ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ମହାମାରୀର ଏହି ସଙ୍କଟ ସମୟରେ ଜୀବନ ସହ ଜୀବିକା ବଞ୍ଚେଇବା ଏକ ବଡ଼ ଆହ୍ଵାନରେ ପରିଣତ ହୋଇଛି। ସେଥିପାଇଁ କୋଭିଡ୍ ନିୟମ ମାନି ନିର୍ମାଣ ଓ ଉତ୍ପାଦନକୁ ଗୁରୁତ୍ଵ ଦେଇଛନ୍ତି ସରକାର। କିନ୍ତୁ ଜୀବିକା ଅଭାବରୁ କିଛି ମାସ ତଳେ ଯେଉଁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିଲେ ସେମାନେ ପୁଣି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସୁଛି। ଦଲାଲମାନେ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରମିକ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି।

ଦେଶରେ ଏବେ ସରକାରୀ ଲକ୍‌ଡାଉନ୍ କଟକଣା କୋହଳ ହୋଇଛି। ଫଳରେ ବିଭିନ୍ନ ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକର ମାଲିକମାନେ ଏବେ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ନିକଟରେ ଆବଶ୍ୟକ ସଂଖ୍ୟକ ଶ୍ରମିକ ନାହାନ୍ତି। ତେଣୁ ଏବେ କଳକାରଖାନା ଚାଲୁ କରିବାକୁ ମାଲିକମାନେ ଶ୍ରମିକ ଯୋଗାଡ଼ରେ ଲାଗିଛନ୍ତି।

କରୋନାକୁ ଭୟ କରି ଗାଁକୁ ଫେରି ଆସିଥିବା ପ୍ରବାସୀଙ୍କ ନିକଟକୁ କାରଖାନା ମାଲିକମାନେ ଫୋନ୍ କରୁଛନ୍ତି। ଏଥିସହ ଗାଁ ଗହଳରୁ ଶ୍ରମିକ ଯୋଗାଡ଼ କରିବାକୁ ବିଭିନ୍ନ ଶ୍ରମିକ ଦଲାଲମାନଙ୍କୁ ନିୟୋଜିତ କରିଛନ୍ତି। ଏହି ଦଲାଲମାନେ ପୁରୁଣା ଶ୍ରମିକଙ୍କ ଠିକଣା ଖୋଜିଖୋଜି ଗାଁ ଗହଳରେ ଭିଡ଼ ଜମାଉଛନ୍ତି। ଗତ ୬ ମାସ ହେଲା ପ୍ରବାସରୁ ଫେରିଥିବା ଶ୍ରମିକ ପାଇଁ ନିଜ ଘର ଚଳାଇବା କଷ୍ଟକର ହୋଇପଡ଼ୁଥିବା ବେଳେ ଦଲାଲମାନେ ଏହାର ଫାଇଦା ଉଠାଉଛନ୍ତି। ଏପଟେ ଜୀବିକା ପାଇଁ ଅଧିକ ଦରମାରେ କାମ କରୁଥିବା ଶ୍ରମିକ ଏବେ କମ୍ ମଜୁରୀରେ କାମ କରିବାକୁ ରାଜି ହେଉଛନ୍ତି।

ଏବେ ସାଧାରଣ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ କେତେକ ରାଜ୍ୟକୁ ସ୍ଵତନ୍ତ୍ର ଟ୍ରେନ୍ ଚାଲିଛି। ତେବେ ଟ୍ରେନ୍‌ରେ ବାହାର ରାଜ୍ୟକୁ ଗଲେ କରୋନା ସଂକ୍ରମଣ ଆଶଙ୍କା କରି ପ୍ରବାସୀମାନେ ବସ୍‌ ଯୋଗେ ପ୍ରବାସ ଫେରିବାକୁ ପସନ୍ଦ କରୁଛନ୍ତି। ତେଣୁ ବିଭିନ୍ନ ରାଜ୍ୟର କମ୍ପାନିଗୁଡ଼ିକ କେନ୍ଦ୍ରାପଡ଼ା ଜିଲ୍ଲାକୁ ବସ୍ ପଠାଇ ଶ୍ରମିକମାନଙ୍କୁ ପୁଣି ଫେରାଇ ନେବାକୁ ଚେଷ୍ଟା କରୁଛନ୍ତି।BGUବସ୍ ନମ୍ବର KL 40B 3099 ଓ KL 46D 9500 କେରଳରୁ ଆସି ଶ୍ରମିକମାନଙ୍କୁ ନେବା ଆରମ୍ଭ କରିଛି। ଜିଲ୍ଲାର ରାଜକନିକା, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ଅଞ୍ଚଳର ଶ୍ରମିକମାନେ ଏହି ବସ୍‌ରେ କେରଳ ଯାତ୍ରା କରିଛନ୍ତି। ଏମାନେ ବିଶେଷକରି ଅଟାକଳ ଓ ପ୍ଲାଏଉଡ୍ କମ୍ପାନୀର ଶ୍ରମିକ ବୋଲି ଜଣାପଡ଼ିଛି।

Comment