ଓଡିଶାଲାଇଭ୍ ବ୍ୟୁରୋ

ଆଜି ୭୪ତମ ସ୍ଵାଧୀନତା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ହୋଇଥିବା ବୀର ଯବାନ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଆଜି ସାରା ଦେଶରେ ପାଳିତ ହେଉଛି ୭୪ତମ ସ୍ଵାଧୀନତା ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ କରୋନା କଟକଣା ସହିତ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ଦେଶର ଏକତା ଓ ସୁରକ୍ଷା ପାଇଁ ସହିଦ ହୋଇଥିବା ଅମର ଯବାନ ଏବଂ କରୋନା ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ଅବସରରେ ନବୀନ କହିଛନ୍ତି, ଗତ ପାଞ୍ଚ ମାସ ହେଲା ସାରା ବିଶ୍ଵ କରୋନା ସହିତ ଲଢ଼ୁଛି। କରୋନା ଯୋଗୁଁ ଅର୍ଥନୀତି ଏବଂ ସମାଜର ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବା ପାଇଁ ଆମକୁ ସାହସର ସହ କାମ କରିବାକୁ ହେବ। କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ବିଭିନ୍ନ ଅଞ୍ଚଳରେ କୋଭିଡ୍ ହସ୍ପିଟାଲ କରିଛନ୍ତି। ରୋଗୀଙ୍କୁ ପଞ୍ଚାୟତି ପ୍ଲାଜ୍‌ମା ବ୍ୟାଙ୍କ ସହ ପ୍ଲାଜ୍‌ମା ଥେରାପି ସେବା ମିଳୁଛି। ପଇସା ଅଭାବରୁ କୌଣସି ରୋଗୀ କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ଓଡ଼ିଶା ସରକାର ସବୁ କୋଭିଡ୍ ରୋଗୀଙ୍କୁ ମାଗଣାରେ ସହାୟତା ଯୋଗାଇ ଦେଉଛନ୍ତି।ସେ ଆହୁରି କହିଛନ୍ତି, ବିଶ୍ଵର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି। ଭ୍ୟାକ୍ସିନ ଆସିଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ। କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାମ କରୁଛନ୍ତି। ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ସରକାର ସହାୟତା ଯୋଗାଇ ଦେଉଛନ୍ତି।

ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ପାଲଟିଛି। ୨୦୧୯-୨୦ରେ ଦେଶେ କୃଷି ଅଭିବୃଦ୍ଧି ହାର ୨.୮ ପ୍ରତିଶତ ଥିବା ବେଳେ ରାଜ୍ୟରେ ୭.୬୧ ପ୍ରତିଶତ ରହିଛି ବୋଲି ନବୀନ କହିଛନ୍ତି।

ସେ ଆହୁରି କହିଛନ୍ତି, କୋଭିଡ୍ ଲଢ଼େଇରେ କରୋନା ଯୋଦ୍ଧାମାନେ ଯେଉଁଭଳି କାମ କରୁଛନ୍ତି ତା’ର ତୁଳନା ନାହିଁ। ସେମାନଙ୍କର ସେବା ଓ ତ୍ୟାଗ ପାଇଁ ସାରା ଦେଶରେ ଆମ ରାଜ୍ୟର ମୃତ୍ୟୁସଂଖ୍ୟା ସବୁଠୁ କମ୍ ରହିଛି। କୋଭିଡ୍ ଯୋଦ୍ଧାମାନଙ୍କର ଏହି ସେବା ଓ ତ୍ୟାଗ ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ।BGUଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି। ସାହସର ସହ ସେସବୁକୁ ମୁକାବିଲା କରି ନୂଆ ଇତିହାସ ଲେଖିଛି। ମୋର ବିଶ୍ଵାସ କରୋନା ଖୁବ୍ ଶୀଘ୍ର ଦୂର ହେବ, ସ୍କୁଲରେ ପୁଣିଥରେ ଘଣ୍ଟା ବାଜିବ ଏବଂ ମାନବଜାତି ର ଜୟଗାଥା ଆହୁରି ଆଗକୁ ବଢ଼ିବ ବୋଲି ନବୀନ କହିଛନ୍ତି।

ଆଜି ୭୪ତମ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ଅବସରରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ଏଥିରେ ମାତ୍ର ୩ ପ୍ଲାଟୁନ ଓଡ୍ରାଫ୍ ଫୋର୍ସ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହୋଇଥିଲେ। ଏଥିସହ ସମସ୍ତେ ସାମାଜିକ ଦୂରତା ପାଳନ କରିଥିଲେ।

Comment