ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦର ବନ୍ୟାଜଳ କେଉଁ କେଉଁ ବାଟ ଦେଇ ମହାନଦୀର ତଳମୁଣ୍ଡରେ ପହଞ୍ଚିଥାଏ ଜାଣନ୍ତୁ…
ଓଡ଼ିଶାର ସବୁଠୁ ବଡ଼ ନଦୀ କୁହାଯାଉଥିବା ମହାନଦୀରେ ଏବେ ବନ୍ୟା ପରିସ୍ଥିତି। ଛତିଶଗଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଏବେ ହୀରାକୁଦରେ ଜଳସ୍ତର ବଢ଼ୁଛି। ଏପଟେ ହୀରାକୁଦର ୪୬ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ ହେଉଛି। ହୀରାକୁଦରୁ ନିଷ୍କାସିତ ହେଉଥିବା ଏହି ବନ୍ୟାଜଳ ମହାନଦୀର ତଳମୁଣ୍ଡରେ ବନ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି।
ଅନ୍ୟପଟେ ହୀରାକୁଦରୁ ଗତକାଲି ନିଷ୍କାସିତ ହୋଇଥିବା ବନ୍ୟାଜଳ ଆଜି ସନ୍ଧ୍ୟାସୁଦ୍ଧା ମୁଣ୍ଡଳୀ ଛୁଇଁବ ବୋଲି ଅନୁମାନ କରଯାଇଛି। ହୀରାକୁଦର ପାଖାପାଖି ୬ ଲକ୍ଷ କ୍ୟୁସେକ୍ ଜଳ ସହ ଓ ତଳ ମୁଣ୍ଡରେ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ଜଳକୁ ମିଶାଇ ମୋଟ ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ମୁଣ୍ଡଳି ଦେଇ ପାସ୍ କରିବ ବୋଲି ଜଳସମ୍ପଦ ବିଭାଗର ପ୍ରମୁଖ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।
ତେବେ ହୀରାକୁଦରୁ ଆସୁଥିବା ଏହି ବନ୍ୟାଜଳ ମୁଣ୍ଡଳିରେ ପହଞ୍ଚିବାକୁ କେତେ ଘଣ୍ଟା ଲାଗିଥାଏ? କେଉଁ କେଉଁ ବାଟ ଦେଇ ହୀରାକୁଦର ବନ୍ୟା ଜଳ ମହାନଦୀର ତଳମୁଣ୍ଡକୁ ପହଞ୍ଚିଥାଏ ଆପଣ ଜାଣିଛନ୍ତି କି?
ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଏହା ଖଇରମାଳ, ବରମୂଳ ଓ ମୁଣ୍ଡଳୀ ଦେଇ ମହାନଦୀର ତଳମୁଣ୍ଡରେ ପହଞ୍ଚିଥାଏ। ପ୍ରଥମେ ହୀରାକୁଦରୁ ଜଳ ନିଷ୍କାସିତ ହେବା ପରେ ବନ୍ୟାଜଳ ୧୧୫ କିଲୋମିଟର ଦୂର ଖଇରମାଳରେ ପହଞ୍ଚିଥାଏ। ଏଥିପାଇଁ ପ୍ରାୟତଃ ୧୨ରୁ ୧୮ ଘଣ୍ଟା ଲାଗିଥାଏ।
ସେହିପରି ଖଇରମାଳରେ ବନ୍ୟାଜଳ ପହଞ୍ଚିବା ପରେ ସେଠାରୁ ପ୍ରାୟ ୧୦୬ କିଲୋମିଟର ଦୂର ବରମୂଳକୁ ଆସିବାକୁ ଆଉ ୧୨ରୁ ୧୬ ଘଣ୍ଟା ସମୟ ଲାଗିଥାଏ। ଏହାପରେ ବନ୍ୟାଜଳ ବରମୂଳରୁ ଆସି ମୁଣ୍ଡଳୀରେ ପହଞ୍ଚିଥାଏ। ଏଥିପାଇଁ ମଧ୍ୟ ପାଖାପାଖି ୧୨ ଘଣ୍ଟା ସମୟ ଲାଗିଥାଏ। ଏହିପରି ଭାବେ ହୀରାକୁଦରୁ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଥାଏ। ଏଥିପାଇଁ ପାଖାପାଖି ୩୬ ଘଣ୍ଟା ସମୟ ଲାଗିଥାଏ।


















