ନୀଳାମ୍ବର ରଥ
“ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ଭିନ୍ନ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ତେଣୁ ଆମ ଭାଷା ଓ ନୃତ୍ୟ ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ପାଇଛି, ଆମ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବାର ସବୁ ଯୋଗ୍ୟତା ରଖିଛି,’’ କହିଛନ୍ତି ଓଡ଼ିଶୀ ସଙ୍ଗୀତର ଜଣେ ଜଣାଶୁଣା ଗୁରୁ ଓ ଓଡ଼ିଶାର ପରିଚିତ ଗାୟକ ଗୁରୁ ରାମହରି ଦାସ।
ନିକଟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ କରିବା ପାଇଁ ସବୁପ୍ରକାର ଉଦ୍ୟମ କରିବ ବୋଲି ଘୋଷଣା କରିଛି। ଗୁରୁ ରାମହରି ଦାସ ସରକାରଙ୍କ ଏହି ସ୍ଵରକୁ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଯେ ଆଜିର ଦିନରେ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ ଆଦିର ପ୍ରସାର ପାଇଁ ଗଣମାଧ୍ୟମର ବଡ଼ ଭୂମିକା ରହିଛି। ତା’ ସାଙ୍ଗକୁ ସରକାରଙ୍କର ମଧ୍ୟ ଏ ଦିଗରେ ଦାୟିତ୍ଵ ରହିଛି। ତେବେ ଗୋଟିଏ କଳାକୁ ଲୋକପ୍ରିୟ କରିବା ସହିତ ଏହାର ପରମ୍ପରାକୁ ପ୍ରତିଷ୍ଠିତ କରିବା ପାଇଁ ସବୁଠାରୁ ବଡ଼ ଭୂମିକା ହେଉଛି କଳାକାରମାନଙ୍କର। ତେଣୁ ଓଡ଼ିଶାର କୋଣ ଅନୁକୋଣରେ ଓଡ଼ିଶୀ ସଙ୍ଗୀତର ଗୁଞ୍ଜରଣ ହେଲେ ତାହା ଆପେ ଆପେ ଦିଲ୍ଲୀକୁ ଶୁଭିବ।
କିଛିଦିନ ତଳେ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଗୁରୁ ରାମହରି ଦାସଙ୍କ ସହ ଓଡ଼ିଶୀ ସଙ୍ଗୀତର ଧାରା, ସମସାମୟିକ ସ୍ଥିତି, ଅନ୍ୟ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସହିତ ତୁଳନା, ଓଡ଼ିଶୀ ସଙ୍ଗୀତର ଆଦ୍ୟ ଗୁରୁ, ଓଡ଼ିଶୀ ସଙ୍ଗୀତର ଶିକ୍ଷା, ପରମ୍ପରା ଓ ଭବିଷ୍ୟତ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଆଜିର ଦିନରେ ଓଡ଼ିଶୀ ସଙ୍ଗୀତର ଏକ ବଳିଷ୍ଠ ସ୍ଵର ଭାବେ ପରିଚିତ ଗୁରୁ ରାମହରି ଦାସ ତାଙ୍କ ଦୀର୍ଘ ଅନୁଭୂତିକୁ ବର୍ଣ୍ଣନା କରିବା ସହ ନିଜର ସ୍ଵତନ୍ତ୍ର ଗାୟନ ଶୈଳୀରେ ଓଡ଼ିଶୀ ରାଗ ରାଗିଣୀ ଉପସ୍ଥାପନ କରିଥିଲେ।
ଭାରତରେ ୮ଟି ଶାସ୍ତ୍ରୀୟ ନୃତ୍ୟ ଧାରା ରହିଛି। ତା’ ଭିତରେ ଗୋଟିଏ ଲୋକପ୍ରିୟ ତଥା ସୁଲଳିତ ନୃତ୍ୟ ଧାରା ହେଉଛି ଆମ ଓଡ଼ିଶୀ ନୃତ୍ୟ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ଓଡ଼ିଶୀ ସଙ୍ଗୀତ ଅତ୍ୟନ୍ତ ମଧୁର ଏବଂ ଶୃଙ୍ଖଳିତ ଭାବେ ପରିବେଷିତ। ଏହି ସଙ୍ଗୀତର ଧାରା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତଠାରୁ ସ୍ଵତନ୍ତ୍ର। ଓଡ଼ିଶୀ ସଙ୍ଗୀତ ଲାଗି ବଡ଼ ଖୋରାକ ହୋଇଛି ଆମର ଶାସ୍ତ୍ରୀୟ ସାହିତ୍ୟ। କବି ସମ୍ରାଟଙ୍କ ଛାନ୍ଦ ଓ ଚମ୍ପୂଠାରୁ ଜୟଦେବଙ୍କ ଗୀତଗୋବିନ୍ଦ ଓଡ଼ିଶୀ ସଙ୍ଗୀତକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇପାରିଛି ବୋଲି ଗୁରୁ ରାମହରି ଦାସ କହିଛନ୍ତି।
