ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଙ୍କୀରୁ ଆଶିଷ କୁମାର ମହାପାତ୍ର):ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ପୂଜା।  ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିରେ ଦେବୀଙ୍କର ଶାରଦୀୟ ଦୂର୍ଗାପୂଜା ଷୋଡ଼ଶ ଉପଚାରରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଏହି ପୂଜା ୧୬ ଦିନ ହେଉଥିବା ବେଳେ ଚଳିତ ବର୍ଷ ମଳମାସ ଯୋଗୁ ଏହା ୪୪ ଦିନ ଧରି ହେବ ବୋଲି ଜଣାପଡ଼ିଛି।

ଗୁରୁବାର ଭୋର ୪ଟାରେ ପହଡ଼ ଖୋଲାଯାଇ ଦେବୀଙ୍କ ନିକଟରେ ମଙ୍ଗଳଆଳତି ଓ ପଞ୍ଚ ଅବକାଶ ନୀତି କରାଯାଇଥିଲା। ପୂର୍ବାହ୍ନରେ ବାଙ୍କୀ ରାଜା ଦୁର୍ଗାମାଧବ ଶ୍ରୀ ଚନ୍ଦନ ମହାପାତ୍ର ରାଜଗୁରୁ ଭବାନୀଶଙ୍କର ମହାପାତ୍ରଙ୍କୁ ବରଣ କରିବା ପରେ ସେବାସୀମାନଙ୍କ ଦ୍ୱାରା ମହାନଦୀର ରେଣୁକା ତୁଠରୁ ସହସ୍ର କୁମ୍ଭଜଳ ଅଣାଯାଇ ମା’ଙ୍କ ଭୃଙ୍ଗାରୀ ସ୍ନାନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ଏହାପରେ ମାଜଣା କରାଯାଇ ଦେବୀ ବେଶ ଓ ଗହଣା ଲାଗି କରାଯାଇଥିଲା । ପରେ ପରେ ଜଗତମାତାଙ୍କୁ ମହାପ୍ରସାଦ ସମର୍ପଣ କରାଯାଇ ମନ୍ଦିର ଉପରେ ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, କଳସ ପୂଜା, ଦ୍ୱାରପାଳ ପୂଜା ଓ ଠାକୁରାଣୀଙ୍କ ବଲ୍ଲଭ ପୂଜା ସମ୍ପନ୍ନ କରାଯାଇ ଉପାଧି ଭୋଗ (ଅଧା ଭୋଗ) କାର୍ଯ୍ୟ ସଂପାଦିତ ହୋଇ ମାଣ୍ଡୁଅ ଧୂପ ଅର୍ପଣ କରାଯାଇଥିଲା।

ଦ୍ୱିପ୍ରହରରେ ଆମିଷ ସହିତ ଶଙ୍ଖୁଡି ଭୋଗ ଦେବୀଙ୍କୁ ଅର୍ପଣ କରାଯାଇ ପହଡ଼ ବନ୍ଦ ପୂର୍ବରୁ ଖଞ୍ଜା ହାଣ୍ଡି ଭୋଗ କାର୍ଯ୍ୟ ଶେଷ ହୋଇଥିଲା। ଅପରାହ୍ଣ ୫ଟାରେ ପହଡ଼ ଖୋଲାଯାଇ ମା’ଙ୍କ ବେଶ ପରେ ସନ୍ଧ୍ୟା ଓ ରାତ୍ର ଧୂପ କରାଯାଇଥିଲା।BGUକରୋନା କଟକଣା ଯୋଗୁ ମା’ଙ୍କ ଦର୍ଶନ ପାଇଁ ଭକ୍ତ ଦର୍ଶକମାନଙ୍କୁ ବାରଣ କରାଯାଇଛି। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଦୀର୍ଘ ୪୪ ଦିନ ବ୍ୟାପି ପୂଜାର ବିଶେଷ କାର୍ଯ୍ୟ ମଧ୍ୟରେ କଳସ ସ୍ଥାପନ, ସଂକଳ୍ପ, ମାଣ୍ଡୁଅ ଧୂପ ଓ ଛାମୁଚଣ୍ଡି ସେବା କାର୍ଯ୍ୟ ଅନ୍ୟତମ। ଏହି ଅବସରରେ ଦେବୀଙ୍କ ସମ୍ମୁଖରେ ଚଣ୍ଡୀ ଓ ରାମାୟଣ ପାଠ କରାଯାଇଥିଲା।

Comment