ଓଡିଶାଲାଇଭ୍ ବ୍ୟୁରୋ

ଭିନ୍ନକ୍ଷମ ହୋଇ ମଧ୍ୟ କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ସାଜିଛନ୍ତି ବଲାଙ୍ଗିର ଜିଲ୍ଲା ଚୁଡ଼ାପାଲି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରୁଥିବା ମମତାରାଣୀ ପଣ୍ଡା। ତେବେ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ୁଛି। ଏଥର ‘କାହାଣୀ ଜଣେ କରୋନା ଯୋଦ୍ଧାର’ କାର୍ଯ୍ୟକ୍ରମରେ ଶୁଣନ୍ତୁ ମମତାରାଣୀଙ୍କ ସଂଘର୍ଷର କାହାଣୀ।

“ପିଲାଟି ବେଳୁ ମୁଁ ପୋଲିଓରେ ଆକ୍ରାନ୍ତ। କାହାର ବିନା ସାହାଯ୍ୟରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ବହୁତ ଅସୁବିଧା ହୁଏ। ଆଶାବାଡ଼ି ଧରି ବହୁ କଷ୍ଟରେ ଅଳ୍ପ ଦୂର ଯାଇପାରେ। ଭାଇ ଥିବା ବେଳେ ଘରୁ ଅଙ୍ଗନବାଡ଼ି ଯାଏଁ ନେବା ଆଣିବା କରୁଥିଲା। କିନ୍ତୁ ଭାଇ ମରିବା ପରେ ମୋର ଯିବା ଆସିବାରେ ବହୁତ ଅସୁବିଧା ହେଲା। ଦିନେ ମୁଁ ସାଢ଼େ ଦୁଇଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବସିଥିଲି ଅଥତ ମୋତେ ଆଣିବା ପାଇଁ କେହି ନ ଥିଲେ। ମୋତେ ସେଠାରୁ ଆଣିବା ପାଇଁ ମୋ ମା’ ବହୁତ ଲୋକଙ୍କୁ କହିଥିଲେ। କିନ୍ତୁ କେହି ମୋତେ ଆଣିବାକୁ ଯାଇନଥିଲେ। ସେଦିନ ମୁଁ ସେଠି ସେମିତି ହିଁ ବସିଥିଲି। ସେଇଟା ମୋ ଜୀବନର ବଡ଼ ଦୁଃଖ”, ଲୁହ ଛଳ ଛଳ ଆଖିରେ କହିଛନ୍ତି କରୋନା ଯୋଦ୍ଧା ସାଜିଥିବା ଭିନ୍ନକ୍ଷମ ଅଙ୍ଗନବାଡ଼ି କର୍ମୀ ମମତାରାଣୀ ପଣ୍ଡା।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘କାହାଣୀ ଜଣେ କରୋନା ଯୋଦ୍ଧାର’ ମମତାଙ୍କ ଏହି ଅଙ୍ଗେନିଭା କାହାଣୀକୁ ପ୍ରସାରିତ କରିଛି।

ମମତାରାଣୀ ପଣ୍ଡା ବଲାଙ୍ଗିର ଜିଲ୍ଲାର ଚୁଡ଼ାପାଲିରେ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଛନ୍ତି। ପିଲାବେଳେ ପୋଲିଓ ଆକ୍ରାନ୍ତ ହେବାରୁ ସେ ଚାଲିବା ଶକ୍ତି ହରାଇଛନ୍ତି। ଆଶା ବାଡ଼ିକୁ ସାହାରା କରି ବଞ୍ଚୁଥିବା ମମତା କିନ୍ତୁ କେବେ ହାରି ଯାଇନାହାନ୍ତି। ଅଦମ୍ୟ ସାହସ ଓ ଇଚ୍ଛାଶକ୍ତି ବଳରେ ନିଜକୁ କେବେ ଅସହାୟ ମନେ କରିନାହାନ୍ତି ମମତା। ଏପରିକି ବର୍ତ୍ତମାନ କରୋନା ମହାମାରୀ ସମୟରେ ସମ୍ମୁଖ କରୋନା ଯୋଦ୍ଧା ଭାବେ ସେ ନିଜ କାର୍ଯ୍ୟ ଜାରି ରଖିଛନ୍ତି।ଅଙ୍ଗନବାଡ଼ି ବନ୍ଦ ଥିବାରୁ ଘର ଘର ବୁଲି ଖାଦ୍ୟ ବଣ୍ଟନଠାରୁ ଆରମ୍ଭ କରି ଶିଶୁଙ୍କ ଟିକାକରଣ, ଓଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଉଛନ୍ତି ମମତା। ସେହିପରି ଘରେ ଘରେ ଅରୁଣିମା କାର୍ଯ୍ୟକ୍ରମଠୁ ଆରମ୍ଭ କରି କୋଭିଡ୍ ସଚେତନତା ଆଦିକୁ ସେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।

