ଭାସ୍କର ପରିଛା

କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନର ଗୁଞ୍ଜରଣ କିଛି ନୂଆ କଥା ନୁହେଁ। ବହୁ ଦିନ ଧରି ଏକଥା ଶୁଣାଯାଇ ଆସିଛି। ତେବେ, ନିକଟରେ ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଗାନ୍ଧୀ ପରିବାରକୁ ବାଦ ଦେଇ ହିଁ କେହି ଜଣେ କଂଗ୍ରେସ ସଭାପତି ହେବା ଦରକାର। ଏହା ପରେ ଚର୍ଚ୍ଚାଟି ନୂଆ ମୋଡ଼ ନେଇଛି।

ପ୍ରିୟଙ୍କା ହୁଅନ୍ତୁ

ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦ ଛାଡ଼ିବା ପରେ ମଝିରେ ମଝିରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲି ଆସିଛି ଯେ ତାଙ୍କୁ ମନେଇବା ପାଇଁ ଉଦ୍ୟମ ଜାରି ରହିଛି ଅଥବା ସେ ରାଜି ହୋଇ ଯାଇଛନ୍ତି। ଏଭଳି ଚର୍ଚ୍ଚା ମଧ୍ୟ ହୋଇଛି ଯେ  ହିଁ ଆଜି ନୁହେଁ ତ କାଲି ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ଅନ୍ୟ କେହି ନୁହେଁ। ଯଦି ରାହୁଲ ଗାନ୍ଧୀଙ୍କୁ ଛାଡ଼ି ଚର୍ଚ୍ଚା ଆଗେଇଲା ତ ଦଳ ଭିତରେ ଥୋକେ ଦାବି କରି ଆସିଛନ୍ତି ପ୍ରିୟଙ୍କାଙ୍କୁ କଂଗ୍ରେସ ସଭାପତି କରାଯିବା ଠିକ୍ ହେବ ଓ ଯେତେ ଶୀଘ୍ର ସମ୍ଭବ ସେ ଦାୟିତ୍ୱ ନେଇଯିବା ଆବଶ୍ୟକ।ଏହିଭଳି ପାଖାପାଖି ଗୋଟିଏ ବର୍ଷ ବିତିଯିବା ପରେ ଜଣେ ଅଣ ଗାନ୍ଧୀ ପରିବାରରୁ କେହି ଜଣେ ଅଧ୍ୟକ୍ଷ ହେବାର ସର୍ବପ୍ରଥମ ସୁଯୋଗ ସୃଷ୍ଟି ହୋଇଛି ବୋଲି ଆମକୁ ବୁଝିବାକୁ ପଡ଼ିବ। ଯେହେତୁ ଭାଇ ଭଉଣୀ ଦୁହେଁ ଗୋଟିଏ ଅଭିପ୍ରାୟ ପ୍ରକଟ କରିଛନ୍ତି, ଏଥିରେ ନିଶ୍ଚିତରେ କିଛି ଦମ ଥିବା ଭଳି ଲାଗୁଛି।

ଅତୀତ ପୃଷ୍ଠା

ଗୋଟିଏ ପୁସ୍ତକ ପାଇଁ ସାକ୍ଷାତକାର ଦେବା ଅବସରରେ ରାହୁଲ ଓ ପ୍ରିୟଙ୍କା ଏହି ଅଣଗାନ୍ଧୀ ନେତୃତ୍ୱ କଥାଟି କହିଥିଲେ – ଯଦିଓ ଉଭୟଙ୍କର କହିବାର ଢଙ୍ଗ ଅଲଗା ଅଲଗା ଥିଲା। ତେବେ,କଂଗ୍ରେସର ଦୁଇ ଜଣ ପ୍ରଭାବଶାଳୀ ନେତା ଯେତେବେଳେ ନିଜ ମନ କଥାଟି କହିସାରିଛନ୍ତି ପଚାରିବା ପାଇଁ ହେଉଛି ନେତୃତ୍ୱ ପରିବର୍ତ୍ତନ ପଛରେ ଆଉ ଅସୁବିଧାଟି କେଉଁଠି ରହିଲା? ଏହି ଗୋଲାକଧନ୍ଦାର ଉତ୍ତର ଖୋଜିବା ପାଇଁ ହେଲେ ଆମକୁ କିଞ୍ଚିତ ଅତୀତକୁ ଫେରି ଯିବାକୁ ହେବ।

