ସତୀଶ ଶର୍ମା

ଚଳିତ ନିର୍ବାଚନ ସମୟରେ ରାଉରକେଲା ବିଧାନସଭା ଆସନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୪ ଭଳି ୨୦୨୪ରେ ରାଉରକେଲା ପୁଣିଥରେ ବଡ଼ ଲଢ଼େଇ ଦେଖିବାକୁ ଯାଉଛି। ଏଥର ରାଉରକେଲା ଆସନ ବିଜେଡି ଖାତାରେ ରହିବ ନା ବିଜେପି ଛଡ଼ାଇ ନେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

୧୯୬୭ ମସିହାରେ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଭାବେ ଗଠିତ ରାଉରକେଲା ବିଧାନସଭା ଆସନ। ଶ୍ରମିକ ନେତା ରାଜକିଶୋର ସାମନ୍ତରାୟ ରାଉରକେଲାର ପ୍ରଥମ ବିଧାୟକ ନିର୍ବାଚିତ ହୋଇଥିଲେ। ରାଉରକେଲା ଓଡ଼ିଶାକୁ ଜଣେ ମୁଖ୍ୟମନ୍ତ୍ରୀ ଦେବାର ସୌଭାଗ୍ୟ ପାଇଛି। ୧୯୭୧ ମସିହାରେ ରାଉରକେଲାରୁ ଉପନିର୍ବାଚନ ଜିତି ବିଶ୍ଵନାଥ ଦାସ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। 

ଏଥର ରାଉରକେଲା ଦେଖିବାକୁ ଯାଉଛି ରୋଚକ ଲଢ଼େଇ। ମଇଦାନରେ ରାଜନୀତିର ପୁରୁଣା ଖେଳାଳି ଦିଲ୍ଲୀପ ରାୟ ବିଜେପି ପ୍ରାର୍ଥୀ ଭାବେ ଓହ୍ଲାଇଛନ୍ତି। ସେ ବର୍ତ୍ତମାନ ବିଜେଡିର ସାରଦା ପ୍ରସାଦ ନାୟକଙ୍କଠାରୁ ଏହି ଆସନ ହାତେଇବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି।

ତେବେ ରାଉରକେଲା ନିର୍ବାଚନୀ ମଇଦାନରେ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ପରେ ବିଜେଡି ପାଇଁ ଏହି ଲଢ଼େଇ ସହଜ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ତେବେ ଏଠାକାର ଭୋଟର କାହା ଆଡ଼କୁ ଢଳିବେ ତାହା ଦେଖିବାକୁ ବାକି ରହିଲା।

ପୁଣି ଦିଲ୍ଲୀପ-ସାରଦା ଲଢ଼େଇ

୧୦ ବର୍ଷ ପରେ ରାଉରକେଲାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଦିଲ୍ଲୀପ ରାୟ। ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜ୍ୟ ରାଜନୀତିରେ ରହିଛି ଦିଲ୍ଲୀପଙ୍କ ପ୍ରଭାବ। ସେ ବିଜେଡିର ସଂସ୍ଥାପକ ସଦସ୍ୟ ଓ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହିଥିଲେ। ଦିଲୀପ ରାୟ ରାଉରକେଲାରୁ ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ଏବଂ ୨୦୧୪ରେ ବିଜେପି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ।

ଅନ୍ୟପଟେ ବିଜେଡିର ଜଣେ ଭଲ ସଂଗଠକ ଓ ଲୋକପ୍ରିୟ ନେତା ଭାବେ ଜଣାଶୁଣା ସାରଦା ପ୍ରସାଦ ନାୟକ। ସେ ରାଉରକେଲାରୁ ବିଜେଡି ଟିକେଟରେ ୨୦୦୪, ୨୦୦୯ ଓ ୨୦୧୯ରେ ବିଧାୟକ ହୋଇଛନ୍ତି। ଯେଉଁ ତିନିଟି ନିର୍ବାଚନ ସାରଦା ଜିତିଛନ୍ତି, ସେଥିରେ ଦିଲ୍ଲୀପଙ୍କ ସହ ତାଙ୍କର ମୁକାବିଲା ହୋଇନି।

୨୦୧୪ରେ ଦିଲ୍ଲୀପ ରାୟ ଏବଂ ସାରଦା ନାୟକ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଏଥିରେ ଦିଲ୍ଲୀପ ସାରଦାଙ୍କୁ ପ୍ରାୟ ୧୧ ହଜାର ଭୋଟରେ ପରାସ୍ତ କରିଥିଲେ। ଏଣୁ ଚଳିତ ବର୍ଷର ଲଢ଼େଇ ସାରଦାଙ୍କ ପାଇଁ ସମ୍ମାନର ଲଢ଼େଇ ହେବାକୁ ଯାଉଛି।

କଂଗ୍ରେସର କ’ଣ ରହିଛି ଆଶା?

