ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ସହରର ଏକମାତ୍ର କିନ୍ନର ଭାବେ କରୋନା ଲଢେଇରେ ସାମିଲ ହୋଇଥିବା ପ୍ରିନସେସ୍‌ ଖାନଙ୍କ କାହାଣୀ ୟୁନିସେଫ୍‌ର ସାଉଥ ଏସିଆ ସୋସିଆଲ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଛି। କୋଭିଡ ସମୟରେ ସମ୍ମୁଖ ଯୋଦ୍ଧା ଭାବେ ଲୋକମାନଙ୍କୁ ସେବା ଯୋଗାଉଥିବା ପ୍ରିନସେସ୍‌ଙ୍କ ପରିଚିତି ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ତାଙ୍କ କାହାଣୀ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍‌’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ ମିଳିତ ଭାବେ ରିପୋର୍ଟ କରିଥିଲା।

କୋଭିଡ ମହାମାରୀ ସମୟରେ ଲୋକଙ୍କ ଭିତରେ ଆଶାର ସଞ୍ଚାର ସୃଷ୍ଟି କରିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ମିଳିତ ଉଦ୍ୟମରେ ଚାଲିଥିଲା ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ର ସିଜିନ ୨। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଥିଲା। ଏଥିରେ କୋଭିଡ ଯୋଦ୍ଧା କିନ୍ନର ପ୍ରିନସେସ୍‌ ସାମିଲ ହୋଇ ନିଜ ଜୀବନର ଅନୁଭୂତି ବଖାଣିଥିଲେ। ତାଙ୍କର ଏହି ଭିଡିଓ ୟୁନିସେଫ୍‌ର ସାଉଥ୍‌ ଏସିଆ ସୋସିଆଲ ହ୍ୟାଣ୍ଡେଲରେ ସ୍ଥାନ ପାଇବା ପରେ ପ୍ରିନସେସ୍‌ଙ୍କୁ ବିଶ୍ୱ ସମୁଦାୟ ଜାଣିବାର ସୁଯୋଗ ପାଇଛନ୍ତି।

‘‘ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ଉଦ୍ୟମ ଯୋଗୁଁ ଆଜି ମୁଁ ସମସ୍ତଙ୍କ ପାଖରେ ପହଞ୍ଚିଛି। ଲୋକେ ମୋ କାହାଣୀ ଦେଖିଛନ୍ତି। ସେଥିପାଇଁ ମୁଁ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସକୁ ଧନ୍ୟବାଦ ଜଣାଉଛି’’, କହିଛନ୍ତି ପ୍ରିନସେସ୍‌। ସେହିପରି ସେ ୟୁନିସେଫ୍‌କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

“ଭାରତୀୟ ହିସାବରେ ଲୋକଙ୍କୁ ସେବା ଯୋଗାଇ ଦେବା ହେଉଛି ମୋର କର୍ତ୍ତବ୍ୟ। ଆଉ ଏଭଳି କାମ କରିବା ପଛରେ ମୋ ପରିବାରର ବଡ଼ ଭୂମିକା ରହିଛି। କିନ୍ନର ବୋଲି ସେମାନେ ମତେ କେବେ ଅବହେଳା କରିନାହାନ୍ତି। ଅନ୍ୟ ପିଲାମାନଙ୍କ ଭଳି ମୁଁ ମଧ୍ୟ ମୋ ବାପା ମା’ ଓ ପରିବାରଠାରୁ ଯଥେଷ୍ଟ ସ୍ନେହ, ଆଦର, ଭଲପାଇବା ପାଇଛି। ମୋତେ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି ମୋ ପରିବାର ଲୋକ”, କହିଛନ୍ତି ପ୍ରିନସେସ୍‌।

ପ୍ରିନସେସ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କିନ୍ନରମାନେ ଗୋଟିଏ ପାଦ ଆଗକୁ ବଢ଼ାଇବେ ତେବେ ଆମ ପ୍ରଶାସନ, ଆମ ବ୍ୟବସ୍ଥା ଆମ ଆଡ଼କୁ ଆଉ ଗୋଟିଏ ପାଦ ବଢ଼ାଇବ। କିନ୍ନରଙ୍କ ଜୀବନ ସହଜ ହୋଇପାରିବ।

କୋଭିଡର ପ୍ରଥମ ଲହର ସମୟରେ ଜିଲ୍ଲା ପ୍ରଶାସନ ସହ ମିଶି ପ୍ରିନସେସ୍‌ କୋଭିଡ କେୟାର ସେଣ୍ଟରରେ କାମ କରୁଥିଲେ। ଆଉ ଏବେ ଟିକାକରଣ କେନ୍ଦ୍ରରେ କାମ କରୁଛନ୍ତି। ସହରର ପାନପୋଷ ୟୁସିଏଚ୍‌ସିରେ ଥିବା ଟିକାକରଣ କେନ୍ଦ୍ରରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ସେ କାମ କରନ୍ତି। ପ୍ରିନସେସ୍‌ଙ୍କ ଏଭଳି କାମ ପାଇଁ ତାଙ୍କ ପରିବାରଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସମ୍ପର୍କୀୟ, ସାଙ୍ଗସାଥୀ ଏବଂ ଅଞ୍ଚଳବାସୀ ବେଶ୍‌ ଖୁସି ଅଛନ୍ତି।

ରାଉରକେଲା ସହରର ଆନନ୍ଦଭବନ ଲେନ୍‌ ଉମର କଲୋନୀରେ ପ୍ରିନସେସ୍‌ଙ୍କ ଘର। ସେଠାରେ ସେ ତାଙ୍କ ପରିବାର ସହ ରହନ୍ତି। ସେ ବାଣିଜ୍ୟରେ ସ୍ନାତକ କରିବା ସହ କମ୍ପ୍ୟୁଟର ଶିକ୍ଷାର ତାଲିମ ମଧ୍ୟ ନେଇଛନ୍ତି। ଏବେ ସେହି ଶିକ୍ଷା ତାଙ୍କୁ ରୋଜଗାର ଦେବାସହ ଆତ୍ମତୃପ୍ତି ଦେଉଥିବା କହନ୍ତି କିନ୍ନର ପ୍ରିନସେସ୍‌।

Comment