ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବର୍ଷା ଅନୁଭବଙ୍କ ଦାମ୍ପତ୍ୟ ଜୀବନରେ ଝଡ଼
  • ଉଭୟ ଆଣିଲେ ଅଭିଯୋଗର ଲମ୍ବା ଫର୍ଦ୍ଦ
  • କୋର୍ଟରେ ମାମଲା
  • ଶୁଣାଣିକୁ ଅପେକ୍ଷା

ଓଲିଉଡର ସୁପରହିଟ ଯୋଡ଼ି ବର୍ଷା-ଅନୁଭବ। ଦିନେ ବ୍ୟାକ ଟୁ ବ୍ୟାକ ଫିଲ୍ମ ଦେଇ ଦର୍ଶକଙ୍କୁ ଯୋଗାଉଥିଲେ ମନୋରଞ୍ଜନର ଖୋରାକ। ପରଦା ଉପରେ ଉଭୟଙ୍କ କେମେଷ୍ଟ୍ରିକୁ ବେଶ୍‌ ପସନ୍ଦ କରୁଥିଲେ ଦର୍ଶକ। ଏବେ କିନ୍ତୁ ସେହି ରିଲ୍‌ ଲାଇଫର ସୁପର ଯୋଡ଼ି ରିଅଲ୍‌ ଲାଇଫ୍‌ରେ ଆର୍‌ ପାର୍‌। ଉଭୟଙ୍କ ମଧ୍ୟରେ ଚାଲିଛି ଘମାସନ ଲଢ଼େଇ। ପାରିବାରିକ ହିଂସା ଅଭିଯୋଗ ଆଣି ଅନୁଭବଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବର୍ଷା। ସେପଟେ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗର ଲମ୍ବା ଫର୍ଦ୍ଦ। ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦକୁ ନେଇ ଜାଣନ୍ତୁ ପୂରା କଥା।

ଦର୍ଶକଙ୍କ ପ୍ରିୟ ଯୋଡ଼ି ବର୍ଷା ଅନୁଭବ ଏବେ ସାମ୍ନା ସାମ୍ନି। ୬ ବର୍ଷର ଦାମ୍ପତ୍ୟ ଜୀବନରେ ପରେ ଏବେ ଅଲଗା ହେବାକୁ ଚାହୁଁଛନ୍ତି ବର୍ଷା ଅନୁଭବ। ଏଥିପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଦୁଇ ଷ୍ଟାର।

ବର୍ଷାଙ୍କ ଅଭିଯୋଗ

ବର୍ଷାଙ୍କ ଅଭିଯୋଗ ଯେ ଅନୁଭବ ଜଣେ ପ୍ରଫେସନାଲ ଡ୍ରଙ୍କର। ମଦ ପିଇବା ପରେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି ଅନୁଭବ। ଖରାପ ଭାଷାରେ ଗାଳି ଗୁଲଜ କରିବା ସହି ମାଡ଼ ବି ମାରନ୍ତି। ପତ୍ନୀଙ୍କ ପ୍ରତି ତାଙ୍କର କିଛି ସମ୍ମାନ ନାହିଁ। ଏଥିପାଇଁ ସେ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି। କଟକ ଏସ୍‌ଡିଜେଏମ୍‌ରେ ପିଟିସନ ଦାଖଲ କରି ଅନୁଭବ ତାଙ୍କୁ ଭରଣପୋଷଣ ପାଇଁ ୧୫ କୋଟି ଦିଅନ୍ତୁ ଦାବି କରିଛନ୍ତି ବର୍ଷା।

ଅନୁଭବଙ୍କ ପାଲଟା ଅଭିଯୋଗ

ସେପଟେ ପତ୍ନୀ ବର୍ଷାଙ୍କ ଅଭିଯୋଗ ପରେ ପାଲଟା ଅଭିଯୋଗ ଆଣିଛନ୍ତି ଅନୁଭବ। ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ୪୭ ପୃଷ୍ଠାର ପିଟସନ ଦାଖଲ କରିଛନ୍ତି ଅନୁଭବ। ଅନୁଭବଙ୍କ କହିବା କଥା ବର୍ଷା ଜଣେ ଭଲ ପତ୍ନୀ, ଭଲ ବୋହୂ ହେବାରେ ବିଫଳ। ପତ୍ନୀର କୌଣସି ଦାୟିତ୍ୱ ତୁଲାଇ ନାହାନ୍ତି ବର୍ଷା। ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ବି ଅରାଜି ଥିଲେ ବର୍ଷା। ସହ-ଅଭିନେତ୍ରୀଙ୍କ ସମ୍ପର୍କ ଥିବା ନେଇ ଆଣିଥିଲେ ମିଥ୍ୟା ଅଭିଯୋଗ। ଶାଶୂଘର ଲୋକଙ୍କ ସହ ମିଶୁନଥିଲେ। ଅଧିକାଂଶ ସମୟ ବାପଘରେ ବିତାଉଥିଲେ ବର୍ଷା। ତେବେ  ଉଭୟଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ ଆଜିର ନୁହେଁ ବରଂ ଦୀର୍ଘ ଦିନର। କିନ୍ତୁ ପରିବାରର ସମ୍ମାନ ପାଇଁ ଚୁପ୍‌ ଥିଲେ ବୋଲି କହିଛନ୍ତି ଅନୁଭବ।BGU

