ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଓ କୃତ୍ରିମ ଅଙ୍ଗ ରୋପଣ ପାଇଁ ଅତ୍ୟାଧୁନିକ ରୋବୋଟିକ୍ସ ଅଧାରରେ ପୁନର୍ବାସ ବ୍ୟବସ୍ଥା
  • ସମସ୍ତଙ୍କ ପାଇଁ ଫିଜିଓଥେରାପି ମାଗଣା, ଗରିବ ଶ୍ରେଣୀର ଲୋକଙ୍କ ପାଇଁ କୃତ୍ରିମ ଅଙ୍ଗ ରୋପଣ ମଧ୍ୟ ମାଗଣା
  • ସୁନ୍ଦରଗଡ଼ ସହ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର ହିତାଧିକାରୀମାନେ ସୁବିଧା ନେଇପାରିବେ
  • ଆପଣ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର (ଟୋଲ ଫ୍ରି) 011-41182138ରେ କଲ୍ କରିପାରିବେ

ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବରଦାନ ପାଲଟିଛି। ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ଏଠାରେ ବିଶେଷ ସୁବିଧା ରହିଛି। ଅତ୍ୟାଧୁନିକ ରୋବୋଟିକ୍ସ ଫିଜିଓଥେରାପି ସହ ଏଠାରେ କମ୍ପ୍ୟୁଟର ଆଧାରରେ କୃତ୍ରିମ ଅଙ୍ଗ ପ୍ରସ୍ତୁତି ହେଉଥିବାରୁ ଏହା ଓଡ଼ିଶାର ଏକ ସ୍ୱତନ୍ତ୍ର କେନ୍ଦ୍ର ଭାବେ ପରିଚିତ ହେବାକୁ ଯାଉଛି।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଏହି କେନ୍ଦ୍ର ଖୋଲାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏଥିପାଇଁ ଯୋଗାଇ ଆର୍ଥିକ ସହାୟତା। ଏଠାରେ ସମସ୍ତଙ୍କ ପାଇଁ ଫିଜିଓଥେରାପି ସେବା ମାଗଣାରେ ଦିଆଯାଉଛି। ତା’ ସାଙ୍ଗକୁ ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ କୃତ୍ରିମ ଅଙ୍ଗ ରୋପଣ ମଧ୍ୟ ସଂପୂର୍ଣ୍ଣ ମାଗଣା ରହିଛି।‘‘ଖୁବ୍ ଅଳ୍ପ ସମୟ ଭିତରେ ଆମେ ଏହି ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଖୋଲିବାରେ ସମର୍ଥ ହୋଇଛୁ। ଏଠାରେ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା, କୃତ୍ରିମ ଅଙ୍ଗ ରୋପଣ ଏବଂ ମାଗଣାରେ ବିଭିନ୍ନ ପ୍ରକାର ଚିକିତ୍ସା କରାଯାଉଛି। ତେଣୁ ଏହି ଅତ୍ୟାଧୁନିକ ବ୍ୟବସ୍ଥାରୁ ହିତାଧିକାରୀମାନେ ସୁବିଧା ନେବା ଦରକାର’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଏଠାରେ ମିଳୁଥିବା ଚିକିତ୍ସା ସୁବିଧା

ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ରୋବୋଟିକ୍ ଆସିଷ୍ଟେଡ୍ ଥେରାପି ଏବଂ କୃତ୍ରିମ ଅଙ୍ଗ ରୋପଣ ଭଳି ଦୁଇଟି ବିଭାଗ ରହିଛି। ଦୁର୍ଘଟଣାରେ ଆହତ ଲୋକଙ୍କୁ ରୋବୋଟିକ୍ ଥେରାପି ସହାୟତାରେ ଚିକତ୍ସା ପ୍ରଦାନ କରାଯାଉଛି।  ବ୍ରେନ୍ ଷ୍ଟ୍ରୋକ୍, ସେରିବ୍ରାଲ ପାଲସି, ମେରୁଦଣ୍ଡ ଆଘାତ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ରୋବୋଟିକ୍ସ ଥେରାପିର ବିଶେଷ ସୁଫଳ ଆଣିଦେଉଛି।ସେହିପରି ଭିନ୍ନକ୍ଷମମାନଙ୍କର ଆବଶ୍ୟକତା ଅନୁଯାୟୀ କୃତ୍ରିମ ଅଙ୍ଗ ତିଆରି କରି ଗରିବ ଶ୍ରେଣୀର ହିତାଧିକାରୀଙ୍କୁ ତାହା ମାଗଣାରେ ପ୍ରଦାନ କରାଯାଉଛି। କମ୍ପ୍ୟୁଟର ନିୟନ୍ତ୍ରିତ ଅତ୍ୟାଧୁନିକ ଲାବୋରେଟୋରିରେ ଭିନ୍ନକ୍ଷମମାନଙ୍କ ପାଇଁ ସହାୟକ ଉପକରଣ ତଥା କୃତ୍ରିମ ଅଙ୍ଗ ତିଆରି କରାଯାଉଛି। କେବଳ ସେତିକି ନୁହେଁ, ସେମାନେ କିପରି ନିଜକୁ ପରିଚାଳନା କରିବେ ସେଥିପାଇଁ ତାଲିମ ଦିଆଯାଉଛି।