ପୂର୍ବରୁ କଂଗ୍ରେସକୁ ରାଉରକେଲାରେ ବିଶେଷ ସଫଳତା ମିଳି ନାହିଁ। ଏହି ବିଧାନସଭା କ୍ଷେତ୍ର ଗଠନ ହେବା ଦିନଠାରୁ ଏ ଯାଏଁ ମାତ୍ର ୩ ଥର କଂଗ୍ରେସ ପ୍ରାର୍ଥୀ ଏଠାରେ ବିଜୟୀ ହୋଇଛନ୍ତି। ୧୯୭୧ରେ ଶ୍ୟାମସୁନ୍ଦର ମହାପାତ୍ର, ୧୯୮୦ରେ ଗୁରୁପଦ ନନ୍ଦ ଏବଂ ୧୯୯୫ ମସିହାରେ ପ୍ରଭାତ ମହାପାତ୍ର ଏଠାରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି।

ଚଳିତ ବର୍ଷ କଂଗ୍ରେସ ରାଉରକେଲାରେ ପୁଣିଥରେ ପ୍ରାର୍ଥୀ ବଦଳାଇଛି। ୨୦୧୯ରେ ବୀରେନ ସେନାପତି ଏଠାରେ ପ୍ରାର୍ଥୀ ହୋଇ ୧୩ ହଜାରରୁ ଅଧିକ ଭୋଟ ପାଇଥିଲେ। ହେଲେ ଏଥର ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।

କୁଆଡ଼େ ଯିବ ଜନମତ?

ଦଳ ଅପେକ୍ଷା ଅଧିକାଂଶ ସମୟରେ ନେତାଙ୍କୁ ଦେଖି ଭୋଟ୍ ଦେଇଛି ରାଉରକେଲା। ଭୁବନେଶ୍ୱର ପରେ ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି। ତେବେ ସହରର ବିକାଶ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ତେଣୁ ଏଠାରେ ନିର୍ବାଚନରେ କେବଳ ପ୍ରଚାର ନୁହେଁ କାମ ଦେଖି ଜନତା ଭୋଟ୍ ଦେବାର ସମ୍ଭାବନା ରହିଛି।  

୨୦୧୪ରେ ବିଜେପି ବିଧାୟକ ହେବା ସତ୍ତ୍ଵେ ଦିଲୀପ ରାୟ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ। ତାଙ୍କ ଦାବି ପୂରଣ ନହେବାରୁ କେନ୍ଦ୍ର ସରକାରଙ୍କ ଉପରେ ଅଭିମାନ କରି ୨୦୧୮ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ହେଲେ ଦଳ ତାଙ୍କ ଇସ୍ତଫା ଗ୍ରହଣ କରିନଥିଲା। ରାଉରକେଲା ପାଇଁ ପଦ ଓ ଦଳ ଛାଡ଼ି ଲୋକଙ୍କ ଆଗରେ ହିରୋ ପାଲଟିଥିଲେ ଦିଲ୍ଲୀପ। ତେଣୁ ଏଥର ତାଙ୍କ ଆଡ଼କୁ ଜନମତ ଢଳିପାରେ ବୋଲି ଚର୍ଚ୍ଚା ହେଉଛି।

ଏଥର ନିର୍ବାଚନରେ ବିଜେପି ରାଜ୍ୟ ସରକାରଙ୍କ ବିଫଳତା ଗଣାଇ ଭୋଟ୍ ମାଗୁଥିବାବେଳେ ବିଜେଡି ରାଜ୍ୟରେ ହୋଇଥିବା ବିକାଶକୁ ନେଇ ନିର୍ବାଚନ ଲଢ଼ୁଛି। ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମେ’ ୨୦ ତାରିଖରେ ରାଉରକେଲାରେ ଭୋଟ୍ ଗ୍ରହଣ ହେବ। ଏଠାକାର ୨ ଲକ୍ଷ ୯ ହଜାର ୭୧୦ ଜଣ ଭୋଟର ସେଦିନ କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧାଇବେ ତା’ ଉପରର ସମସ୍ତଙ୍କ ନଜର ରହିବ।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #OdishaAssemblyElections #Rourkela #SaradaNayak #DillipRay #BirendranathPattanaik #BJD #BJP #Congress #Politics #Odisha

LEAVE A REPLY

Please enter your comment!
Please enter your name here