ତେବେ ଏସବୁ କାମରେ ମମତାଙ୍କୁ ତାଙ୍କ ପରିବାର ଲୋକ ବହୁତ ସାହାଯ୍ୟ କରନ୍ତି। ମମତା କହିଛନ୍ତି, “ମୋର ଏହି କାମ ପାଇଁ ମୋ ପରିବାର କେବେ ପ୍ରତିବାଦ କରିନାହାନ୍ତି। ମୋ ମା’, ଭାଉଜ ସମସ୍ତେ ମୋତେ ଏଥିପାଇଁ ସାହାଯ୍ୟ କରନ୍ତି।”

ମମତା ଚଳନ ବାଧିତ ହୋଇଥିବାରୁ ଯିବା ଆସିବାରେ ଅସୁବିଧା ହୋଇଥାଏ। ପୂର୍ବରୁ ମମତାଙ୍କ ଭାଇ ତାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନେବା ଆଣିବା କରୁଥିଲେ। କିନ୍ତୁ ଭାଇଙ୍କ ମସ୍ତିଷ୍କରେ କୌଣସି ଅସୁବିଧା ହେବାରୁ ମାତ୍ର ୩୦ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ତେଣୁ ବର୍ତ୍ତମାନ ଘର ଘର ବୁଲି ଖାଦ୍ୟ ବାଣ୍ଟିବା ବେଳେ ମମତା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

“ମୁଁ ଦୁଇଟା ବାଡ଼ି ସାହାଯ୍ୟରେ ଚାଲୁଛି। ତେଣୁ ଘରକୁ ଘର ଯାଇ ମୁଁ ଖାଦ୍ୟ ଦେଇପାରୁନି। ସେଠାକୁ ଯିବା ପାଇଁ ମୋତେ ନିହାତି ଜଣଙ୍କର ସାହାଯ୍ୟ ଦରକାର ପଡ଼ୁଛି। ଜଣକ ସାହାଯ୍ୟ ବିନା ମୁଁ ବାହାରକୁ ଯାଇପାରୁନି”, କୋହଭରା କଣ୍ଠରେ କହିଛନ୍ତି ମମତା।

ମମତାଙ୍କ ପିତା ବହୁ ପୂର୍ବରୁ ପରିବାର ସହ ସମ୍ପର୍କ ଛିନ୍ନ କରି ଚାଲିଯିବା ପରେ ମମତାଙ୍କ ମାଆ ଘରର ଦାୟିତ୍ଵ ନେଇଥିଲେ। ଦଇବ ଦାଉ ସାଧିବା ପରି ମମତାଙ୍କ ଭାଇ ମଧ୍ୟ ଅକାଳରେ ଚାଲିଗଲେ। ତେଣୁ ଦିବ୍ୟାଙ୍ଗ ମମତା ଘରର ବଡ଼ ଝିଅ ହୋଇଥିବାରୁ ସବୁ ଦାୟିତ୍ଵ ନିଜ ମୁଣ୍ଡ ଉପରକୁ ନେଇଯାଇଛନ୍ତି। ସେ ଏବେ ମୃତ ଭାଇଙ୍କ ସ୍ତ୍ରୀ ଓ ପୁଅଝିଅଙ୍କ ଭରଣପୋଷଣ ମଧ୍ୟ କରୁଛନ୍ତି। ଏଥିସହ ବିବାହିତା ସାନ ଭଉଣୀ ଓ ମାଆଙ୍କ ଦାୟିତ୍ଵ ମଧ୍ୟ ନେଉଛନ୍ତି।ଭିନ୍ନକ୍ଷମ ହୋଇ ମଧ୍ୟ ମମତା ସକ୍ଷମଙ୍କ ପରି ନିଜ କର୍ତ୍ତବ୍ୟ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ମୁଁ ଭିନ୍ନକ୍ଷମ ହୋଇ ମଧ୍ୟ ଘରକୁ ଘର ବୁଲି ମା’ମାନଙ୍କ ସହିତ କଥାବାର୍ତ୍ତା କରେ। ସେମାନେ ମଧ୍ୟ ମୋତେ ବହୁତ ଭଲ ବ୍ୟବହାର କରନ୍ତି। ମୁଁ ଯେଉଁ ଜାଗା ଦେଖିନି, ଯାହା ଘରକୁ କେବେ ଯାଇନି ସେଠାକୁ ଯାଇ ମୁଁ ଏହି କାମ କରୁଛି। ତେଣୁ ଏହି କାମ କରି ମୁଁ ବହୁତ ଗର୍ବ ଅନୁଭବ କରେ।”