ଏହି ପୁନର୍ବାସ କେନ୍ଦ୍ରରେ ୬ଟି ଜିଲ୍ଲାର ହିତାଧିକାରୀମାନେ କିପରି ବିଭିନ୍ନ ଚିକିତ୍ସା କରିପାରିବେ ସେଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏଥିପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି। ସୁନ୍ଦରଗଡ଼ ସହ ଅନ୍ୟ ଯେଉଁ ଜିଲ୍ଲାର ଲୋକ ଏଥିରେ ବିଶେଷ ଉପକୃତ ହୋଇପାରିବେ ତା’ ଭିତରେ ରହିଛି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର ଏବଂ ବରଗଡ଼।‘‘ଭିନ୍ନକ୍ଷମ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଏବଂ ସେମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ଆଗରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କେବଳ ପ୍ରମାଣପତ୍ର ଏବଂ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ସରକାର ଦେଉଥିବା କିଛି ସୁବିଧା ସୁଯୋଗ ପାଉଥିଲେ। ହେଲେ ଏବେ ଏହି ପୁନର୍ବାସ କେନ୍ଦ୍ର ସେମାନଙ୍କୁ ନୂଆ ଜୀବନ, ଜୀବିକା ସହ ସମାଜରେ ପୁଣି ଠିଆ ହେବାର ସୁଯୋଗ ଆଣିଦେଉଛି’’, କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।

କିଏ ପାଇବେ ମାଗଣାରେ ସେବା?

ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କର ମାଗଣାରେ ଫିଜିଓଥେରାପି ଚିକିତ୍ସା କରାଯାଉଛି। ତେବେ ଗରିବ ଶ୍ରେଣୀର ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ଏଠାରେ ବିଶେଷ ବ୍ୟବସ୍ଥା ରହିଛି। ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କା ବା ତା’ଠାରୁ କମ୍ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଏଠାରେ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାର ବ୍ୟବସ୍ଥା ରହିଛି।

ସମାଜର ଅନ୍ୟ ବର୍ଗର ଲୋକ ମଧ୍ୟ ଏଠାରେ ଆସି କୃତ୍ରିମ ଅଙ୍ଗରୋପଣ ଲାଗି ସେବା ନେଇପାରିବେ। ତେବେ ଏଥିପାଇଁ ତାଙ୍କୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦେୟ ଦେବାକୁ ହେବ। ତେଣୁ ସେମାନେ କମ ମୂଲ୍ୟରେ ଏହି ଅତ୍ୟାଧୁନିକ ସେବା ପାଇପାରିବେ। ସେହିପରି ଉପରେ ଦର୍ଶାଯାଇଥିବା ୬ଟି ଜିଲ୍ଲା ଛଡ଼ା ରାଜ୍ୟର ଅନ୍ୟ ଅଞ୍ଚଳର ଲୋକ ମଧ୍ୟ ସୁନ୍ଦରଗଡ଼ରେ ଥିବା ଏହି କେନ୍ଦ୍ରରୁ ବିଭିନ୍ନ ପ୍ରକାର ଚିକିତ୍ସା ସେବା ନେବାରେ କୌଣସି ଅସୁବିଧା ନାହିଁ।   ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ‘‘ଦୁର୍ଘଟଣାର ଶିକାର ହୋଇ ଅଙ୍ଗ ହରାଉଥିବା ବ୍ୟକ୍ତିଙ୍କ ପାଇଁ ଏହି ପୁନର୍ବାସ କେନ୍ଦ୍ରରେ ରୋବୋଟିକ୍ ପଦ୍ଧିତରେ କୃତ୍ରିମ ଅଙ୍ଗ ତିଆରି କରାଯାଉଛି। ତେଣୁ ବିଗତ ଦିନରେ ଯେଉଁ ଧାରାରେ କୃତ୍ରିମ ଅଙ୍ଗ ତିଆରି ହେଉଥିଲା ଏହା ତା’ଠାରୁ ସଂପୂର୍ଣ୍ଣ ଭିନ୍ନ। ଏହି କେନ୍ଦ୍ର ବାସ୍ତବରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ହାତରେ ପୁଣି ଥରେ ତାଙ୍କର ଦକ୍ଷତା ଫେରାଇ ଦେବାର ଲକ୍ଷ୍ୟ ରଖେ। ଫଳରେ ଆଜି ଅନେକ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେଉଛନ୍ତି।’’

ଏହି କେନ୍ଦ୍ର ନିର୍ମାଣ ଏବଂ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ୧୩ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଅତ୍ୟାଧୁନିକ ଫିଜିଓଥେରାପି ଚିକିତ୍ସା ଓ ପୁନର୍ବାସ ସେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ହେଲପଲାଇନ୍ ନମ୍ବରରେ କଲ୍ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଟୋଲ ଫ୍ରି ନମ୍ବରଟି ହେଲା 011-41182138।

Comment