ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ବସାଇ ଅଞ୍ଚଳରେ ରହିଛି ତାରପଡ଼ା ଗାଁ। ଏଠାରେ ବସ୍ତି ଅଞ୍ଚଳର ପିଲାମାନେ ପାଠ ପଢ଼ିବାକୁ ଆସନ୍ତି। କିନ୍ତୁ କେଉଁମାନେ ଏଠି ପିଲାଙ୍କୁ ପଢ଼ାନ୍ତି, ତାହା ଜାଣିଲେ ଆପଣ ମଧ୍ୟ ଚକିତ ଓ ଉତ୍ସାହିତ ହେବେ ନିଶ୍ଚୟ।

ପିଲାଙ୍କ ପାଇଁ ଶିକ୍ଷା ବହୁ ଗୁରୁତ୍ୱ ବହନ କରେ। ବିଶେଷ କରି ବସ୍ତିରେ ଯେଉଁଠି ଗରିବ ଶ୍ରେଣୀର ପିଲାମାନେ ରହୁଛନ୍ତି, ସେମାନଙ୍କ ଭିତରେ ଶିକ୍ଷାର ଆଲୋକ ପ୍ରଜ୍ଜ୍ୱଳିତ କରିବା ଏକ ମହତ୍ କାର୍ଯ୍ୟ। ଗୁରୁ ଦିବସରେ ସେହିଭଳି ଏକ ମହତ୍ ଗୁରୁ ପରମ୍ପରାର ଉଦାହରଣ ଛାଡ଼ିଛନ୍ତି କେତେଜଣ କିନ୍ନର।BGUତାରପଡ଼ା ସ୍କୁଲରେ କିନ୍ନରମାନେ ହିଁ ପାଠ ପଢ଼ାଉଛନ୍ତି। ଏ ଅଂଚଳର ଶିକ୍ଷିତ କିନ୍ନରମାନେ ବସ୍ତିର ଗରିବ ଶ୍ରେଣୀର ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଦୁଇ ବର୍ଷ ତଳେ ଏଭଳି ଏକ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ସେମାନଙ୍କର ଏହି ସ୍କୁଲକୁ ମାତ୍ର ୫ ଜଣ ଛାତ୍ରୀଛାତ୍ର ପଢ଼ିବାକୁ ଆସୁଥିଲେ। ଏବେ ସେମାନଙ୍କ ସଂଖ୍ୟା ୬୦ରେ ପହଞ୍ଚିଲାଣି।

ଏହି ସ୍କୁଲରେ କେବଳ ପାଠପଢ଼ା ହୁଏନାହିଁ। ବରଂ ପିଲାଙ୍କୁ ପାଠ ସହ ଖାଦ୍ୟ ମଧ୍ୟ ଦିଆଯାଏ। ଗରିବ ମଜଦୁର ଶ୍ରେଣୀର ଲୋକେ ନିଜ ପିଲାଙ୍କୁ ଏଠାରେ ଛାଡ଼ି ପେଟପାଟଣା ପାଇଁ କାମ ସନ୍ଧାନରେ ସକାଳୁ ସକାଳୁ ବାହାରିଯାଆନ୍ତି। ସନ୍ଧ୍ୟାରେ ଫେରନ୍ତି। ସେତିକି ସମୟ ସେମାନଙ୍କ ପିଲାମାନେ ଏହି ଶିକ୍ଷିତ କିନ୍ନର ଗୋଷ୍ଠୀଙ୍କ ଦ୍ୱାରା ଭଲ ଦି’ ଅକ୍ଷର ପାଠ ପଢ଼ନ୍ତି। ପିଲାଙ୍କୁ ଖାଦ୍ୟ ଦେବାରେ କିଛି ସାମାଜିକ ଅନୁଷ୍ଠାନ ସହାୟତାର ହାତ ବଢ଼ାଇଥାନ୍ତି। କିନ୍ନରମାନଙ୍କୁ ଯେଉଁଠି ସମାଜ ନାକ ଟେକେ, ସେହିଠାରେ କେତେଜଣ କିନ୍ନର ଗୁରୁ ହେବାର ଯେଉଁ ପରମ୍ପରା ଆରମ୍ଭ କରିଛନ୍ତି, ତାହା ସମାଜ ପାଇଁ ପ୍ରେରଣାଦାୟୀ ହେବ ନିଶ୍ଚୟ।

Comment