ଇନ୍ଦିରା ଇଜ୍ ଇଣ୍ଡିଆ

ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ଓ ତା ପୂର୍ବରୁ ୧୯୬୯ ମସିହାରେ କଂଗ୍ରେସ ବିଭାଜନ ପରେ ଇନ୍ଦିରା ନିଜ ନାମରେ ଏକ ନୂଆ ଦଳ ଗଠନ କଲେ ଓ ଏହାକୁ କୁହାଗଲା କଂଗ୍ରେସ- ଆଇ ବା ଇନ୍ଦିରା କଂଗ୍ରେସ। ପରବର୍ତ୍ତୀ ସମୟରେ ଦଳ ଉପରେ ଗାନ୍ଧୀ ପରିବାରର ଦବଦବା ଏତେ ପରିମାଣରେ ବଢ଼ିଲା ଯେ ପରିବାର ସଦସ୍ୟଙ୍କ ଛାଇରୁ ବାହାରି ଆସି ନିଜ ଚିନ୍ତାଧାରା ଅନୁସାରେ କାର୍ଯ୍ୟ ସମ୍ପାଦନ କରିବା କୌଣସି କଂଗ୍ରେସ ସଭାପତିଙ୍କ ପକ୍ଷରେ ସମ୍ଭବ ନଥିଲା। ଏହା ସେତେବେଳେ ଏକ ଅପରିକଳ୍ପନୀୟ କଥା ମଧ୍ୟ  ଥିଲା। ସୁତରାଂ ୫୧ ବର୍ଷ ଭିତରେ କାଁ ଭାଁ ବ୍ୟତିକ୍ରମ  ଓ ଅପବାଦକୁ ଛାଡ଼ିଦେଲେ ଗାନ୍ଧୀ ପରିବାରର ସଦସ୍ୟ ହିଁ ଦଳର ସଭାପତି ରହି ଆସିଛନ୍ତି। ଯଦି ଜଣେ କେହି ଗାନ୍ଧୀ- ନେହେରୁ ପରିବାର ବାହାରର ସଦସ୍ୟ ସଭାପତି ପଦରେ ଅବସ୍ଥାପିତ ହୋଇଛନ୍ତି ସେ ନିଶ୍ଚିତଭାବେ ଦେବକାନ୍ତ ବରୁଆଙ୍କ ଭଳି ବ୍ୟକ୍ତି ହିଁ ହୋଇଛନ୍ତି ଯାହାଙ୍କୁ ଗାନ୍ଧୀ ପରିବାରଠାରୁ ଅଲଗା କରି ଦେଖିବା କଷ୍ଟ।

ଭାଗ୍ୟ ପରୀକ୍ଷା

ଉପରେ ଯେଉଁ ବ୍ୟତିକ୍ରମ ଓ ଅପବାଦ କଥା କୁହାଗଲା ସେ ଦୁଇ ଜଣ ହେଉଛନ୍ତି ସୀତାରାମ କେଶରୀ ଓ ପିଭି ନରସିଂହ ରାଓ। ଅଣ ଗାନ୍ଧୀ ପରିବାରର ଲୋକ ଭାବରେ କେଶରୀ ଓ ନରସିଂହ ରାଓ ଯେତେବେଳେ କଂଗ୍ରେସ ସଭାପତି ହେଲେ ଲାଗୁଥିଲା ଏ ଦୁଇ ଜଣ ଗାନ୍ଧୀ ପରିବାରର ଛାୟା ଭିତରୁ ଓହରି ଆସିଛନ୍ତି। କିନ୍ତୁ ଗାନ୍ଧୀ ପରିବାର ସହିତ ଲାଗି ରହିଥିବା ଓ ପରିବାରର ନିକଟବର୍ତ୍ତୀ ବୋଲି ଦାବି କରୁଥିବା ନେତାମାନେ କେଶରୀ ଓ ରାଓଙ୍କ ରାସ୍ତାରେ କଣ୍ଟା ବିଛାଇବା ସକାଶେ କୌଣସି ଉଦ୍ୟମକୁ ହାତ ଛଡ଼ା କରିନଥିଲେ ଯାହା ଫଳରେ କି ଏ ଦୁଇ ଜଣଙ୍କର ଭାଗ୍ୟ ଫିକା ପଡ଼ିବା ଆରମ୍ଭ ହେଲା।ସଭାପତି ପଦରୁ ହଟିବା ପରେ ଏ ଦୁଇ ବର୍ଷିୟାନ ନେତା କଂଗ୍ରେସରେ ରହିଲେ ସତ କିନ୍ତୁ ସମୟକ୍ରମେ ସେମାନଙ୍କୁ ଦଳରୁ ଫୋଫାଡ଼ି ଦିଆଗଲା। ଏହି ଭଳି ପରିସ୍ଥିତିରେ ଗାନ୍ଧୀ ପରିବାରକୁ ଛାଡ଼ିଦେଇ ଯଦି କେହି କଂଗ୍ରେସ ସଭାପତି ହେବା ପାଇଁ ମଙ୍ଗୁ ନାହାଁନ୍ତି ତାହା ସ୍ୱାଭାବିକ। ଏଣୁ ସଭାପତି ହେବା ସକାଶେ ପରିବାର ବାହାର ନେତାଙ୍କର ନାସିକା କୁଂଚନକୁ ଗାନ୍ଧୀ ପରିବାରର ସଦସ୍ୟମାନେ ହିଁ ସଳଖ କରିପାରିବେ। ଗାନ୍ଧୀ ପରିବାରର ଉତ୍ତରାଧିକାରୀମାନଙ୍କୁ ଆହୁରି ସ୍ପଷ୍ଟ ଭାବରେ କହିବାକୁ ଗଲେ ରାହୁଲ ଓ ପ୍ରିୟଙ୍କାଙ୍କୁ – ହିଁ ଏହି ଗତିରୋଧ ଭାଙ୍ଗିବାକୁ ପଡ଼ିବ, ନିଜକୁ ଏଥିରେ ସକ୍ରିୟ ଭାବେ ସାମିଲ କରିବାକୁ ପଡ଼ିବ ଓ ନୂଆ କଂଗ୍ରେସ ସଭାପତି ପାଇଁ ବାଟ ସଫା କରିବାକୁ ହେବ।

