ଓଡ଼ିଶାଲାଇଭ୍‌  ବ୍ୟୁରୋ

‘ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ, ହେମା ନୂଆଖାଇ ଭେଟ୍

ସଂସାର ଡୋର୍ ଥି ବନ୍ଧା ହୋଇଥିମା, ଗାଁ ଯାକର ହେଇ ମେଟ୍’

ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’। ପାଞ୍ଜି ଅନୁସାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ଆଜିର ଦିନରେ ପାଳିତ ହୁଏ କୃଷି ଭିତ୍ତିକ ଏହି ଗଣପର୍ବ-ନୂଆଁଖାଇ। ନୂଆଁଖାଇରେ ଝଲସି ଉଠେ ସାମାଜିକ ଚାଲିଚଳଣୀର ନିଚ୍ଛକ ପ୍ରତିଛବି। ସଂସ୍କୃତି ଏବଂ ଆଦି ପରମ୍ପରାର ମହତ୍ତ୍ଵ ସହ ଭାଇଚାରାର ସ୍ଵାଦ ଚଖାଇଥାଏ ଏହି ପର୍ବ। ପ୍ରକୃତି ସହିତ ମଣିଷର ରହିଥିବା ନିବିଡ଼ତାକୁ ମଧ୍ୟ ଦର୍ଶାଇଥାଏ ନୂଆଁଖାଇ।

ନୂଆଁଖାଇ ପାଳନର ବିଶେଷତ୍ଵ

ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ।BGU

କିପରି ପାଳନ ହୁଏ ନୂଆଁଖାଇ?

ନୂଆଁଖାଇ ପାଇଁ ପୂର୍ବରୁ ଜ୍ୟୋତିଷମାନଙ୍କଦ୍ୱାରା ଏକ ନିର୍ଦ୍ଧିଷ୍ଟ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ଲଗ୍ନ ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କଠାରେ ନୂଆକରି ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନ ଲାଗି କରାଯାଇଥାଏ। ଇଷ୍ଟଦେବୀଙ୍କଠାରେ ଲାଗି ହେବାପରେ ଏହା ନବାନ୍ନରେ ପରିଣତ ହୋଇଥାଏ। ଏହାପରେ ପରିବାରର ମୂଖ୍ୟଙ୍କ ହାତରୁ ସଭିଏଁ ନବାନ୍ନ ଭୋଗ ଗ୍ରହଣ କରିବା ସହ ସେମାନଙ୍କୁ ପ୍ରଣାମକରି ଆଶୀର୍ବାଦ ଗ୍ରହଣ କରନ୍ତି। ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠାକୁ ସମସ୍ତେ ଏକତ୍ରିତ ହୋଇ ଖାଆନ୍ତି। ଏହାପରେ ସଭିଁଙ୍କୁ ନୂଆଁଖାଇ ଭେଟ୍‌ଘାଟ୍ର ଶୁଭେଚ୍ଛା ଜଣାଇଥାନ୍ତି। ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ।

ଏକତାର ପର୍ବ

ସମାନତା ଏବଂ ଏକତାର ବାର୍ତ୍ତା ବହନକରେ ନୂଆଁଖାଇ। ପୂର୍ବ ଶତୃତାକୁ ଭୁଲିକରି ସଭିଏଁ ଏକଜୁଟ ହୁଅନ୍ତି, ମିଶିକରି ଖାଆନ୍ତି ନୂଆଖାଦ୍ୟ, ମିଶିକରି ଖେଳନ୍ତି ଖେଳ, କାନ୍ଧକୁ କାନ୍ଧ ମିଶାଇ ସଭିଁଏ ନାଚନ୍ତି ଗୀତର ତାଳେତାଳେ। ସର୍ବୋପରି ସଭିଁଙ୍କୁ ଗୋଟିଏ ସୂତାରେ ବାନ୍ଧିରଖେ ଏହି ପର୍ବ। ଯେଉଁଥିପାଇଁ ଏହାକୁ ଗଣପର୍ବ ମଧ୍ୟ କୁହାଯାଏ।

ବାସି ନୂଆଁଖାଇ

ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ବା ବାସି ନୂଆଁଖାଇ କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ସଭିଏଁ  ଆମିଷ ଖାଇଥାନ୍ତି।

LEAVE A REPLY

Please enter your comment!
Please enter your name here