ନିଜକୁ ଭିନ୍ନକ୍ଷମ ବୋଲି ସହଜରେ ଗ୍ରହଣ କରିନେଇଥିବା ମମତା ପିଲାବେଳେ ନିଜ ଅକ୍ଷମତାକୁ ନେଇ ଦୁଃଖ କରୁଥିଲେ। ସେହି ଅନୁଭୂତି ବଖାଣି ମମତା କହିଛନ୍ତି, “ପିଲାବେଳେ ଯେତେବେଳେ ମୁଁ ଭିନ୍ନକ୍ଷମ ବୋଲି ଜାଣିଲି ସେତେବେଳେ ବହୁତ ଦୁଃଖ ଲାଗିଥିଲା। ଆଶାବାଡ଼ି ଧରି ସାରା ଜୀବନ କେମିତି ଚଳିବି ବୋଲି ଭାବି ବହୁତ କଷ୍ଟ ହୋଇଥିଲା।”BGUତେବେ ନିଜକୁ ଦୃଢ଼ କରି ଜୀବନ ବାଟରେ ଆଗେଇ ଚାଲିଥିବା ମମତା ଅନ୍ୟ ଉପରେ ବୋଝ ହେବାକୁ କେବେ ଚାହିଁନାହାନ୍ତି। ଖାସ୍ ସେଇଥିପାଇଁ ସେ ସାରା ଜୀବନ ଅବିବାହିତା ରହିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

“ଯେହେତୁ ମୁଁ ଜଣେ ଭିନ୍ନକ୍ଷମ ତେଣୁ ମୋର ବିବାହ କରିବାକୁ ଇଚ୍ଛା ନଥିଲା। ଗୋଟିଏ ନୂଆ ପରିବାରକୁ ଯାଇ ଶାଶୁ ଶ୍ଵଶୁର, ସ୍ଵାମୀ, ପିଲାଛୁଆଙ୍କ ସେବା କରିପାରିବି କି ନାହିଁ ସେନେଇ ଦ୍ଵନ୍ଦ୍ଵ ରହିଥିଲା। ତେଣୁ ପ୍ରଥମରୁ ହିଁ ବିବାହ କରିବାକୁ ଇଚ୍ଛା କରିନଥିଲି”, କହିଛନ୍ତି ମମତା।ମମତା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଷ୍ଠା ସହକାରେ ନିଜ କର୍ତ୍ତବ୍ୟ କରୁଥିବାରୁ ସ୍ଥାନୀୟ ପ୍ରଶାସନ ଏବଂ ଗାଁ ଲୋକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ସରପଞ୍ଚ, ଓ୍ଵାର୍ଡମେମ୍ବର, ଗାଁ ଗୌନ୍ତିଆ ଆଦି ସମସ୍ତେ ତାଙ୍କୁ ଗୁରୁତ୍ଵ ଦିଅନ୍ତି ବୋଲି ମମତା କହିଛନ୍ତି।

‘କେତେ ନୂଆ ବାଟ’ର ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ଘରେ ରହିବା ଏବଂ ସୁରକ୍ଷିତ ରହିବାକୁ ମମତା ଅନୁରୋଧ କରିଛନ୍ତି।

କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ଅଙ୍ଗେନିଭା କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘କାହାଣୀ ଜଣେ କରୋନା ଯୋଦ୍ଧାର’ କାର୍ଯ୍ୟକ୍ରମ। ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ଏହା ଏକ ଅଂଶବିଶେଷ। ଏହି କାର୍ଯ୍ୟକ୍ରମରେ ଛାତ୍ର, ସ୍ଵେଚ୍ଛାସେବୀ, ବିଭିନ୍ନ ବିଭାଗରେ ଚାକିରି କରିଥିବା ବ୍ୟକ୍ତି, ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ଆଦିଙ୍କ କୋଭିଡ୍ ସମୟର ଅଙ୍ଗେନିଭା କାହାଣୀ ସ୍ଥାନ ପାଇଛି।

LEAVE A REPLY

Please enter your comment!
Please enter your name here