋନା ମହାମାରୀ ଯୋଗୁ କଟକ ଦଶରା’ ଏଥର ନିଜ ଚମକ ହରାଇବ।

କଟକ ସହରରେ ଉତ୍ସବର ମାହୋଲ ଗଣେଶ ପୂଜାଠାରୁ ଆରମ୍ଭ ହୁଏ ଏବଂ କାର୍ତ୍ତିକେଶ୍ୱର ପୂଜାରେ ଶେଷହୁଏ। କିନ୍ତୁ ଏ ସବୁ ପର୍ବପର୍ବାଣି ଭିତରୁ କଟକର ଦଶରା’ ସ୍ୱତନ୍ତ୍ର ଆଉ ନିଆରା। ଜନ୍ମାଷ୍ଟମୀ ହେଉଛି ତାରକସି ସହର କଟକକୁ ଉତ୍ସବ ପ୍ରବେଶ କରିବାର ଆଦ୍ୟପର୍ବ। ଏଇ ତିଥିରୁ କଟକର ପ୍ରସିଦ୍ଧ ଦଶହରା ପାଇଁ ମୃଣ୍ମୟୀ ମୂର୍ତ୍ତି ଗଢ଼ିବାକୁ ମାଟି ଅନୁକୂଳ ହୁଏ। ଏହି ମାଟି ଅନୁକୂଳ ପର୍ବରେ ବାଜା, ରୋଷଣି, ଶୋଭାଯାତ୍ରାର ଯେଭଳି ଜାକଜମକ ଥାଏ, ତାହା ସୂଚାଇଦିଏ ଆଗକୁ ଉତ୍ସବ ହିଁ ଉତ୍ସବ। ତେଣୁ ଜନ୍ମାଷ୍ଟମୀ ଓ ଏହା ପରଦିନ ପାଳିତ ହେଉଥିବା ନନ୍ଦୋତ୍ସବ କଟକବାସୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।


କରୋନା ମହାମାରୀ ଯୋଗୁ କଟକରେ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ପାଳନ ନେଇ କଟକଣା ଲାଗିବା ପରେ କଟକବାସୀ ଦଶହରାକୁ ନେଇ ମଧ୍ୟ ସନ୍ଦିହାନ ହୋଇପଡ଼ିଥିଲେ। କିନ୍ତୁ ଜନ୍ମାଷ୍ଟମୀ ତିଥିରେ ଗତ ମଙ୍ଗଳବାର ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ା ପାଇଁ ମାଟି ଅନୁକୂଳ ହେବା ପରେ ପାର୍ବଣ ପାଇଁ ପୁଣିଥରେ ଆଶା ସଂଚାର ହୋଇଛି। କିନ୍ତୁ ମାଟି ଅନୁକୂଳ ପର୍ବ ଯେଉଁ କଟକଣା ଭିତରେ ସମ୍ପନ୍ନ ହୋଇଛି, ତାହା ସୂଚାଇଛି ଯେ ଏଥର କଟକ ଦଶହରାରେ ପୂର୍ବ ଆଡ଼ମ୍ବର ଦେଖିବାକୁ ମିଳିବ ନାହିଁ। ମଙ୍ଗଳବାର ପ୍ରଥମେ କଟକର ମଙ୍ଗଳାବାଗ ପୂଜା କମିଟି ମହାନଦୀ ପଠାରୁ ମାଟିଉଠା ପର୍ବର ଶୁଭାରମ୍ଭ କରିଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ଶହୀଦ ନଗର ପୂଜା କମିଟି ଓ ନୟାପଲ୍ଲୀ ପୂଜା କମିଟି ପକ୍ଷରୁ କୁଆଖାଇ ନଦୀପଠାରୁ ମାଟି ଅନୁକୂଳ ହୋଇଛି।

୧୦୦ କୋଟିର କ୍ଷତି ସହିବ ପାର୍ବଣର ସହର

ଦଶହରାରେ କଟକ ସହରର ୧୭୮ଟି ପୂଜା ମଣ୍ଡପରେ ପୂଜାର୍ଚ୍ଚନା ହୁଏ। ୨୮ରୁ ୩୦ଟି ସ୍ଥାନରେ ଚାନ୍ଦିମେଢ଼ ମୁଖ୍ୟ ଆକର୍ଷଣ ପାଲଟେ। ସେଥିରେ ପ୍ରମୁଖ ଚାନ୍ଦିମେଢ଼ଗୁଡ଼ିକ ହେଉଛି ଅଲିଶା ବଜାର, ଚାନ୍ଦିନୀଚୌକ, କାଜିବଜାର, ବିନୋଦବିହାରୀ ବାଲୁବଜାର, ନୟାସଡ଼କ, ଚୌଧୁରୀ ବଜାର, କାଠଗଡ଼ା ସାହି, ଶେଖ ବଜାର, ରାଣୀହାଟ, ଚାଉଳିଆଗଞ୍ଜ, ଖାନନଗର, ବାଦାମବାଡ଼ି, ହରିପୁର ଦୋଳମୁଣ୍ଡାଇ, କାଫଲା ବଜାର, ମଙ୍ଗଳାବାଗ, ଖଟ୍‌ବିନ୍ ସାହି, ତୁଳସୀପୁର, ପିଠାପୁର, ଗଣେଶଘାଟ, ଦରଘାବଜାର ଓ ଶିଖରପୁର। ଦଶହରା ବଜାରରେ ପାଖାପାଖି ୧୦୦ କୋଟି ଟଙ୍କାର କାରବାର ହୁଏ। କିନ୍ତୁ ଏଥର କରୋନା କଟକଣା ପ୍ରଭାବରେ ମଣ୍ଡପ, ମେଢ଼ ନିଜ ଚମକ ହରାଇବ। କଟକ ବଜାର ବି କ୍ଷତି ସହିବ। ଏଥର ପ୍ରଥମଥର ପାଇଁ ଚାନ୍ଦିମେଢ଼ ତାଲିକାରେ ସାମିଲ ହେବାକୁ ଥିବା କଲେଜ ବଜାର ଛକ ମଧ୍ୟ ମେଢ଼ କାମ ବାଧ୍ୟହୋଇ ଅଧାରେ ରଖିଛି।

Comment