ବର୍ଷାଙ୍କୁ ଲାଗୁଛି ଡର

ସ୍ୱାମୀ ଅନୁଭବଙ୍କ ନାଁରେ ଅଭିଯୋଗ ଆଣିବା ପରେ ଏବେ ବି ଶାଶୂ ଘରେ ଅଛନ୍ତି ବର୍ଷା। ହେଲେ ସେଠି ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ବର୍ଷା ମାଗିଛନ୍ତି ସୁରକ୍ଷା। ବର୍ଷାଙ୍କ କହିବା କଥା ଯେ ଘରେ ଖାଇବା ବେଳେ ୨ ଯୁବକ ତାଙ୍କର ଭିଡିଓ ସୁଟ କରିଥିଲେ। ଯାହା ପରେ ସେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେପଟେ ଅନୁଭବ କହିଛନ୍ତି ଯେ, ଯଦି ମ୍ୟାଡମ ମୋ ଘରେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି ତେବେ ଏଯାଏଁ କାହିଁକି ଅଛନ୍ତି?। ମାମଲା ଏବେ କୋର୍ଟରେ ରହିଛି। ତେଣୁ ରାୟ ଆସିବା ଯାଏଁ ସମସ୍ତେ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ଅନୁଭବ।

ପାରିବାରିକ କଳହକୁ ନେଇ ପୂର୍ବରୁ ହୋଇଥିଲା ଆଭାସ

ବର୍ଷା ଅନୁଭବ ବିବାଦ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି। କିନ୍ତୁ ପୂର୍ବରୁ ମଧ୍ୟ ଏହାର ଆଭାସ ହୋଇସାରିଥିଲା। ଅନୁଭବ ଜଣେ କୋ-ଷ୍ଟାରଙ୍କ ସହ ରିଲେସନସିପ୍‌ରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଅନେକ ସାକ୍ଷାତକାରରେ ମଧ୍ୟ ଏନେଇ ବର୍ଷା ଅନୁଭବଙ୍କୁ ପ୍ରଶ୍ନ କରାଯାଇଥିଲା। କିନ୍ତୁ ଉଭୟ ଏକଥାକୁ ମାନି ନଥିଲେ। ସେମାନଙ୍କ ସମ୍ପର୍କ ଠିକ୍‌ ଥିବା କହିଥିଲେ। ଏମିତିକି କି ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ବିଶ୍ୱାସ କରନ୍ତି ବୋଲି କହିଥିଲେ। ଉଭୟଙ୍କ ଏଭଳି ବୟାନ ପରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

କେମିତି ହୋଇଥିଲା ପ୍ରେମ?

କୁହାଯାଏ ୨୦୦୬ରେ ଫିଲ୍ମ ‘ଥାଙ୍କ ୟୁ ଭଗବାନ’ରୁ ଆରମ୍ଭ ହୋଇଥିଲା ଓଲିଉଡର ସୁପରହିଟ୍ ଯୋଡ଼ି ଅନୁଭବ-ବର୍ଷାଙ୍କ ପ୍ରେମ କାହାଣୀ। ତା’ପରେ ଏକାଧିକ ଫିଲ୍ମରେ ଏକାଠି କାମ କରି ସେମାନଙ୍କ ସମ୍ପର୍କ ହୋଇଥିଲା ଆହୁରି ମଜଭୁତ। ଏହି ପ୍ରେମ ସମ୍ପର୍କ ପରେ ବିବାହର ରୂପ ନେଇଥିଲା। ୨୦୧୪ ମସିହା ଫେବ୍ରୁଆରି ୮ ତାରିଖରେ ଅନୁଭବଙ୍କ ହାତ ଧରିଥିଲେ ବର୍ଷା। ସାତ ଜନମର ସାଥୀ ହୋଇ ସାରା ଜୀବନ ହାତ ଧରି ଚାଲିବା ପାଇଁ ହୋଇଥିଲେ ପ୍ରତିଜ୍ଞାବଦ୍ଧ। ଏମିତିକି ବିବାହ ପରେ ବି ଉଭୟ କେତୋଟି ଫିଲ୍ମରେ ଏକାଠି କାମ କରୁଥିଲେ। ହେଲେ ବାହାଘରର ୬ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ଫାଟ ପଡ଼ିଛି। ଏହି ଫାଟ କେଉଁ ଦିଗ ନେଉଛି ତାକୁ ନେଇ ସମସ୍ତଙ୍କ ଅପେକ୍ଷା।

Comment