ଓଡ଼ିଶାଲାଇଭ୍ ବ୍ୟୁରୋ

ଅବସର ନିଷ୍ପତ୍ତି ବଦଳାଇ ପୁଣି କ୍ରିକେଟ ମୈଦାନକୁ କମ୍ ବ୍ୟାକ୍ କରିବେ ଯୁବରାଜ ସିଂହ।

କ୍ରିକେଟପ୍ରେମୀମାନଙ୍କ ପାଇଁ ଖୁସି ଖବର। ପୁଣି କ୍ରିକେଟକୁ କମ୍‌ ବ୍ୟାକ୍ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ। ପଞ୍ଜାବ କ୍ରିକେଟ ଆସୋସିଏସନର ଅନୁରୋଧ ରକ୍ଷାକରି ସେ କ୍ରିକେଟ ଦୁନିଆକୁ ଫେରୁଛନ୍ତି। ଏନେଇ ସେ ବିସିସିଆଇକୁ ଚିଠି ଲେଖିଥିବା ମଧ୍ୟ ସୂଚନା ମିଳିଛି।

ସିଲେକ୍ସନ୍ କମିଟି ଦ୍ଵାରା ବାରମ୍ଵାର ଅଣଦେଖା ହେବାପରେ, ଗତବର୍ଷ ୩୮ ବର୍ଷୀୟ ଯୁବରାଜ ସିଂହ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ। ଗତ କିଛିଦିନ ହେବ ସେ ପଞ୍ଜାବର ଯୁବ ଖେଳାଳି ଶବନମ୍ ଗିଲ୍, ଅଭିଷେକ୍ ଶର୍ମା, ପ୍ରଭାଶ୍ରୀମାନ ସିଂହ ଏବଂ ଅନମୋଲପ୍ରୀତ୍ ସିଂହ ଆଦିଙ୍କ ସହ ଅଭ୍ୟାସ କରୁଥିବା ନଜର ଆସିଥିଲେ।

ପୂର୍ବଭଳି ଫର୍ମାଟ ରହିଥିବା ଦେଖି ପଞ୍ଜାବ କ୍ରିକେଟ ଆସୋସିଏସନ ତାଙ୍କୁ ପୁଣି କ୍ରିକେଟ ଖେଳିବାକୁ ଅନୁରୋଧ କରିଥିଲେ। ଏହାପରେ ସେ ନିଜର ଅବସର ନିଷ୍ପତ୍ତିକୁ ବଦଳାଇ ପୁଣି ଥରେ କ୍ରିକେଟ ମୈଦାନକୁ ଓହ୍ଲାଇବା ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କୁ ଚିଠି ଲେଖିଛନ୍ତି।

ତେବେ ପଞ୍ଜାବ ପାଇଁ ଖେଳିବାକୁ ଅନୁମତି ମିଳିଲେ ଅନ୍ୟ କେଉଁଠାରେ ଲିଗ୍ ଖେଳିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ଯୁବରାଜ। ଏଥିସହିତ ଅନୁମତି ମିଳିଲେ କେବଳ ଟ୍ଵେଣ୍ଟି-୨୦ ଖେଳିବେ ବୋଲି ଯୁବରାଜ କହିଛନ୍ତି।BGU୨୦୧୧ ମସିହାରେ ଭାରତକୁ ବିଶ୍ଵକପ୍‌ ଜିତାଇବାରେ ସଫଳ ଭୂମିକା ନିର୍ବାହ କରିବା ସହ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ଯୁବରାଜ। ଭାରତ ପକ୍ଷରୁ ସେ ୩୦୪ଟି ଦିନିକିଆ, ୪୦ଟି ଟେଷ୍ଟ, ୫୮ଟି ଟି-୨୦ ଖେଳିଛନ୍ତି। ୨୦୧୯ ଜୁଲାଇ ମାସରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ।

Comment