ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
  • କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା
  • ୧୫ କର୍ମଚାରୀଙ୍କୁ ସମ୍ମାନିତ
  • ମହିଳାଙ୍କୁ ଗୁରୁ ଦାୟିତ୍ୱ

ରାଉରକେଲା ମହାନଗର ନିଗମ ପକ୍ଷରୁ ସୋମବାର ସ୍ୱାୟତ୍ତ ଶାସନ ଦିବସ-୨୦୨୦ ପାଳନ କରାଯାଇଛି। ଏହି ଅବସରରେ ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡ଼ା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏହାସହ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀ ଏବଂ କରୋନା ସଙ୍କଟ ସମୟରେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇଥିବା ବିଭିନ୍ନ ବର୍ଗର ୧୫ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ରାଉରକେଲାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ସ୍ଥାପିତ ୭ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଆଜି ଲୋକାର୍ପଣ କରାଯାଇଛି। ଏହାର ପରିଚାଳନା ଭାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ କରାଯାଇଛି। ଏହି ପ୍ଲାଣ୍ଟ ପରିଚାଳନା ପାଇଁ ମନୋନୀତ ଏସଏଚଜି ସହ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏମଓୟୁ ସ୍ଵାକ୍ଷର କରିଥିଲେ। ସେହିପରି ୩୮ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ୱ, ବାଲୁଘାଟଠାରେ ଥିବା ମଳ ପରିଚାଳନା କେନ୍ଦ୍ରର ଦାୟିତ୍ୱ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। ଏହାସହ ୬ଟି ଆହାର କେନ୍ଦ୍ରର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ମହିଳାମାନଙ୍କୁ ଦିଆଯାଇଛି।

ଏହି ପଦକ୍ଷେପ ଫଳରେ କେବଳ ମହିଳା ସଶକ୍ତୀକରଣ ଲକ୍ଷ୍ୟ ପୂରଣ ହେବ ନାହିଁ, ବରଂ ଲୋକେ ଉତ୍ତମ ସେବା ବି ପାଇପାରିବେ। ପୂର୍ବରୁ ୬ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ୱ ମହିଳାଙ୍କୁ ଦିଆଯାଇଥିଲା।

ଏହିସବୁ ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ସୁନିଶ୍ଚିତ କରାଯିବା ସହ ଗୋଷ୍ଠୀ ଭାଗିଦାରୀତା ଏବଂ ଉତ୍ତମ ପରିଚାଳନା ମଧ୍ୟ ସୁଚାରୁ ରୂପେ ହୋଇପାରିବ ବୋଲି କମିଶନର ଶ୍ରୀ ପରିଡ଼ା କହିଛନ୍ତି।

BGU‘‘ରାଉରକେଲାବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇଦେବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୂରଣ କରିବା ଦିଗରେ ସମସ୍ତ କର୍ମଚାରୀ ଆହୁରି ଅଧିକ ପ୍ରୟାସ କରିବା ଶପଥ ନେବା ଉଚିତ। ଏଥିସହିତ ସହରର ବିକାଶ ନିମନ୍ତେ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ’’, କହିଛନ୍ତି ଦିବ୍ୟଜ୍ୟୋତି ପରିଡ଼ା।

Comment