ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ
  • ନଲେଜ୍ ପାର୍ଟନର ‘ମୋ କଲେଜଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା

କରୋନା ମହାମାରୀ କାଳରେ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଗତ ଦେଢ଼ ବର୍ଷ ହେଲା ଏହି ମହାମାରୀ ଜନ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ବିଶେଷକରି ଏ ସମୟରେ ସାନ ସାନ ପିଲାମାନେ ତଥା ଛାତ୍ରଛାତ୍ରୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ପ୍ରଭାବ ପକାଇଛି କରୋନା। ଏଭଳି ଜଟିଳ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥାକୁ ନିରନ୍ତର ରଖିବା ପାଇଁ ବିଭିନ୍ନ ବିକଳ୍ପ ମଧ୍ୟ ଖୋଜା ଚାଲିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟରେ ପ୍ରସଙ୍ଗ ଥିଲା ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’।କୋଭିଡ୍ ମହାମାରୀ ବେଳେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’। ନଲେଜ୍‌ ପାର୍ଟନର ‘ମୋ କଲେଜ୍‌’ ଅଭିଯାନ।

ଏହି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅଡିଓ ସିରିଜର ଷଷ୍ଠ ଅଧ୍ୟାୟ ଅଗଷ୍ଟ ୧, ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହୋଇଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯାଇଛି।ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟରେ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ୟୁନିସେଫ୍‌ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ, ଭୁବନେଶ୍ଵର ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇଟିଇଆଇ)ର ଅଧ୍ୟକ୍ଷା ଲିପିକା ସାହୁ, କଟକ ଜିଲ୍ଲାରୁ ଜଣେ ଅଙ୍ଗନବାଡ଼ି କର୍ମୀ ନୟନା ସ୍ଵାଇଁ, କନ୍ଧମାଳର ଯୁବ ସ୍ଵେଚ୍ଛାସେବୀ ରାଧିକା ପ୍ରଧାନ ଏବଂ ଓଲିଉଡ୍ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ।‘‘କୋଭିଡ୍ ସମୟରେ ଅନଲାଇନରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ଇ-ଲେକ୍ଚର ଜରିଆରେ ଛାତ୍ରଛାତ୍ରୀମାନେ ଘରେ ବସି ପାଠ ପଢ଼ିପାରୁଛନ୍ତି। ବିଭିନ୍ନ ବିଷୟକୁ ନେଇ ଅଭିଜ୍ଞ ଅଧ୍ୟାପକମାନେ ଅନଲାଇନରେ ପାଠ ପଢ଼ାଉଛନ୍ତି। ଏହାର ଭିଡିଓ ସ୍ଵତନ୍ତ୍ର ଇ-ଲେକ୍ଚର ପୋର୍ଟାଲରେ ଅପଲୋଡ୍ ହେଉଛି। ଫଳରେ ପିଲାମାନେ ଅନ୍‌ଲାଇନ୍‌ ଜରିଆରେ ପାଠ ପଢ଼ିପାରୁଛନ୍ତି। କୋଭିଡ୍‌ ମହାମାରୀ ଆମ ଶିକ୍ଷା ବ୍ୟବସ୍ଥାକୁ ବନ୍ଦ କରିଛି ସତ କିନ୍ତୁ ପିଲାମାନଙ୍କର ପାଠପଢ଼ା ବନ୍ଦ କରିପାରନି’’, ଅଡିଓ ସିରିଜରେ ଭାଗ ନେଇ ଏହା କହିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।ୟୁନିସେଫ୍‌ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ କହିଥିଲେ, ‘‘କୋଭିଡ୍ ସମୟରେ ସାନ ସାନ ପିଲାଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ‘ଘରେ ଘରେ ଅରୁଣିମା’କାର୍ଯ୍ୟକ୍ରମ। କୋଭିଡ୍ ପାଇଁ ଦେଢ଼ବର୍ଷ ହେଲା ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ୟୁନିସେଫ୍‌ ଓ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଚାଲିଥିବା ‘ଘରେ ଘରେ ଅରୁଣିମା’କାର୍ଯ୍ୟକ୍ରମ ଜରିଆରେ ଘରେ ରହି ବି ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଉଛନ୍ତି ସାନ ସାନ ପିଲା। ଏହାଦ୍ୱାରା ପ୍ରାୟ ୧୬ ଲକ୍ଷ ପିଲା ଉପକୃତ ହେଉଛନ୍ତି।’’

