ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଏ ଧରିବେ କଂଗ୍ରେସ ମଙ୍ଗ? ସୋନିଆଙ୍କ ପରେ କାହାର ନେତୃତ୍ୱରେ ପୁଣି ଠିଆ ହେବ କଂଗ୍ରେସ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ।

ଏସବୁ ମଧ୍ୟରେ ଆଜି କଂଗ୍ରେସ ଦଳର କାର୍ଯ୍ୟକାରୀ କମିଟି ବୈଠକ ବସୁଛି। ଶୁଣିବାକୁ ମିଳୁଛି ଯେ, ଏହି ବୈଠକରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେ ନେଇ ଚର୍ଚ୍ଚା ହେବ। ତେବେ ସୋନିଆ ନିଜେ ଏଥର ଅଧ୍ୟକ୍ଷ ପଦରୁ ଓହରି ଜଣେ ଅଣଗାନ୍ଧୀ ପରିବାରର ଲୋକଙ୍କୁ ଅଧ୍ୟକ୍ଷ ପଦ ଦେଇପାରନ୍ତି ବୋଲି ସୂଚନା ମିଳିଛି।

କଂଗ୍ରେସର କେତେକ ନେତା ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦ ଦେବା ପାଇଁ ଅଡ଼ିବସିଛନ୍ତି। ସେମାନଙ୍କ ମତରେ ଗାନ୍ଧୀ ପରିବାର ବ୍ୟତୀତ କଂଗ୍ରେସର କଳ୍ପନା କରିବା ଅସମ୍ଭବ। ତେଣୁ ଗାନ୍ଧୀ ପରିବାର ଭିତରରୁ ହିଁ କେହି ଅଧ୍ୟକ୍ଷ ହୁଅନ୍ତୁ। ସୋନିଆ ଯଦି ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତି ତେବେ ରାହୁଲ କିମ୍ବା ପ୍ରିୟଙ୍କାଙ୍କୁ ଅଧ୍ୟକ୍ଷ ପଦ ଦେବାକୁ ସେମାନେ ଦାବି କରିଛନ୍ତି। ଏହି ନେତାମାନଙ୍କ ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ସାମିଲ ଅଛନ୍ତି।BGU

ତେବେ ଏହି ପଦ ପାଇଁ ରାହୁଲ କିମ୍ବା ପ୍ରିୟଙ୍କା କେହି ଇଚ୍ଛୁକ ନଥିବା ଜଣାପଡ଼ିଛି। ଯଦି ସେମାନେ ଏହି ପଦବୀ ନଆପଣାନ୍ତି ତେବେ ଏହି ଦାୟିତ୍ୱ ନିଶ୍ଚୟ ଭାବେ ଗାନ୍ଧୀ ପରିବାର ବାହାରୁ କିଏ ସମ୍ଭାଳିବେ। ତେବେ ୧୯୯୬ରେ ଶେଷ ଥର ଅଣ ଗାନ୍ଧୀ ଭାବେ ସୀତାରାମ କେଶରୀ ପଦ ସମ୍ଭାଳିଥିଲେ।

ଅନ୍ୟପଟେ ଯଦି ଗାନ୍ଧୀ ପରିବାର ମଧ୍ୟରୁ କେହି ଅଧ୍ୟକ୍ଷ ନହୁଅନ୍ତି ତେବେ କଂଗ୍ରେସର ଜାତୀୟ ସ୍ତରର ନେତା ମୁକୁଲ ୱାସନିକ, ଏ କେ ଆଣ୍ଟୋନୀ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏଥର ଅଧ୍ୟକ୍ଷ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Comment