ପପୁ ହୋଇନଥିବେ

ଏକଥା କହିବାରେ ଆଦୌ କୁଣ୍ଠାବୋଧ ନାହିଁ ଯେ କଂଗ୍ରେସ ଦଳ ଭିତରେ ଅଭିଜ୍ଞ,ନେତୃତ୍ୱ ନେବା ଭଳି ଓ ପ୍ରାକ୍ଟିକାଲ ନେତା ଢ଼େର ଅଛନ୍ତି। ଆଶା କରାଯିବା ସ୍ୱାଭାବିକ,ଆଗାମୀ ଦିନରେ ଏହି ପ୍ରତିଭାବାନ ନେତାଙ୍କ ଭିତରୁ କାହାକୁ ଜଣେ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯିବ। ତେବେ ଯିଏ ନୂଆ କଂଗ୍ରେସ ସଭାପତି ହେବେ ତାଙ୍କର କେବଳ ଦଳ ଭିତରେ ନୁହେଁ ବାହାରେ ମଧ୍ୟ ଗ୍ରହଣୀୟତା ଥିବା ଦରକାର। ଅଧିକନ୍ତୁ ,ଦେଶର ଅନ୍ୟ ରାଜନୈତିକ ଧାରାର ନେତୃତ୍ୱ ଦ୍ୱାରା ମଧ୍ୟ ସେ ଗ୍ରହଣଯୋଗ୍ୟ ହେବା ଆବଶ୍ୟକ। ସେ ଏଭଳି ଜଣେ ନେତା ହେବା ଦରକାର ଯିଏ କି ଦେଶର ଏକ ବୃହତ ଦଳକୁ ପୁଣି ମୁଣ୍ଡ ଟେକି ଚାଲିବାରେ ସାହାଯ୍ୟ କରିବେ ଓ ବିଭିନ୍ନ ପ୍ରସଙ୍ଗରେ ଓ ତର୍କ ବିତର୍କରେ ସେ ସମାନ ଗୌରବ ହାସଲ କରି ପାରୁଥିବେ। ସଂକ୍ଷିପ୍ତରେ କହିଲେ ସେ ‘ପପୁ’ ହୋଇନଥିବେ!BGUକଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ କେବଳ ଦଳର ନୁହେଁ ସମୟର ବି ଆବଶ୍ୟକତା। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ଶକ୍ତ ବିରୋଧୀ ଦଳର ଆବଶ୍ୟକତାକୁ କଦାପି ଏଡେଇ ଦିଆଯାଇ ପାରିବ ନାହିଁ। ଶହେରୁ ଅଧିକ  ବର୍ଷର କଂଗ୍ରେସ ଦଳ ପାଇଁ କେବଳ ଜଣେ  ନୂଆ ନେତା ଦରକାର ତାହା ନୁହେଁ ଭାରତର ବିଶାଳକାୟ ସାମାଜିକ -ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ମଧ୍ୟ ଜଣେ ଦୃଢ ନେତାଙ୍କ ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here