ସେ ଆହୁରି ମଧ୍ୟ କହିଥିଲେ, ‘‘୩ରୁ ସାଢ଼େ ୩ ବର୍ଷ ବୟସର ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ବାତ୍ସଲ୍ୟ’କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ମାତାପିତା ତଥା ପରିବାରର ସଦସ୍ୟମାନେ ଶିଶୁଙ୍କର ବିକାଶକୁ ତ୍ୱରାନ୍ୱିତ କରିପାରିବେ।’’‘‘କୋଭିଡ୍‌-୧୯ ମହାମାରୀ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷାଦାନ କରାଯାଇପାରୁଛି। କିନ୍ତୁ, ଅନେକ ଉପାନ୍ତ ଗାଁର ପିଲାଙ୍କ ପାଖରେ କମ୍ପ୍ୟୁଟର, ମୋବାଇଲ ବା ନେଟ୍‌ଓ୍ୱର୍କର ସମସ୍ୟା ରହିଛି। ଏଭଳି ସ୍ଥିତିରେ ଶିକ୍ଷାର ନୂଆ ବିକଳ୍ପ ସାଜିଛି ଅଲଟରନେଟିଭ୍‌ ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ। ଏହି ପ୍ରୋଗ୍ରାମ ଜରିଆରେ ଓଡ଼ିଶାର ୧୨ଟି ଜିଲ୍ଲାରେ ପାଖାପାଖି ୮୦୦ ପିଲାଙ୍କୁ ନେଇ ଶିକ୍ଷଣ କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ଛାତ୍ର ଶିକ୍ଷକ ନିଜ ଅଞ୍ଚଳରେ ପାଖାପାଖି ୧୦ଟି ପିଲାଙ୍କୁ ଦୈନିକ ୨ ଘଣ୍ଟା ଶିକ୍ଷା ଦାନ ବ୍ୟବସ୍ଥା ରହିଛି’’, ଏହା କହିଥିଲେ ଭୁବନେଶ୍ଵର ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇଟିଇଆଇ)ର ଅଧ୍ୟକ୍ଷା ଲିପିକା ସାହୁ।ସେହିପରି ଏହି ଅଡିଓ ସିରିଜ୍‌ରେ କଟକ ଜିଲ୍ଲାର ଜଣେ ଅଙ୍ଗନବାଡ଼ି କର୍ମୀ ନୟନା ସ୍ଵାଇଁ ସାମିଲ ହୋଇଥିଲେ। ସେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କିଶୋରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅଦ୍ୱିକା’ ଏବଂ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମର କିଭଳି ପରିଚାଳନା କରୁଛନ୍ତି ସେ ସମ୍ପର୍କରେ କହିଥିଲେ।‘‘କୋଭିଡ୍‌ ମହାମାରୀ ଯୋଗୁଁ ପିଲାମାନଙ୍କ ସ୍କୁଲ ବନ୍ଦ। ଆମ ଅଞ୍ଚଳରେ ମୋବାଇଲର ଅଭାବ ଯୋଗୁଁ ସେମାନେ ଅନ୍‌ଲାଇନ୍‌ କ୍ଲାସ୍‌ କରିବାରୁ ବଞ୍ଚିତ ହେଉଥିଲେ। ଏଭଳି ସ୍ଥିତିରେ ମୁଁ ସେମାନଙ୍କୁ ପାଠପଢ଼ାଇବା ନେଇ ଚିନ୍ତା କଲି ଏବଂ ପିଲାମାନେ କୋଭିଡ୍‌ ନିୟମ ପାଳନ କରି ମୋ’ ପାଖରେ ପାଠ ପଢ଼ିପାରୁଛନ୍ତି’’ କହିଥିଲେ କନ୍ଧମାଳ ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ ରାଧିକା ପ୍ରଧାନ।ଏହାସହ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ର ସମସ୍ତ ନିୟମ ମାନି ଚଳିବାକୁ ଓଲିଉଡ୍‌ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଆହ୍ୱାନ ଦେଇଥିଲେ। ସେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ, ବାରମ୍ବାର ହାତ ଧୋଇବାକୁ, ସାମାଜିକ ଦୂରତା ମାନି ଚଳିବାକୁ ଏବଂ ଟିକା ନେବାକୁ କହିଥିଲେ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଅଡିଓ ସିରିଜ ‘କେତେ ନୂଆ ବାଟ ସିଜିନ୍‌ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରୁଛନ୍ତି।

ସେହିପରି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଭିଯାନ ଅଧୀନରେ ବିଭିନ୍ନ ବିଷୟ ଉପରେ ଆପଣ ବିଭିନ୍ନ ଟିଭି ଚ୍ୟାନେଲ ସହିତ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ଫେସବୁକ୍‌, ୟୁଟ୍ୟୁବ୍‌ ସମେତ ବିଭିନ୍ନ ସୋସିଆଲ ଚ୍ୟାନେଲରେ ଭିଡିଓ ମଧ୍ୟ ଦେଖୁଛନ୍ତି।

Comment