ଅନ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଧାରା କଥା ଦେଖିବା ତେବେ ସେଗୁଡ଼ିକ ଭିନ୍ନ ସଙ୍ଗୀତ ଧାରା ଉପରେ ଆଧାରିତ। କିନ୍ତୁ ଓଡ଼ିଶୀ ନୃତ୍ୟ ଓଡ଼ିଶୀ ସଙ୍ଗୀତ ଉପରେ ହିଁ ଆଧାରିତ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଏହି ମେଳକ ଆମ ସ୍ଵାତନ୍ତ୍ର୍ୟର ଏକ ବଡ଼ ଦିଗ ବୋଲି ସଙ୍ଗୀତ ଗୁରୁ ରାମହରି କହିଛନ୍ତି। ଏହି ଅବସରରେ ସେ ସିଂହାରୀ ଶ୍ୟାମସୁନ୍ଦର କର, ପଣ୍ଡିତ ନୃସିଂହନାଥ ଖୁଣ୍ଟିଆ, ପଣ୍ଡିତ କାଶୀନାଥ ପୂଜା ପଣ୍ଡା, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଏବଂ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କୁ ଓଡ଼ିଶୀ ସଙ୍ଗୀତର ପଞ୍ଚନାୟକ ଭାବେ ସେ ବର୍ଣ୍ଣନା କରିଛନ୍ତି। ଏହି ଗୁରୁମାନେ ଓଡ଼ିଶୀ ସଙ୍ଗୀତର ପରମ୍ପରାକୁ ଏକ ନୂଆ ଉଚ୍ଚତାକୁ ନେବା ସହ ପରବର୍ତ୍ତୀ ପିଢ଼ି ପାଇଁ ଅତିସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି।
ତେବେ ଓଡ଼ିଶୀ ସଙ୍ଗୀତର ବର୍ତ୍ତମାନ ସ୍ଥିତି ସମ୍ପର୍କରେ କିଛିଟା ଚିନ୍ତା ବ୍ୟକ୍ତ କରିଛନ୍ତି ଗୁରୁ ରାମହରି ଦାସ। ସେ କହିଛନ୍ତି ଯେ ନୂଆ ପିଢ଼ିର ଶ୍ରୋତାମାନେ ଏହି ସଙ୍ଗୀତକୁ ଶୁଣିଲେ ହିଁ ଆମ ପରମ୍ପରା ଆଗକୁ ବଢ଼ିବ। ତେଣୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଲାଗି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସରକାର ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବା ଦରକାର। ସଂସ୍କୃତି ବିଭାଗ ଉପଯୁକ୍ତ ମନେ କଲେ ଏଥିପାଇଁ ବିଭିନ୍ନ ଘରୋଇ ସଂସ୍ଥା ସହଯୋଗ ନେଇ ପାରିବେ ବୋଲି ଗୁରୁ ରାମହରି ପରାମର୍ଶ ଦେଇଛନ୍ତି।
“କୌଣସି କଳାର ପ୍ରସାର ପାଇଁ ଦର୍ଶକ ଓ ଶ୍ରୋତା ହିଁ ସବୁଠାରୁ ବଡ଼ ସମ୍ବଳ। ତେଣୁ ଆମ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ପାଇଁ ପ୍ରଥମେ ଓଡ଼ିଶା ଭିତରେ, ବିଶେଷକରି ସାରା ଓଡ଼ିଶାରେ କିପରି ଏହି ରସିକମାନଙ୍କ ସଂଖ୍ୟା ବଢ଼ିପାରିବ ସେଥିପାଇଁ ସରକାର, ଗଣମାଧ୍ୟମ, କଳାକାର ଏବଂ କଳା ସଙ୍ଗଠନଗୁଡ଼ିକ କାମ କରିବା ଦରକାର,’’ ଓଡ଼ିଶାଲାଇଭ୍ ସହ କଥାବାର୍ତ୍ତା ବେଳେ ପରାମର୍ଶ ଦେଇଛନ୍ତି ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ।